Unknown

 

 

 

 

 

 

 

 

 

ଶ୍ରାବଣର ସକାଳ

କୃପାସାଗର ସାହୁ

 

 

 

 

 

 

 

 

 

ଏହି ଉପନ୍ୟାସର ସମସ୍ତ ଚରିତ୍ର, ସ୍ଥାନ ଏବଂ ଘଟଣାବଳୀ କାଳ୍ପନିକ । କୌଣସି ବ୍ୟକ୍ତି ବିଶେଷ, ସ୍ଥାନ କିମ୍ବା ଘଟଣା ସହ ଯଦି କିଛି ସାମଞ୍ଜସ୍ୟ ଥାଏ, ତାହା କାକତାଳୀୟ ସଂଯୋଗ ସଦୃଶ ।

 

–ଲେଖକ

 

(୧)

 

କାଉ କା’ କରି ନଥିଲା । ବସ୍ତି ମୁଣ୍ଡରେ ଜଣେ ଜଟାଧାରୀ ବାବା ପରି ଧ୍ୟାନମଗ୍ନ ବରଗଛଟାରେ ଘୁମେଇଥିବା ବଗ, ବଣି, ହଳଦୀବସନ୍ତ, କାଠହଣା ପ୍ରଭୃତି ପକ୍ଷୀମାନଙ୍କର ନିଦ ପାକଳ ହୋଇନଥିଲା । ପୂର୍ବ ଦିଗରେ ସିନ୍ଦୂରା ଫାଟିବାକୁ ବାକି ଥିଲା । ଏତିକିବେଳେ ବାପୁଜୀ ନଗର ବସ୍ତି ମଝିରେ ଥିବା ହୀରାଦେଈର ବୁଢ଼ା ଗଞ୍ଜାଟିର ଭେମା ରଡ଼ି ଶୁଭିଲା–କକର କଅଅ.....-। ପାଲା ଗାୟକର ଅନୁସରଣରେ ପାଳିଆମାନେ ସ୍ୱର ଧରିଲା ପରି ବସ୍ତିର ଅନ୍ୟ ଗଞ୍ଜାମାନେ ଗଳା ଫଟାଇ ଡାକ ଛାଡ଼ିଲେ–କକରେ କଅଅ..... ।

 

ଏବେ ବରଗଛରେ ଢ଼ୋଳାଉଥିବା ପକ୍ଷୀଙ୍କ ନିଦ ଭାଙ୍ଗିଲା । ସେମାନଙ୍କ ଭିତରୁ ଥୋକେ ଡ଼କାଡ଼କି ହୋଇ ବିଲବାଡ଼ିମାନଙ୍କୁ ଉଡ଼ିଗଲେ ପୋକଜୋକ ସନ୍ଧାନରେ । ଆଉ ଥୋକେ ବସ୍ତି ପାଖ ଭି.ଆଇ.ପି. କଲୋନୀକୁ ଉଡ଼ିଗଲେ ଦାନା ଖୁଣ୍ଟିବାକୁ । ଆଉ କିଛି ପକ୍ଷୀ ବସ୍ତିର ସଜନାଗଛ, ନେଉଆ ଗଛ ପ୍ରଭୃତିରେ ଟାକି ବସିଲେ ସୂର୍ଯ୍ୟ ଉଠିବାକୁ । ଖରାରେ ଡ଼େଣା ଟିକିଏ ଟାଣ ହେଲେ ସେମାନେ ଉଡ଼ିଯିବେ ଦୂର ବନସ୍ତକୁ ।

 

ସବୁ ରାତି ପକ୍ଷୀକୁଳ ପାଇଁ କାଳବେଳା । ସବୁ ସକାଳ ତାଙ୍କ ପାଇଁ ଉତ୍ସବର ସମୟ । ରାତିସାରା ଭୟରେ ଜଡ଼ସଡ଼ ହୋଇ ଦୁଃସ୍ୱପ୍ନ ଦେଖୁଥିଲେ ସକାଳଟା ଉତ୍ସବ ପରି ନ ଲାଗିବ କେମିତି ?

 

ବରଗଛକୁ ଆଶ୍ରା କରି ପଡ଼ିଥିବା ପକ୍ଷୀମାନଙ୍କ ପରି ବାପୁଜୀ ନଗର ବସ୍ତି-ବାସିନ୍ଦାମାନଙ୍କର ସବୁଦିନ ସବୁରାତି ଏକାଭଳି । ଧରାବନ୍ଧା ଏକ ବୈଚିତ୍ର୍ୟହୀନ ଜୀବନ ଜୀଅଁନ୍ତି ସେମାନେ ।

 

ପ୍ରଥମେ ସକାଳୁ ଉଠି ନଳକୂଅ ପାଖରେ ଲାଗିବ ଲମ୍ବା ଧାଡ଼ି । ଜଣ ଜଣ କରି ପାଣି ଢାଳ ଧରି ନିତ୍ୟକର୍ମ ସମାପନ ପାଇଁ ଛୁଟିବେ ଅମରି ଲଟିକୁ । କୋଡ଼ି କୋଦାଳ, ଫାଉଡ଼ା ଧରି ମଜଦୁର ଓ ରେଜାମାନେ ଜମା ହେବେ ହାଇୱେକଡ଼ ବରଗଛ ତଳେ । ସେଇଠି ପଣ୍ୟଦ୍ରବ୍ୟ ପରି ସେମାନଙ୍କର ମୂଲଚାଲ ହେବ । ଆଉ କେହି ସାଇକେଲ ଘଣ୍ଟି ଟଣଟଣ କରି ଛୁଟିବେ ସହରର ଅଭ୍ୟନ୍ତରସ୍ଥ ନିଜର କର୍ମସ୍ଥଳୀକୁ । ବସ୍ତିର ଉପାନ୍ତରେ ଆସ୍ଥାନ ଜମାଇଥିବା ମଇଁଷିଆଳ ଦୁଧ-କ୍ୟାନ ଲଦି ସଜ ହେଉଥିବ ତା’ର ନାଗୁଆ ହୋଟେଲମାନଙ୍କୁ ଦୁଧ ଯୋଗାଇବାକୁ । ସହରର ବାବୁମାନଙ୍କ ଘରେ କମତୁଣୀ କାମ କରୁଥିବା ସ୍ତ୍ରୀଲୋକମାନେ ଛୁଟିଥିବେ ବସ୍‌ ଷ୍ଟପ୍‌କୁ ।

 

ରାତ୍ରିର ଅନ୍ଧକାରରେ କୁମ୍ଭକର୍ଣ୍ଣ ପରି ନିଘୋଡ଼ ନିଦରେ ଶୋଇଥିବା ବସ୍ତିଟାରେ ଜୀବନ ଫେରିଆସିବ ।

 

ସଜନା ଗଛ ଉପରେ ବସି ଡାମରା କାଉଟା ରାଉରାଉ କରିବାରୁ ହୀରାଦେଈ ଆଖି ମଳିମଳି ଉଠିଲା । ଖୋଲି ଯାଇଥିବା ଚାଦର ଭିତରୁ ଛୋଟିଆ ମୁଚୁଳା ପରି ଦିଶୁଥିବା ସୁନାର ପିଚାକୁ ସରୁ ଚଟକଣିଟିଏ ଦେଇ ତାଗିଦ କଲା–ଉଠ ଟୋକୀ, କାମକୁ ଯିବୁନି କି ?

 

ବାର ତେର ବର୍ଷର ସୁନା କି ସ୍ୱପ୍ନ ଦେଖୁଥିଲା କେଜାଣି ? ହୁଏତ ଦେଖୁଥିବ ଯେ ସେ ନଟମିସ୍ତ୍ରୀର ସାଇକେଲ୍‌ ରଡ଼ରେ ବସିଛି । ସାଇକେଲଟି ତାରା ଛୁଇଁ, ଜହ୍ନ ଛୁଇଁ ମେଘର ଭେଳାରେ ଉଡ଼ି ଚାଲିଛି କେଉଁ ସ୍ୱପ୍ନର ରାଜ୍ୟକୁ । ପୁଣି ହୁଏତ ଦେଖୁଥିବ ଯେ ସେ ବୋହୂବେଶ ହୋଇବସିଛି । ତା’ ଚାରିପାଖେ ବସି ଟାହିଟାପରାରେ ମସ୍‌ଗୁଲ ଅଛନ୍ତି ରୂପା, ଚଂପା, ରାଧା, ଲଳିତା ପ୍ରଭୃତି ତା’ର ସହଚରୀମାନେ ।

 

ଅଖିଆ ଅଧାଖିଆ ପେଟରେ ଶୋଇଥିବା ଜୀବମାନେ ବୋଧହୁଏ ବେଶୀ ସ୍ୱପ୍ନ-ପ୍ରବଣ-

 

ଉଠୁଛୁ ନା ଦେଖିବୁ ଏଇନେ । ବେଶୀ ଛୋପରୀ ହେଉଛି ଟୋକୀଟା ।

ତା’ର ମା’ର ଉଲୁଗୁଣାର ସକାଳୁଆ କିସ୍ତିଟା କାନରେ ଭାଇଁ ଭାଇଁ କଲା । ମୁଖରା ମା’ର ଏ ଗର୍ଜନରେ କେଉଁ ସ୍ୱପ୍ନ ଆଉ ଆଖିରେ ଲାଖି ରହିବ ?

 

ସୁନା ଏଥର ଅଳସ ଭାଙ୍ଗିଲା । ଭାବିଲା, ତା’ଭଳି ଝିଅଙ୍କ ଭାଗ୍ୟରେ ବୋଧେ ସ୍ୱପ୍ନ ଦେଖା ଲେଖା ନାହିଁ । ସେଠି କେବଳ ଲେଖା ହୋଇଛି କାମ ଆଉ କାମ, ହାଡ଼ ଭଙ୍ଗା କାମ । ଖଟଣିରୁ ତ୍ରାହି ମିଳିଲେ ସିନା ସେ ସ୍ୱପ୍ନ ଦେଖନ୍ତା ।

 

ସୁନା ନଳକୂଅରୁ ଲୋଟାଏ ପାଣି ନେଇ ଅମରି ଲଟିକୁ ଗଲା । ଫେରିଆସି ମୁଢ଼ି ଗଣ୍ଡାଏ ଫ୍ରକ୍‌ ପକେଟରେ ପୂରାଇ ପଡ଼ିଶାଘର ଝୋଁପଡ଼ି ସାମ୍‌ନାରେ ଠିଆହୋଇ ଡାକ ଛାଡ଼ିଲା-କାମକୁ ଯିବୁନି କି ରୂପା ?

 

ଆଉଛି–ଭିତରୁ ଭାସିଆସିଲା ଏକ ଦୀର୍ଘ ପ୍ରତ୍ୟୁତ୍ତର ।

ଦୁଇ ମିତଣି ବାହାରିଲେ କାମକୁ ।

 

ଦୁହିଁଙ୍କର ପରିଧେୟ ଗୋଟିଏ ଗୋଟିଏ ସାତସିଆଁ ଫ୍ରକ । ମୁଣ୍ଡ ଧୂଳି ଧୂସରିତ ବବୁଲଗଛ ପରି ଝାମ୍ପୁରା । ଦୁହିଁଙ୍କ କାନ୍ଧରେ ଝୁଲୁଥିଲା ଗୋଟିଏ ଗୋଟିଏ ଅଖାର ଝୋଲା । ହାତରେ ଗୋଟିଏ ଗୋଟିଏ ଲୁହାର ରଡ଼ ।

 

କିଛି ସମୟ ପରେ ସୁନାର ମା’ ହୀରାଦେଈ ବି ଯିବ ପାଇଟି କରିବାକୁ । ଦୁଇ ତିନୋଟି ଘରେ ବାସନ ମାଜି, କପଡ଼ା ସଫାକରି ସେ ଘର ଚଳାଏ । ସୁନାର ସାନ ଭଉଣୀ ଚାନ୍ଦ ଘର ଜଗେ ଏବଂ ରୋଷେଇ କରେ ।

 

ବାପାର ମୁହଁ ସୁନାର ଆଦୌ ମନେ ନାହିଁ । ଦଶ ବର୍ଷତଳେ ତା’ର ବାପା କାମ ସନ୍ଧାନରେ କଲିକତା ଯାଇଥିଲା । ସେତେବେଳେ ତା’ର ବୟସ ଦୁଇବର୍ଷ । ଚାନ୍ଦ ଭୂଇଁରେ ଗୁରୁଣ୍ଡୁ ଥିଲା । ତା’ପରେ ତା’ର ବାପାର ଆଉ କୌଣସି ଖବର ଅନ୍ତର ନାହିଁ ।

 

ପିତୃହୀନ ପରିବାରରେ ମା’ଝିଅମାନଙ୍କର ପରିସ୍ଥିତି ସହ ଚାଲିଛି ପ୍ରାତ୍ୟେହିକ ଏକ କଠିନ ସଂଘର୍ଷ ।

 

ବାର ତେର ବର୍ଷର କିଶୋରୀଙ୍କ ପାଇଁ କି କାମ ଅଛି ଏ ସହରରେ ? ଘରୁ ପଦାକୁ ଗୋଡ଼ କାଢ଼ିଲା ମାତ୍ରେ ତାଙ୍କୁ ଟାହିଟାପରାର ଶରବ୍ୟ ହେବାକୁ ପଡ଼େ ।

 

ଥରେ ରେଲୱେ ଷ୍ଟେସନ ବାଟେ ଯାଉଥିବା ବେଳେ କୁଲିଟିଏ ସେ ଦୁହିଁଙ୍କୁ ଫୁସୁଲୋଉଥିଲା–କଲିକତା ଯିବ ? ସେଠି ଗେଷ୍ଟହାଉସରେ ରହିବ । ଭଲ ପିନ୍ଧିବ । ସିନେମା ଦେଖିବ । ଅଏସ୍‌ କରିବ । ପଇସାକୁ ପଇସା । ତା’ ସଙ୍ଗେ ସଙ୍ଗେ ଫୁର୍ତ୍ତି । ଏଠି ଗୁହଗୋବରରେ କେତେ ଘାଣ୍ଟି ହେଉଥିବ ?

 

ସୁନାର ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଲୁହାରଡ଼ଟିକୁ ଉଞ୍ଚାଇ କହିଲା ଆଉଥରେ ଯଦି ଏ ଅସନା କଥାଗୁଡ଼ାକ ତୁଣ୍ଡରେ ଧରିବୁ ନା, ତୋ’ ମୁଣ୍ଡ ଫଟାଇ ଦେବୁ । ଜାଣିଲୁ, ବୁଢ଼ା ଧୋକଡ଼ା କେଉଁଠିକାର ।

 

ବୁଲା କୁକୁରଟାଏ ଲାଙ୍ଗୁଡ଼ ଜାକି ପୃଷ୍ଠଭଙ୍ଗ ଦେଲାପରି ଏ ଚଣ୍ଡୀ ଝିଅ ଦୁହିଁଙ୍କ ଆଡ଼େ ଏକ ତେରେଛା ଚାହାଣି ଛାଡ଼ି କିଛି ଅସ୍ପଷ୍ଟ ଶବ୍ଦ ଉଚ୍ଚାରଣ କରି କୁଲିଟି ପଳାଇ ଯାଇଥିଲା ସେଦିନ-

 

ଲୁହାରଡ଼ ଧରି ବସ୍ତି ବସ୍ତି ବୁଲି ଅଳିଆ ଗଦା, ଡଷ୍ଟବିନ୍‌ ପ୍ରଭୃତି ଉଖାରି ପକାଇ ରଦ୍ଦି ସଂଗ୍ରହ କରିବା ସୁନା ରୂପା ଦୁହିଁଙ୍କର ଦୈନନ୍ଦିନ କର୍ମ । ଅଇଁଠା, ପରିବା ଚୋପା, ସାନିଟାରି ନାପକିନ, କଣ୍ଡୋମ ପ୍ରଭୃତି ଆବର୍ଜନା ଭିତରୁ ତାଙ୍କର ଅଭ୍ୟସ୍ତ ଆଖି ବାରିନିଏ କେଉଁଟା ଦରକାରୀ ଏବଂ କେଉଁଟା ଅଦରକାରୀ ଦ୍ରବ୍ୟ । ଷ୍ଟିଲ, ଲୁହା, ଟିଣ, ପ୍ଲାଷ୍ଟିକ, ପଲିଥିନ ଏସବୁ ତାଙ୍କ ମୁଣିରେ ପଶେ । ଭାଗ୍ୟ ଉଜ୍ଜ୍ୱଳ ଥିଲେ କେତେବେଳେ ମିଳିଯାଏ ଆଠଣିଟିଏ ବା ଟଙ୍କାଟିଏ ।

 

ଦ୍ୱିପ୍ରହର ଯାଏ ଚାଲୁ ରହେ ଏଇ କାମ । ତା’ପରେ ଦରକାରୀ ଜିନିଷର ମୁଣିଧରି ସେ ଦୁହେଁ ଚାଲନ୍ତି ରେଳଷ୍ଟେସନ ପାଖ ରଦ୍ଦି ଦୋକାନକୁ । କେବେ କେବେ ରୋଜଗାର ହୁଏ ଦଶ ପନ୍ଦର ଟଙ୍କା । କେବେ କେବେ କାଲୁମିଆଁ ପଇସା ବାକି ରଖିଲେ ଶୂନ୍ୟ ହସ୍ତରେ ଫେରିବାକୁ ପଡ଼େ ।

 

ସହରର କୋଳାହଳଠାରୁ ଦୂରରେ ଗଢ଼ି ଉଠିଛି ଭି.ଆଇ.ପି. କଲୋନୀ । ସେଠି ନାହିଁ କଳକାରଖାନାର ଧୂଆଁଧାସ । ସେଠି ନାହିଁ ବଜାରଘାଟର ଧୂଳି, ମଳି, ଗହଳି । ନେସନାଲ ହାଇୱେରୁ ଯେଉଁ ପ୍ରଶସ୍ତ ପିଚୁ ସଡ଼କଟି ଉତ୍ତର ଦିଗକୁ ଲମ୍ବି ଯାଇଛି, ତା’ର ଏକପାର୍ଶ୍ୱରେ ସହରର ଅଭିଜାତ ବର୍ଗଙ୍କ ପାଇଁ ଗଢ଼ାଯାଇଛି ଡୁପ୍ଲେକ୍ସ ଟାଇପ ବଙ୍ଗଲୋ ।

 

ସୁନା ଓ ରୂପା ଦୁଇ ମିତଣିଙ୍କର ଗନ୍ତବ୍ୟ ସ୍ଥଳ ଥିଲା ସେଇ କଲୋନୀ ।

ରାସ୍ତାରେ ସାଇକେଲ ଚଢ଼ି ଯାଉଥିଲା କିଶୋରଟିଏ । ଦୁଇ ବାଳିକାଙ୍କ ଆଡ଼େ କଣେଇ କଣେଇ ଚାହିଁ ମନ୍ଦ ଗତିରେ ସାଇକେଲ ଚଲାଉଥିଲା ସେ । ସୁନା ଇସାରା କରି ଧୀର ଗଳାରେ କହିଲା–ରୂପା, ସେ କାହାକୁ ଖୋଜୁଛି କି ?

 

ଚତୁରୀ ରୂପା ଉତ୍ତର ଦେଲା–ହଁ, ଖୋଜୁଥିବ । କିନ୍ତୁ ତୋତେ ନୁହେଁ ।

–ଆଉ କ’ଣ ତୋତେ ଖୋଜୁଛି ? ପାଲଟା ଜବାବ ଦେଲା ସୁନା ।

 

ତାଙ୍କର ବାର୍ତ୍ତାଳାପର କିୟଦଂଶ କାନରେ ବାଜିଲା କି କ’ଣ କିଶୋରଟି ଜୋରରେ ପେଡ଼ାଲ ମାରି ସାଇକେଲ ବାହି ନେଲା ଆଗକୁ । ଦମକାଏ ହସ ହସି ଧନୁପରି ବଙ୍କି ଗଲେ ଦୁଇ କିଶୋରୀ ।

 

ଭି.ଆଇ.ପି. କଲୋନୀ ନିକଟତର ହେଲା । ବଡ଼ ବଡ଼ ଅଫିସର, ଡାକ୍ତର, ଇଂଜିନିୟର ଏଇଠି ରହନ୍ତି ବୋଲି ତାଙ୍କୁ ଜଣା । ପ୍ରତ୍ୟେକଙ୍କ ଘର ସାମ୍‌ନାରେ ମଟରଗାଡ଼ି ଠିଆ ହୋଇଥାଏ । ପ୍ରତ୍ୟେକଙ୍କ ଘରେ ଚାକର ପୂଜାରୀ ହାଉଯାଉ ହେଉଥାନ୍ତି । କେତେକଙ୍କ ଘରେ ପୋଷା କୁକୁର ବୁଲୁଥାନ୍ତି । ମୋଟା ରୋଜଗାର ଯୋଗୁଁ ସେମାନଙ୍କର ବେଶୀ ଉଦ୍‌ବୃତ୍ତ ପଦାର୍ଥ ଯାଏ ଆବର୍ଜନା କୁଣ୍ଡକୁ । ସେଥିପାଇଁ ସେ ଦୁହେଁ ଅଧିକାଂଶ ଦିନ ସେହି କଲୋନୀରେ ଚକ୍କର କାଟନ୍ତି ।

 

ଆସିଲା ପ୍ରଥମ ଆବର୍ଜନା କୁଣ୍ଡ । ସୁନା ଲୁହା ରଡ଼ରେ ଘାଣ୍ଟିଲା ବେଳେ ସେଥିରୁ ସରସର ହୋଇ ବାହାରିଲା ସାପଟିଏ । “ଏ ମା’ଲୋ ସାପ’’ କହି ପଛକୁ ଡେଇଁ ପଡ଼ିଲା ସେ । ରୂପା ସାପଟିକୁ ମାରିବା ପାଇଁ ଉଦ୍ୟତ ହେଲାବେଳେ ସୁନା ବାରଣ କଲା–ମାରନା, ମାରନା, କାଣ୍ଡନଳିଆଟା । ୟା’କୁ ମାରିଲେ ଏଇନେ ସାତଟା ସାପ ବାହାରିବେ ।

 

ସେଠି କେବଳ କିଛି ପଲିଥିନ୍‌ ପ୍ୟାକେଟ ମିଳିଲା । ଗୋଟିଏ ବଡ଼ ବଙ୍ଗଲୋ କଡ଼େ କଡ଼େ ଯାଉ ଯାଉ ରୂପା କହିଲା–ଦେଖ, ଦେଖ, ଏ ଛୋଟ ଅମୃତଭଣ୍ଡା ଗଛକୁ । କେମିତି ଫଳ ଲଦି ହୋଇଛି । ସେଦିନ ମେଲଣ ପଡ଼ିଆରେ ପାଲା ଗାଆଣ କ’ଣ ବୁଝୋଉଥିଲା, ମନେଅଛି ? ଜଣେ ଋଷି କେଉଁ ଏକ ଦେବତାକୁ ଅଭିଶାପ ଦେଲା ଯେ ତା’ର ଦିହସାରା ଝିଅପିଲାଙ୍କ ଯନ୍ତ୍ର ଭର୍ତ୍ତି ହୋଇଗଲା ।

 

ତା’ କଥାକୁ ଖାପ ଦେଇ ସୁନା ଯୋଡ଼ିଲା-ଏ ଅମୃତଭଣ୍ଡା ଗଛକୁ ବି କିଏ ଅଭିଶାପ ଦେଇଛି ନା କ’ଣ ?

 

ଦୁହେଁ ଦମକାଏ ହସ ହସିଲା ପରେ ରୂପା ପ୍ରସ୍ତାବ ଦେଲା-ଏ ଗଛର ଦୁଃଖକୁ ଟିକିଏ ହାଲୁକା କରିଦେବା ?

 

–ଏ, ଏ ହାତ ଲଗାନା ସେଥିରେ । କୁକୁର ଅଛି ସେ ଘରେ । ପୋଲିସରେ ଦେଲେ ସେତେ ଡର ନାହିଁ । କୁକୁର ଲଗାଇ ଦେଲେ ପ୍ରାଣ ଗଲା ।

 

–ପଛକୁ ବୁଲି ଦେଖ ସେ କଦଳୀ ଗଛକୁ । ୟା’କୁ କ’ଣ ଶାପ ମିଳିଛି ନା ବର କିଲୋ ?

ଦୁଇ ମିତଣି ଆଉ ଦମକାଏ ହସ ହସି ଚାଲିଲେ ଆଗକୁ । ଟିକିଏ ଦୂରରେ ତାଙ୍କ ପାଦ ଆପେ ଆପେ ଅଟକିଗଲା ।

 

କଲୋନୀର କୃଷ୍ଣଚୂଡ଼ା ଆଭିନ୍ୟୁରେ ଗୋଟିଏ ଗଛ ପାଖରେ ଦଳେ ଲୋକ ଜମା ହୋଇଥିଲେ ।

 

କୃଷ୍ଣଚୂଡ଼ା ଗଛତଳେ ପଡ଼ିଥିଲା ଜଣେ ମୁର୍ମୁଷୁ ବ୍ୟକ୍ତିଙ୍କର ଶରୀର । ତାଙ୍କର ଚେତା ନଥିଲା । ମୁଣ୍ଡରୁ ଧାର ଧାର ହୋଇ ରକ୍ତ ବାହାରୁ ଥିଲା । ଦେହରେ ପରିଧେୟ ଥିଲା ଟି. ସାର୍ଟ, ପ୍ୟାଣ୍ଟ ଓ ଖେଳ ଜୋତା । କିଛି ଦୂରରେ ଟେନିସ୍‌ କ୍ୟାପ୍‌ଟିଏ ପଡ଼ିଥିଲା । କୌଣସି ସମ୍ଭ୍ରାନ୍ତ ବ୍ୟକ୍ତିପରି ଦିଶୁଥିଲେ ସେ ।

 

ଦୁଇ ମିତଣି ଭିଡ଼ ଭିତରେ ଗଳି ଖୁବ ପାଖକୁ ଯାଇ ନିରେଖି ଦେଖିଲେ । ସୁନା କହିଲା-ଦେଖିଲୁ ରୂପା, ଇୟେ ସେହି ସାହେବ ନା ?

 

–ଆଲୋ ହଁ, ଇୟେ ଆମରି ସାହେବ । ଜଲ୍‌ଦି ଚାଲ, ତାଙ୍କ ଘରକୁ ।

ମୁର୍ମୁଷୁ ବ୍ୟକ୍ତି ଥିଲେ ଶିଳାଦିତ୍ୟ । ଦୁଇ ମିତଣି ତାଙ୍କୁ ଠିକ ଚିହ୍ନିପାରି ଥିଲେ । ମହାବାତ୍ୟା ସମୟରେ ସେ ଏକ ଦେବଦୂତ ଭଳି ତାଙ୍କ ବସ୍ତିକୁ ଆସି ଉଭା ହୋଇଥିଲେ । ତାଙ୍କୁ ସେ ସହଜରେ ଭୁଲିପାରନ୍ତେ କେମିତି ?

 

ଘଟଣାସ୍ଥଳରେ ଭିଡ଼ ଧୀରେ ଧୀରେ ବଢ଼ିଥିଲା । ଦର୍ଶକଙ୍କ ମଧ୍ୟରେ କଲୋନୀର କିଛି ପ୍ରାତଃଭ୍ରମଣକାରୀ ମଧ୍ୟ ସେଠି ପହଞ୍ଚି ଯାଇଥିଲେ । କିନ୍ତୁ ସେମାନେ ନିରାପଦ ଦୂରତ୍ୱରୁ ଏ ଦୃଶ୍ୟଟିକୁ ଦେଖୁଥିଲେ । ପରସ୍ପର ମଧ୍ୟରେ ସେମାନେ ଆଲୋଚନା ଚଳାଇଥିଲେ ।

 

–ଏ ଶିଳାଦିତ୍ୟ ଦାସ । ଜଣେ ସିନିଅର ଆଇ.ଏ.ଏସ. ଅଫିସର ।

–ଦେଖିଲେ, ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଛି ତ ? କେହି ଜଣେ ପାଖକୁ ଯାଇ ନିରେଖି ଦେଖି କହିଲେ–ହଁ ।

 

–ମୁଣ୍ଡରୁ ରକ୍ତଧାର ବହିଚାଲିଛି । କିଛି ଗୋଟିଏ ଗାଡ଼ି ରୋକ–ଆଉ ଜଣେ ପ୍ରସ୍ତାବ ଦେଲେ ।

 

–ନା, ନା ଏ ପୋଲିସ କେସ । ଚାଲ, ପୋଲିସକୁ ଖବର ଦେଇ ଦେବା ।

ଶିଳାଦିତ୍ୟଙ୍କର ସହାୟତା ପାଇଁ କାହାର ହାତ ଆଗକୁ ବଢ଼ି ଯାଇ ନଥିଲା ।

 

କିଛି ସମୟ ପରେ ଗାଡ଼ିଟିଏ ଆସି ପହଞ୍ଚିଲା । ସେଥିରେ ବସିକରି ଆସିଥିଲେ ଶିଳାଦିତ୍ୟଙ୍କ ମା’ ସାବିତ୍ରୀ ଦେବୀ, ଦୁଇ ମିତଣି ସୁନା ଓ ରୂପା । ସେମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିଲେ । ନିଃଶ୍ୱାସ, ପ୍ରଶ୍ୱାସ ଚାଲୁଥିଲା । କିନ୍ତୁ ତାଙ୍କର ଚେତା ଫେରୁ ନଥିଲା ।

 

ଡ୍ରାଇଭରର ସହାୟତାରେ ତାଙ୍କୁ ସେମାନେ ଉଠାଇ ନେଇଥିଲେ ସିଟି ହସ୍ପିଟାଲକୁ ।

•••

 

(୨)

 

କିଛି ଦିନ ତଳର କଥା ।

ସେଦିନ ବଡ଼ି ଭୋରଟାରୁ ଏକ ଉତ୍‌ଫେଣ ସର୍ପପରି ପବନ ହିସ ହିସ ଫୁତ୍‌କାର ଛାଡ଼ିଲା । ସହରର ଚତୁର୍ଦ୍ଦିଗରେ ଦୁର୍ଗାପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା । ଧନୀ, ନିର୍ଦ୍ଧନ, ଉଚ୍ଚନୀଚ ସମସ୍ତଙ୍କ ପାଇଁ ଏହି ସମୟ ଏକ ପ୍ରଲମ୍ବିତ ଅବକାଶର ସମୟ ।

ପବନର ଫୁତ୍‌କାରରେ ଉଚ୍ଚକିତ ହୋଇଉଠିଲେ ପୂର୍ବ ପ୍ରଦେଶର ରାଜଧାନୀର ଉତ୍ସବମୁଖର ଅଧିବାସୀମାନେ । ବେଳୁ ବେଳ ପବନର ପ୍ରକୋପ ପ୍ରବଳତର ହେଲା । ଡେଙ୍ଗା ଗଛମାନଙ୍କରୁ ଡାଳଗୁଡ଼ିକ ମଡ଼ମଡ଼ କରି ଭାଙ୍ଗିଲା । ଚଢ଼େଇମାନେ ଚିତ୍କାର କରି ଉଡ଼ି ଯାଉଥିଲେ ଗଛରୁ ଆକାଶକୁ । ପୁଣି ଫେରି ଆସୁଥିଲେ ଆଉ କୌଣସି ନିର୍ଭରଯୋଗ୍ୟ ମନେହେଉଥିବା ଆଶ୍ରୟ ସ୍ଥଳୀକୁ । କଲୋନୀର ଟିଣ ଛାତଗୁଡ଼ିକ ଆକାଶରେ ପତ୍ରପରି ଉଡ଼ିଲେ । ଶିଳାଦିତ୍ୟ ଉଠିବସିଲେ । ଟି.ଭି.ର ସୁଇଚ୍‌ ଅନ୍‍ କଲେ ।

ଦୂରଦର୍ଶନରୁ ବାରମ୍ବାର ପ୍ରଚାରିତ ହେଉଥିଲା ବଙ୍ଗୋପସାଗରରୁ ଉଠିଥିବା ଘୂର୍ଣ୍ଣିବାତ୍ୟା ଏବେ ମହାବାତ୍ୟାର ରୂପ ନେଇଛି । ପବନର ବେଗ ପ୍ରାୟ ତିନିଶହ କିଲୋମିଟର । ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହା ପ୍ରଭୂତ କ୍ଷୟକ୍ଷତି ସୃଷ୍ଟି କରିବ । ଆଗାମୀ ଚବିଶ ଘଣ୍ଟାଧରି ପ୍ରବଳରୁ ପ୍ରବଳତର ବୃଷ୍ଟି ହେବ । ସମୁଦ୍ରକୂଳ ଲଂଘି ଭୂପୃଷ୍ଠକୁ ମାଡ଼ି ଆସିବ ।

ଶିଳାଦିତ୍ୟଙ୍କ କ୍ୱାଟର ପଛପଟେ ଥିବା କୃଷ୍ଣଚୂଡ଼ା ଗଛର କେତୋଟି ଡାଳ ମଡ଼ମଡ଼ କରି ଭାଙ୍ଗିଲା । ପକ୍ଷୀ କେତୋଟି ଚେଁ ଚେଁ କରି ଉଡ଼ିଗଲେ ।

ସେ ଫୋନ ରିସିଭର ଉଠାଇଲେ । ଫୋନ୍‌ କାମ କରୁ ନଥିଲା । ତାଙ୍କ ମୁଣ୍ଡକୁ ହଠାତ୍‌ ବୁଦ୍ଧି ଜୁଟିଲା ।

 

ଡ୍ରାଇଭର ଆସି ନଥିଲା । ସେ ଗ୍ୟାରେଜରୁ ଗାଡ଼ି ବାହାର କଲେ ।

ସାବିତ୍ରୀ ଦେବୀ ଆଶିଂକତା ହୋଇ ବାରଣ୍ଡାକୁ ଦୌଡ଼ି ଆସି ଡାକ ପକାଇଲେ–ଏ ଝଡ଼ ତୋଫାନରେ କୁଆଡ଼େ ବାହାରିଲୁ ବାବୁ ?

 

‘ମୁଁ ଏଇଠୁ ଆସୁଛି’ କହି ସେ ଗାଡ଼ି ଷ୍ଟାର୍ଟ କରି ଚାଲିଯାଇଥିଲେ ।

ସାବିତ୍ରୀଦେବୀ ଜାଣନ୍ତି, ସେ ସବୁବେଳେ ଏମିତି ଅବୁଝା । ଯେତେ ଦୁଃସାହସିକ ପଦକ୍ଷେପ ହେଉ ପଛେ, ଥରେ ସ୍ଥିର କରିନେଲେ ଆଉ ପଛଘୁଞ୍ଚା ଦେବାର ନାହିଁ ।

 

ଏକ ଉଚ୍ଚ ଟାଙ୍ଗର ଭୂମି ଉପରେ ବିଜୟପ୍ରାପ୍ତ କରି ମୁଣ୍ଡ ଟେକିଥିଲା ଶିଳାଦିତ୍ୟଙ୍କ ସୁଦୃଶ୍ୟ ଭି.ଆଇ.ପି. କଲୋନୀ । ତା’ ତଳକୁ ସନ୍ତସନ୍ତିଆ ଅରମା ଜାଗାରେ ଗଢ଼ିଉଠିଥିଲା ଝୋମ୍ପଡ଼ି ଭରା ବସ୍ତିଟିଏ । କିଏ ତା’ର ନାମକରଣ କରିଥିଲା ‘ବାପୁ ନଗର’ ତାହା କହିବା ମୁସ୍କିଲ ।

 

ଝାଟିମାଟି, ଟିଣର ଅସ୍ଥାୟୀ ଘରମାନଙ୍କରେ ଏଠି ବାସ କରନ୍ତି ନିମ୍ନବର୍ଗର ଲୋକମାନେ । ଏହି କଲୋନୀର ବାସିନ୍ଦା ମୁଖ୍ୟତଃ ଧୋୟା ଅଞ୍ଚଳର ପ୍ରଳୟଙ୍କରୀ ବନ୍ୟାରେ ବାସ୍ତୁହରା କିଛି ଲୋକ । ରାଜଧାନୀରେ ବାବୁଭାୟାମାନଙ୍କ ଘରେ ବଗିଚା କାମକରିବା, ରୋଷେଇ କରିବା, ବାସନ ମାଜିବା ପ୍ରଭୃତି ଯାବତୀୟ ଛୋଟ କାମକୁ ଆଦରି ନେଇଥିଲେ ସେମାନେ–ଯାହାକି ସ୍ଥାନୀୟ ଲୋକମାନେ ହାତଦେବାକୁ କୁଣ୍ଠା ପ୍ରକାଶ କରୁଥିଲେ । ଏମାନଙ୍କ ମଧ୍ୟରୁ ଅନେକ ରିକ୍ସା ଚଲାଇବା, ରାସ୍ତାଘାଟ କିମ୍ବା କୋଠାବାଡ଼ି ନିର୍ମାଣ ପ୍ରଭୃତି ପରିଶ୍ରମ ସାପେକ୍ଷ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ ।

 

ବସ୍ତିର ଅଧିକାଂଶ ଘରର କାନ୍ଥ କଞ୍ଚାମାଟିରେ ତିଆରି । ଘର ଉପରେ କେରପାଲ, ଜରି ଏବଂ କାଁଭାଁ ଟିଣ, ଟାଇଲ ବା ଆଜବେଷ୍ଟସ ଦେଇ ଛାତ ତିଆରି ହୋଇଥିଲା । ପବନରେ ଉଡ଼ି ନ ଯିବାପାଇଁ ତା’ ଉପରେ କାଠ କିମ୍ବା ପଥର ମଡ଼ା ଦିଆଯାଇଥିଲା । ଅଧିକାଂଶଙ୍କ ଘରେ ଝରକା ନ ଥିଲା । କବାଟଗୁଡ଼ିକ ତାଳ, ଖଜୁରୀ ପତ୍ରର ତାଟି ବା ଟିଣରେ ତିଆରି ହୋଇଥିଲା । କିଛି ଘରେ ରେଳଡ଼ବାରୁ ଚୋରି କରି ଅଣା ହୋଇଥିବା କବାଟ, ଝରକା ଲାଗିଥିଲା । କେତେକ ନିପାରିଲା ଲୋକଙ୍କ ଦ୍ୱାର କେବଳ ଅଖା ବା ମସିଣାରେ ନିବୁଜ କରା ହୋଇଥିଲା । ଏହି ଅପରିଚ୍ଛନ୍ନ ଭୂଇଁରେ ଲୋକଲୋଚନର ଅନ୍ତରାଳରେ ଚାଲିଥିଲା ଆହାର, ନିଦ୍ରା, ମୈଥୁନ ଏବଂ ପ୍ରଜନନର ପ୍ରକ୍ରିୟା ।

 

ଏହି ହେଲା ଭି.ଆଇ.ପି. କଲୋନୀ ସହ ଏକ ସଙ୍ଗେ ଗଢ଼ିଉଠିଥିବା ‘ବାପୁ ନଗର’ ବସ୍ତି-। ଭି.ଆଇ.ପି. କଲୋନୀ ସମେତ ରାଜଧାନୀର ଅନ୍ୟ ଅଭିଜାତ କଲୋନୀମାନଙ୍କୁ ସରସ ସୁନ୍ଦର କରିବା ପାଇଁ ତା’ର ଅବଦାନ ଥିଲା ଅମାପ ।

 

ବାପୁ ନଗର ବାଟଦେଇ ଅଫିସ୍‌ ଗଲାବେଳେ ତା’ର ଦୟନୀୟ ଦୃଶ୍ୟ ତାଙ୍କ ଆଖିରେ ପଡ଼ିଛି । ଅବଶ୍ୟ ବହୁ ବର୍ଷ ତଳେ ସେହି ବସ୍ତିଭିତରକୁ ଯିବାପାଇଁ ତାଙ୍କୁ ଏକ ସୁଯୋଗ ମିଳିଥିଲା । ସେଦିନ ଥିଲା ସ୍ୱାଧୀନତା ଦିବସ ।

 

ଅଫିସ୍‌ ପତାକା ଉତ୍ତୋଳନ ପରେ ସେ ବାଟ ଦେଇ ଗାଡ଼ି ନେଇ ଫେରୁଥିଲେ । ସେଠି ରାସ୍ତା ଅବରୋଧ କରି ଦଳେ ପିଲା ଠିଆ ହୋଇଥିଲେ । ସେ ଭାବିଲେ, ବୋଧେ ଚାନ୍ଦା ମାଗିବା ପାଇଁ କଲୋନୀର ପିଲାମାନେ ରାସ୍ତା ଅବରୋଧ କରିଛନ୍ତି । ବାଟ ଛାଡ଼ିବା ପାଇଁ ବାରମ୍ବାର ହର୍ଣ୍ଣ ବଜାଉଥିବା ଡ୍ରାଇଭରକୁ ଗାଡ଼ି ରଖିବାପାଇଁ ସେ ନିର୍ଦ୍ଦେଶ ଦେଲେ ।

 

–କଥା କ’ଣ ? ପିଲାମାନଙ୍କୁ ପ୍ରଶ୍ନ କଲେ ।

–ସାର୍‌, ଆମର କ୍ଲବ୍‌ର ପତାକା ଉତ୍ତୋଳନ ଏ ପର୍ଯ୍ୟନ୍ତ ହେଇନି । ଆମର କାଉନସିଲ୍‌ର ଆସିବେ କହି ଆସିଲେନି–ଜଣେ ପିଲା ଉତ୍ତର ଦେଲା ।

 

–ଆପଣ ଚାଲନ୍ତୁ । ଆଉ ଜଣେ ତା’ର ବାକ୍ୟକୁ ପୂରଣ କଲା ।

ଶିଳାଦିତ୍ୟ ସ୍ମିତ ହସ ସହ କହିଲେ–ଓଃ, ଏହି କଥା ଚାଲ ।

 

ପତାକା ଉତ୍ତୋଳନ ହେଲା । ଭାରତ ମାତା କି ଜୟ, ଚାଚା ନେହେରୁ କି ଜୟ, ବନ୍ଦେ ମାତରମ ପ୍ରଭୃତି ଧ୍ୱନିରେ କଲୋନୀ କମ୍ପିଲା । ଶେଷରେ ଜଣେ ଉତ୍ସାହୀ ବାଳକ ହନୁମାନ କ୍ଲବ୍‌ କି ଜୟ ଧ୍ୱନି ଦେବାକୁ ନିଜର କର୍ତ୍ତବ୍ୟ ମଣି ଥିଲା ।

 

ଶିଳାଦିତ୍ୟ କହିଲେ–ମୁଁ ଭାଷଣରେ ବିଶ୍ୱାସ କରେନି । ଆଜି ଭଳି ପବିତ୍ର ଦିବସରେ ତୁମେମାନେ କେବଳ ଏତିକି ପ୍ରତିଜ୍ଞା କର ଯେ ଭଲ ପାଠ ପଢ଼ିବ ଏବଂ ଭଲ ମଣିଷ ହେବ ।

 

କାର୍ଯ୍ୟକ୍ରମ ଶେଷରେ ବଣ୍ଟାହେଲା ବୁନ୍ଦି ଲଡ଼ୁ । ଶିଳାଦିତ୍ୟଙ୍କ ଭାଗରେ ମଧ୍ୟ ଗୋଟିଏ ଲଡ଼ୁ ପଡ଼ିଥିଲା । ତା’ ଉପରେ କଳା ପିମ୍ପୁଡ଼ିଟିଏ ଚାଲୁଥିଲା । ପିମ୍ପୁଡ଼ିଟିକୁ ଟିପରେ ଅଲଗା କରି ସେ ମହା ଆନନ୍ଦରେ ଲଡ଼ୁଟିକୁ ଗଳାଧଃକରଣ କରିଥିଲେ ।

 

ଘରେ ଆସି ମା’ଙ୍କୁ କହିଲେ–ମା’ ଆଜି ଲଡ଼ୁ ଖାଇବାକୁ ମିଳିଲା ।

–କେଉଁଠି ?

–ବାପୁ ନଗର କ୍ଲବ୍‌ର ପିଲାମାନେ ମତେ ହାଇଜାକ କରିନେଇଥିଲେ ।

 

ତା’ପରେ ସେଦିନର ପତାକା ଉତ୍ତୋଳନର ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ । ହସି ହସି କହିଲେ–ପିମ୍ପୁଡ଼ି ଚାଲୁଥିବା ଲଡ଼ୁଟାକୁ ଖାଇଦେଲି ।

 

ଓଃ, ତୋ’ର ତ ଲଡ଼ୁ ଖାଇବାକୁ ଖୁବ୍‌ ଲୋଭ । ତୁ ପିଲାଦିନେ ଗଣେଶ ପୂଜା ସରିବା ପୂର୍ବରୁ ଲଡ଼ୁ ଖାଇ ଦେଉଥିଲୁ ।

 

ରାସ୍ତାରେ ଗଛଡ଼ାଳ, ଟେଲିଫୋନ ଖୁଣ୍ଟ ସବୁ ଇତସ୍ତତଃ ହୋଇପଡ଼ିଥିଲେ । ଗାଈଗୋରୁ କେତୋଟି ଲାଞ୍ଜ ଉପରକୁ କରି ସୁରକ୍ଷିତ ଆଶ୍ରୟ ସନ୍ଧାନରେ ଦୌଡ଼ିଥିଲେ । ଦୋଳାୟମାନ ବୃକ୍ଷ ଡାଳରେ ପକ୍ଷୀମାନେ କୁଙ୍କୁରି କାଙ୍କୁରି ହୋଇ ଲାଖି ରହିଥିଲେ ।

 

ପ୍ରବଳ ବର୍ଷାରେ ଗାଡ଼ିର କାଚ ବାଟେ ସବୁକିଛି ଅସ୍ପଷ୍ଟ ଦିଶୁଥିଲା । ସବୁ ପ୍ରତିବନ୍ଧକ ଏଡ଼ାଇ ସେ ପହଞ୍ଚିଲେ ଟ୍ରାନ୍‌ସପୋର୍ଟ ଅଫିସରେ । ଦୁଇ ତିନୋଟି ସରକାରୀ ବସ୍‌ ଠିଆ ହୋଇଥିଲା । ସେଥିରେ କୌଣସି ଷ୍ଟାଫ୍‌ ନଥିଲେ । ଅଫିସରେ ମ୍ୟାନେଜର ନଥିଲେ । ଅଫିସର ନିବୁଜ କୋଠରୀରେ କେତେଜଣ ଷ୍ଟାଫ ମୁଣ୍ଡ ଗୁଞ୍ଜି ଥିଲେ ।

 

ଗାଡ଼ି ଦୁଇଟିର ଡ୍ରାଇଭରକୁ ସେ ଖୋଜି ବାହାର କଲେ । ନିର୍ଦ୍ଦେଶ ଦେଲେ ଗୋଟିଏ ଗାଡ଼ି ବାପୁଜୀ ନଗର ଓ ଅନ୍ୟଟି ସତ୍ୟନଗର ବସ୍ତିକୁ ତୁରନ୍ତ ଯିବ । ବସ୍ତି ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନମାନଙ୍କୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ ।

 

ଷ୍ଟାଫମାନଙ୍କ ଆଡ଼ୁ ସମ୍ମିଳିତ ପ୍ରତିବାଦର ସ୍ୱର ଶୁଭିଲା ସାର୍‌, ଏ ଆମର କାମ ନୁହେଁ । ଏ ଝଡ଼ ତୋଫାନରେ ଆମେ ଏ କାମ କାହିଁକି କରିବାକୁ ଯିବୁ ?

 

–ଦେଖ, କଥା ନ ମାନିଲେ ସମସ୍ତଙ୍କୁ ମୁଁ ସସ୍‌ପେଣ୍ଡ କରିବି । ଏହା ମୋର ଅର୍ଡର ।

କମିଶନର ଆସିଥିବା କଥା ଶୁଣି ମ୍ୟାନେଜର ପହଞ୍ଚି ଯାଇଥିଲେ ।

 

ତାଙ୍କୁ ଶିଳାଦିତ୍ୟ ନିର୍ଦ୍ଦେଶ ଦେଲେ ତମେ ଗୋଟିଏ ବସ ନେଇ ସତ୍ୟନଗର ବସ୍ତି ଚାଲ-। ମୁଁ ଅନ୍ୟଟିରେ ବାପୁଜୀ ନଗର ଯାଉଛି । ବସ୍ତିର ଲୋକଙ୍କୁ ଧରି ପାଖ ସ୍କୁଲ, କଲେଜ ପରିସରମାନଙ୍କରେ ଛାଡ଼ିବ ।

 

ବାପୁ ନଗର ଧ୍ୱଂସ ଲୀଳା ଆଖିରେ ପଡ଼ିଲା । କେତେ ମାଟିଘର ଧୂଳିସାତ ହୋଇଯାଇଥିଲା । ଅଖା, ତାର୍ପୁଲିନ ଓ ଟିଣଢ଼ଙ୍କା ଛାତଗୁଡ଼ିକ ଉଡ଼ି ଯାଇଥିଲା । ବସ୍ତିର ଶତାୟୁ ବଟବୃକ୍ଷଟି ମୂଳୋତ୍ପାଟିତ ହୋଇଥିଲା ।

 

ବସ୍ତିର ଅଧିବାସୀମାନେ ବସ୍ତିମୁଣ୍ଡରେ ଥିବା ଶିବ ମନ୍ଦିରରେ ଏକତ୍ରିତ ହୋଇଥିଲେ । ଆରମ୍ଭ ହୋଇଯାଇଥିଲା ଅଖଣ୍ଡ କୀର୍ତ୍ତନ । ମନ ଭିତରେ ପ୍ରାଣାନ୍ତକ ଭୀତି ଗୁଡ଼େଇ ତୁଡ଼େଇ ହେଉଥିଲେ ମଧ୍ୟ ସେମାନେ ଆଶା ବାନ୍ଧିଥିଲେ ଯେ ଏମିତି କେତେ ଝଡ଼ ଆସିଛି ଏବଂ ଯାଇଛି । ଏଥର ମଧ୍ୟ ଶିବଶମ୍ଭୁ ସାହା ହେବେ ।

 

ପୁରୁଖା ଲୋକେ କଥାବାର୍ତ୍ତା ହେଉଥିଲେ ମାଳିକାର ବଚନ ସତ୍ୟ ହେବାକୁଯାଉଛି । ପ୍ରଳୟ ଆସିବ । କଳିକାଳର ଅନ୍ତ ହେବ । ସତ୍ୟଯୁଗ ଆସିବ ।

 

ଶିବ ପ୍ରଳୟର ଭଗବାନ । ଏ ବିପଦ ସମୟରେ ତାଙ୍କର ଆରାଧନା ଛଡ଼ା ଅନ୍ୟ ଗତି ନାହିଁ ।

 

ଶିଳାଦିତ୍ୟ ସେମାନଙ୍କୁ ଯାଇ ବୁଝାଇଲେଏ ମନ୍ଦିରର ଛାତ ସୁଦୃଢ଼ ନୁହେଁ । ଯେକୌଣସି ମୁହୂର୍ତ୍ତରେ ଏହା ଉଡ଼ି ଯାଇପାରେ । ବାତ୍ୟା ଆହୁରି ପ୍ରଳୟଙ୍କରୀ ରୂପ ନେଉଛି । ଆପଣମାନେ ମୋ’ କଥା ମାନନ୍ତୁ । ଏହି ବସରେ ପାଖ ୟୁନିଟମାନଙ୍କୁ ଚାଲନ୍ତୁ ।

 

କିଛି ଯୁବକଙ୍କ ସହାୟତାରେ ବସ୍ତି ଲୋକଙ୍କୁ ସେ ଠୁଳ କରାଇଲେ । କିଛି ଲୋକଙ୍କୁ ନେଇ ସ୍କୁଲ ଘରେ ରଖାଇଲେ । ନିଜର କିଛି ପଡୋଶୀଙ୍କୁ ଅନୁରୋଧ କରି ତାଙ୍କ ଗ୍ୟାରେଜମାନଙ୍କରେ କିଛି ଲୋକଙ୍କୁ ଥଇଥାନ କରାଇଲେ ।

 

ତାଙ୍କ ନିଜ ଗ୍ୟାରେଜରେ ରହିଲେ ସୁନା ଓ ରୂପା ଦୁଇ ଝିଅଙ୍କର ପରିବାର ।

ଲୋକମାନଙ୍କୁ ଥଇଥାନ କରି ଫେରୁ ଫେରୁ ଅର୍ଦ୍ଧରାତ୍ରି ହୋଇଯାଇଥିଲା । ସେତେବେଳେ ଯାଇ ସାବିତ୍ରୀ ଦେବୀଙ୍କ ପିଣ୍ଡରେ ପ୍ରାଣ ପଶିଲା ।

 

ରାତିରେ ବାହାର ଜଗତ ସହ ସବୁ ସଂପର୍କ ଛିନ୍ନ ହୋଇଗଲା । ବିଦ୍ୟୁତ୍‌ ସରବରାହ ଚାଲିଗଲା ପରେ ଜଳଯୋଗାଣ ମଧ୍ୟ ବନ୍ଦ ହୋଇଗଲା ।

 

ଶିଳାଦିତ୍ୟ ନିଜ ବେଡ଼ରୁମ୍‌ରେ ଚୁପଚାପ ଶୋଇ ଆଗାମୀ ଦିନର କାର୍ଯ୍ୟପନ୍ଥା ସଂପର୍କରେ ଚିନ୍ତା କରୁଥିଲେ । ଭାବୁଥିଲେ, ଏଠି ସହରର ଅବସ୍ଥା ଏପରି । ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଧ୍ୱଂସଲୀଳା ଘଟି ନଥିବ ! ନିଜ କ୍ୟାରିୟରରେ ସେ ଅନେକ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇ ବିଷର୍ଣ୍ଣ ହୋଇଛନ୍ତି । କିନ୍ତୁ ଲୋକଲୋଚନର ଅନ୍ତରାଳରେ କେତେ କେତେ ଦୀନହୀନ ଲୋକ ଅହୋରାତ୍ର ସଂଘର୍ଷ ଜାରି ରଖିଛନ୍ତି । ତା’ର ହିସାବ କିଏ ରଖୁଛି ?

 

ସରକାରଙ୍କ ଆନୁକୂଲ୍ୟରେ ବଙ୍ଗଲୋ ମିଳିଛି, ଗାଡ଼ି ମିଳିଛି । ଘରେ କାମ ପାଇଁ ମୁତୟନ ହୋଇଛନ୍ତି ଚାକରବାକର, ଦପ୍ତରି । ବଗିଚାରେ ଖଟିବା ପାଇଁ ମାଳୀ । ସେଥିପାଇଁ ସାମାନ୍ୟ ଅସୁବିଧା ହେଲେ ଅଭିଜାତ ବର୍ଗର ଲୋକେ ଅଧୀର ହୋଇପଡ଼ନ୍ତି । ଏହି ଟିକିଏ ଟିକିଏ ଅସୁବିଧାକୁ ଦୁର୍ବିପାକର ରୂପ ଦେଉଛନ୍ତି । କିନ୍ତୁ ଏଭଳି ଦୁର୍ବିପାକ ଯେ ଅବହେଳିତ ଲୋକଙ୍କ ଜୀବନରେ ପ୍ରତ୍ୟେକ ଦିନ ସଂଘଟିତ ହେଉଛି, ଆଜି ସେ ପ୍ରଥମ କରି ଏତେ ନିକଟରୁ ଦେଖିବାକୁ ପାଇଲେ ।

 

ତାଙ୍କର ମନେପଡ଼ୁଥିଲା ନଷ୍ଟ୍ରାଡ଼ାମସଙ୍କର ଭବିଷ୍ୟତ ବାଣୀ । ସହସ୍ରାବ୍ଦୀର ଶେଷରେ ଆସିବ ଆପୋକାଲିପ୍ସ । ଧରା ରସାତଳକୁ ଚାଲିଯିବ । ସେତେବେଳେ ସଂସାରରେ ସ୍ଥାବର, ଜଙ୍ଗମ କିଛି ନଥିବ । ଚାରିଆଡ଼େ ଦୃଶ୍ୟ ହେଉଥିବ ଖାଲି ଶୂନ୍ୟ, ଶୂନ୍ୟ, ମହାଶୂନ୍ୟ । ନ ଥିବ ପବନ-। ନ ଥିବ ଇଥର । ନ ଥିବ ସ୍ଥିତି । ନ ଥିବ ସ୍ମୃତି । ନ ଥିବ ବିସ୍ମୃତି । କେବଳ ବିରାଜୁଥିବ ନୀରବତା, ଅଖଣ୍ଡ ନୀରବତା ।

 

ନଷ୍ଟ୍ରାଡ଼ାମସଙ୍କ ଭବିଷ୍ୟତ ବାଣୀ ସହ ମାଳିକାର ବଚନକୁ ତୁଳନା କରୁ କରୁ କେତେବେଳେ ତାଙ୍କର କ୍ଳାନ୍ତ ଆଖିପତା ମୁଦି ହୋଇଯାଇଥିଲା ।

•••

 

(୩)

 

ସାବିତ୍ରୀ ଦେବୀ ଶିଳାଦିତ୍ୟଙ୍କୁ ଆଇ.ସି.ୟୁରେ ଏକା ଜଗିକରି ବସିଥିଲେ । ଚବିଶ ଘଣ୍ଟାରୁ ଅଧିକ ବିତି ଯାଇଥିଲେ ବି ତାଙ୍କର ଚେତନା ଫେରି ନଥିଲା । ତାଙ୍କ ଶରୀରରେ ନାସାରନ୍ଧ୍ର ଦେଇ ଦୁଇଟି ଟ୍ୟୁବ୍ ଲାଗି ଥିଲା ଗୋଟିଏ ପାକସ୍ଥଳୀକୁ ଖାଦ୍ୟ ପାଇଁ ଓ ଅନ୍ୟଟି ଶ୍ୱାସଯନ୍ତ୍ରକୁ ଅମ୍ଳଜାନ ପାଇଁ । କ୍ୟାଥେଟର ସଂଯୁକ୍ତ ହୋଇଥିଲା ପରିସ୍ରା ନିର୍ଗତ ହେବା ପାଇଁ ।

 

ଡାକ୍ତର ମଝିରେ ମଝିରେ ଆସି ଦେଖିକରି ଚାଲିଯାଉଥିଲେ । ନର୍ସ ସଦାସର୍ବଦା ପାଖେ ପାଖେ ଜଗି ରହୁଥିଲେ ।

 

ସାବିତ୍ରୀ ଦେବୀ ଷାଠିଏ ବର୍ଷ ବୟସରେ ପଦାର୍ପଣ କଲେଣି । ରୁଗ୍‌ଣ, ଜୀର୍ଣ୍ଣଶୀର୍ଣ୍ଣ ଶରୀର । ତଥାପି ତାଙ୍କର ମନୋବଳ ଭାଙ୍ଗି ପଡ଼ି ନଥିଲା ।

 

ହସ୍ପିଟାଲରେ ଭର୍ତ୍ତିହେବାପରେ ଶିଳାଦିତ୍ୟଙ୍କୁ ଦେଖିବାକୁ ଆସିଥିବା ଶୁଭେଚ୍ଛୁଙ୍କ ସଂଖ୍ୟା ଥିଲା ନଗଣ୍ୟ । ତାଙ୍କର ଉପରିସ୍ଥ ଅଧିକାରୀମାନେ ସତେ ଯେପରି ତାଙ୍କୁ ବୟକଟ କରିଥିଲେ । ସୁତନୁ ବହିଦାରଙ୍କ ସମେତ ଅଳ୍ପ କିଛି ସହକର୍ମୀ ଆସିଥିଲେ ।

 

ତାଙ୍କର ଦୁର୍ଘଟଣା ଖବର ପାଇ ଅବଶ୍ୟ ହସ୍ପିଟାଲ ଲୋକାରଣ୍ୟ ହୋଇଯାଇଥିଲା । କିନ୍ତୁ ଭିଡ଼ କରିବା ଲୋକମାନଙ୍କ ମଧ୍ୟରେ ଥିଲେ ସମ୍ବାଦପତ୍ର ଓ ଦୂରଦର୍ଶନର ପ୍ରତିନିଧି ଓ କ୍ୟାମେରାମ୍ୟାନ୍‌ମାନେ । ପୋଲିସ ପହଞ୍ଚି ସେ ଭିଡ଼କୁ ନିୟନ୍ତ୍ରଣ କରିଥିଲା ।

 

ସାବିତ୍ରୀଦେବୀ ଭାବୁଥିଲେ, ସୁଖର ଦିନମାନଙ୍କରେ ଲୋକେ ଧାଡ଼ି ଲଗାନ୍ତି । ସୁବିଧା ସୁଯୋଗ ପାଇବା ପାଇଁ ଚାରିପାଖେ ହାଉଯାଉ ହୁଅନ୍ତି । ଦୁଃଖର ଦିନଗୁଡ଼ିକରେ କେହି ଧରାଛୁଆଁ ଦିଅନ୍ତି ନାହିଁ ।

 

ମନେ ମନେ ଭଗବାନଙ୍କୁ ପଚାରୁଥିଲେ ଏହା କି ପ୍ରକାର ନ୍ୟାୟ ? ବାଳୁତ ଅବସ୍ଥାରେ ଶିଳାଦିତ୍ୟ ପିତାଙ୍କୁ ହରାଇଥିଲେ । ଅନେକ କଷ୍ଟ ସ୍ୱୀକାର କରି ସେ ତାଙ୍କର ଲାଳନପାଳନ କରିଥିଲେ । ବଡ଼ ଚାକିରୀ ପାଇବା ପରେ ସେ କେତେ ଯେ ସୁଖର କଳ୍ପନା କରିଥିଲେ । ଭାବିଥିଲେ, ରାଜରାଣୀ ପରି ଅଏସ୍‌ କରିବେ । ସେ ଆଶା ଆଶାରେ ହିଁ ରହିଗଲା ।

 

ଲକ୍ଷ୍ମୀପରି ବୋହୂ ଆଣିଥିଲେ । ବୋହୂ ହାତପରଷା ଖାଇବା ତାଙ୍କ ଭାଗ୍ୟରେ ଜୁଟିଲା ନାହିଁ । ଦେବଶିଶୁ ପରି ଦୁଇଟି ନାତି ଜନ୍ମ ହୋଇଥିଲେ । ତାଙ୍କୁ କୋଳରେ ଧରି ଖେଳାଇବାର ଅବସର ମିଳିଲା ନାହିଁ । ପୁତ୍ର ଓ ପୁତ୍ରବଧୂଙ୍କର ବିବାହ ବିଚ୍ଛେଦ ଯୋଗୁଁ କେହି ପାଖରେ ରହିଲେ ନାହିଁ ।

 

ସେ ଭାବୁଥିଲେ ଯେ ପୁଅର ଅଧ୍ୟାପକ ଚାକିରୀ ବେଶ ଭଲ ଥିଲା । ସେତେବେଳେ ସେ ସଦାସର୍ବଦା ହସହସ ଦିଶୁଥିଲା । ମନରେ ତା’ର ଭରିଥିଲା ଏକ ଅପୂର୍ବ ପ୍ରଶାନ୍ତି ।

 

କିନ୍ତୁ ଏତେବଡ଼ ଚାକିରୀରେ ପଶି ସେ ଦିନେକାଳେ ଶାନ୍ତିରେ ରହିପାରିଲା ନାହିଁ । ସବୁ ସ୍ଥାନରେ ବଡ଼ ବଡ଼ ବଙ୍ଗଲୋ । ଚାକର, ପୂଜାରୀ, ମାଳୀ ହୁକୁମ ମାନିବା ପାଇଁ ସର୍ବଦା ତତ୍ପର । ସବୁବେଳେ ଗୋଡ଼ାଣିଆ ଲୋକମାନେ ଆଗରେ ପଛରେ ହାଉଯାଉ । କ୍ଷମତା ଅସୀମ । କିନ୍ତୁ କେବେ ତାକୁ ସେ ଶାନ୍ତିରେ ରହିବା ଦେଖି ପାରିଲେ ନାହିଁ ।

 

କର୍ମକ୍ଷେତ୍ରରେ ସେ ପ୍ରିୟପାତ୍ର ଥିଲେ । ତଥାପି ତାଙ୍କ ଉପରେ ଏଭଳି କିଏ ଦାଉ ସାଧିଲା, ସେ ଚିନ୍ତା କରିପାରୁ ନଥିଲେ ।

 

ପୋଲିସ ଅନୁସନ୍ଧାନ ପରିପ୍ରେକ୍ଷୀରେ ତାଙ୍କୁ ପ୍ରଶ୍ନ ହୋଇଥିଲା ଏତେ ସକାଳୁ ଶିଳାଦିତ୍ୟ କୁଆଡ଼େ ଯାଇଥିଲେ ?

 

ସେ ପ୍ରାୟ ପ୍ରତିଦିନ ଭୋର ପାଞ୍ଚଟାରୁ ମର୍ଣ୍ଣିଂ ୱାକ୍‌ରେ ଯାଏ । ସେଦିନ ମଧ୍ୟ ବ୍ୟତିକ୍ରମ ନଥିଲା । ସାବିତ୍ରୀଦେବୀ କହିଥିଲେ ।

 

–ସେ କ’ଣ ଏକା ଏକା ଯାଆନ୍ତି ?

–ହଁ ।

–ତାଙ୍କର କେହି ଶତ୍ରୁ ଅଛନ୍ତି ବୋଲି ଆପଣ ଭାବୁଛନ୍ତି ?

–ମୋ’ ଜାଣିବାରେ ନାହିଁ–ଟିକିଏ ଚିନ୍ତାକରି କହିଲେ ସେ ।

 

ସୁତନୁ ବହିଦାର ଶିଳାଦିତ୍ୟଙ୍କ ସହକର୍ମୀ । ଏକା ବ୍ୟାଚରେ ଆଇ.ଏ.ଏସ. ପାଇଥିଲେ-। ତାଙ୍କୁ ଲକ୍ଷ୍ୟ କରି ପୋଲିସ ଇନ୍ସପେକ୍ଟର ତଦ୍ରୂପ ପ୍ରଶ୍ନ କଲେ ।

 

ସୁତନୁ କହିଥିଲେ ପବ୍ଲିକ୍‌ ସର୍ଭିସରେ ରହିଲେ ସବୁ ଲୋକଙ୍କୁ ସନ୍ତୁଷ୍ଟ କରି ହୁଏନି । ନିୟମ ଅନୁସାରେ କାମ କଲେ କିଛି ଲୋକ ବିରୋଧ କରନ୍ତି । କିଏ ତାଙ୍କର ଶତ୍ରୁ ଠିକ୍‌ ଭାବେ କେମିତି କହି ହେବ ? ଏବେ କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଉପରେ କିଛି ସେ ପଦକ୍ଷେପ ନେଇଥିଲେ କି ?

 

–ମହାବାତ୍ୟା ସମୟରେ ଟ୍ରାନ୍ସପୋର୍ଟ କର୍ମଚାରୀମାନେ ତାଙ୍କୁ ବିରୋଧ କରି ଧର୍ମଘଟ କରିଥିଲେ । ଶିଳାଦିତ୍ୟଙ୍କ ବାତ୍ୟା ସଂପର୍କିତ କେତୋଟି ସମ୍ବାଦପତ୍ର ବିବରଣୀ କେତେ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ଷୁଶୂଳ ହୋଇଥାଇପାରେ ।

 

ନର୍ସ ପୋଲିସ ଇନ୍ସପେକ୍ଟର ଓ ଅନ୍ୟମାନଙ୍କୁ ଶାନ୍ତିରକ୍ଷା କରିବାପାଇଁ ଇଙ୍ଗିତ ଦେଇଥିଲେ । ସେଦିନ ଅନୁସନ୍ଧାନ ସେତିକିରେ ସୀମିତ ଥିଲା ।

 

ସଂଧ୍ୟା ସମୟରେ ଅଳ୍ପ ସମୟ ପାଇଁ ସାବିତ୍ରୀ ଦେବୀ ଡ୍ରାଇଭରକୁ କିଛି ନିର୍ଦ୍ଦେଶ ଦେବାପାଇଁ ବାହାରକୁ ଯାଇଥିଲେ । ଆଖିରେ ପଡ଼ିଲା ସିଟି ହସ୍‌ପିଟାଲର ଶୋଚନୀୟ ଦୃଶ୍ୟ । କାନ୍ଥଗୁଡ଼ିକ ଚିତ୍ରିତ ହୋଇଥିଲା ପାନଛେପରେ । ଷ୍ଟେୟାର କେସ୍‌ର ତଳେ ଆବର୍ଜନା ଭରିଥିଲା । ବାରଣ୍ଡାରେ ଦୁଇଟି କୁକୁର ନିଜ ନିଜ ମାଲିକାନା ସାବ୍ୟସ୍ତ କରିବାପାଇଁ ଖେମଟା ଖେମଟିରେ ବ୍ୟସ୍ତ ଥିଲେ । ଗେଟ୍‌ ପାଖରେ ବୁଲା ଷଣ୍ଢଟିଏ ଶୋଇ ନିଶ୍ଚିନ୍ତରେ ପାକୁଳି କରୁଥିଲା । ରାଜଧାନୀ ହସ୍‌ପିଟାଲର ଅଧୋଗତି ବିଷୟ ଭାବି ଭାବି ସେ ମନେମନେ ବଡ଼ କଷ୍ଟ ପାଉଥିଲେ । ଗାଡ଼ି ପାଖରେ କେତେକ ଗରିବ ଲୋକ ଭିଡ଼ କରିଥିଲେ । ସେମାନଙ୍କ ମଧ୍ୟରେ ସେ ସୁନା ଓ ରୂପାକୁ ଚିହ୍ନିପାରି ପାଖକୁ ଡ଼ାକିଲେ । ପଚାରିଲେ କାହାକୁ ଖୋଜୁଛ ପିଲାମାନେ ?

 

–ସାହେବଙ୍କୁ ଦେଖିବାକୁ ଯିବୁ । ଦରୱାନ ଛାଡ଼ୁନି ।

ତାଙ୍କ ଦୁହିଁଙ୍କ ହାତରେ ଥିଲା ଦୁଇଟି ଫୁଲତୋଡ଼ା । ଅରଖ ଫୁଲ, ଗେଣ୍ଡୁ ଫୁଲ ଓ ଦେବଦାରୁ ପତ୍ରରେ ତିଆରି ଦୁଇଟି ଫୁଲତୋଡ଼ା ।

 

ସାବିତ୍ରୀ ଦେବୀଙ୍କ ଆଖି ଛଳଛଳ ହୋଇଗଲା । ସେ ତାଙ୍କର ମୁଣ୍ଡ ସାଉଁଳାଇ ଦେଲେ-। କହିଲେ ଫୁଲତୋଡ଼ା ମୋତେ ଦେଇଦିଅ । ଏବେ ଡାକ୍ତର କାହାକୁ ଭିତରକୁ ଯିବାକୁ ମନା କରିଛନ୍ତି ।

 

–ଆମେ ସାହେବଙ୍କୁ ଦେଖାଶୁଣା କରିବାକୁ ଆସିବୁ–ସୁନା କହିଲା ।

–ଆପଣ ଏକା ଏକା କେତେ କରିବେ ? ରୂପା ପାଳି ଧରିଲା ।

 

ସାବିତ୍ରୀ ଦେବୀଙ୍କ ବାକ୍‌ରୁଦ୍ଧ ହୋଇଗଲା । କିଛି ସମୟ ପରେ କହିଲେ ତୁମକୁ ପରେ ଡ଼ାକିବି । ଭଗବାନ ତୁମର ମଙ୍ଗଳ କରନ୍ତୁ ।

•••

 

(୪)

 

ଶିଳାଦିତ୍ୟଙ୍କ ଦୁର୍ଘଟଣା ଏବଂ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସବୁ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ସ୍ଥାନିତ ହୋଇଥିଲା । ସେହି ଖବର ପାଇ ତାଙ୍କୁ ଦେଖିବାକୁ ଆସିଥିଲେ ମନସ୍ୱିନୀ-

 

ଆଇ.ଏ.ଏସ୍‌. ପାଇବା ପୂର୍ବରୁ ଶିଳାଦିତ୍ୟ ଦୁଇବର୍ଷ କଲେଜରେ ଅଧ୍ୟାପକ ଥିଲେ । ସେହି ସମୟରେ ମନସ୍ୱିନୀ ତାଙ୍କ ଛାତ୍ରୀ ଥିଲେ ।

 

ଛାତ୍ରଛାତ୍ରୀମାନଙ୍କର ସେ ଥିଲେ ବଡ଼ ପ୍ରିୟ ଅଧ୍ୟାପକ । ତେଣୁ ତାଙ୍କ କ୍ଲାସରେ ଅନ୍ୟ ବିଷୟର ଛାତ୍ରଛାତ୍ରୀମାନେ ମଧ୍ୟ ଆସି ବସି ଯାଉଥିଲେ । ଆଗ ବେଞ୍ଚରେ ବସିବା ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ଏକରକମ ପ୍ରତିଦ୍ୱନ୍ଦିତା ଲାଗି ଯାଉଥିଲା ।

 

ଛାତ୍ରୀ ମହଲରେ ସେ ସଦାସର୍ବଦା ଚର୍ଚ୍ଚାରେ ରହୁଥିଲେ । ଏକେ ତ ଦେଖିବା ପାଇଁ ଦୀର୍ଘ, ସୁଠାମ ଶରୀର । ବକ୍ତୃତା ଦେବାରେ ସେ ଥିଲେ ଜଣେ ଯାଦୁକର । ତେଣୁ ଅନେକ ଛାତ୍ରୀ ତାଙ୍କ ସଂସ୍ପର୍ଶରେ ଆସିବା ପାଇଁ ବ୍ୟାକୁଳ ହୋଇ ଉଠିବା ସ୍ୱାଭାବିକ ଥିଲା ।

 

ଡିପାର୍ଟମେଣ୍ଟର ଏକ ପିକ୍‍ନିକ୍‌ରେ ଶିଳାଦିତ୍ୟଙ୍କ ସହ ତାଙ୍କର ଘନିଷ୍ଠତାର ସୂତ୍ରପାତ ହୋଇଥିଲା । ଶିମିଳିପାଳର ଲୁଲୁଂ ଥିଲା ପିକ୍‍ନିକ୍‍ର ସ୍ଥଳ । ଅଧ୍ୟାପକ ଓ ଛାତ୍ରଛାତ୍ରୀ ମିଶି ପ୍ରାୟ ଚାଳିଶି ଜଣ ସେଦିନ ଗୋଟିଏ ବସ୍‌ ନେଇ ଯାଇଥିଲେ ।

 

ଶିମିଳିପାଳର ନିଘଞ୍ଚ ଅରଣ୍ୟ ମଧ୍ୟ ଦେଇ ବସ୍‌ ଛୁଟିଥିଲା । ଉପରେ ଶାଳ, ପିଆଶାଳର ଗଛ ସବୁ ଊର୍ଦ୍ଧ୍ୱବାହୁ ହୋଇ ଆକାଶକୁ ଛୁଇଁବାକୁ ପ୍ରତିଯୋଗିତା ଚଲାଇଥିଲେ । ମଝିରେ ମଝିରେ ଶୁଭୁଥିଲା ମୟୂରଙ୍କ କେକାଧ୍ୱନି, ହନୁମାଙ୍କଡ଼ଙ୍କ ହୁଙ୍କାର । ବେଳେ ବେଳେ ବସ ସାମ୍‌ନାରେ ଦୌଡ଼ି ଯାଉଥିଲେ ହରିଣ, ଠେକୁଆ ପ୍ରଭୃତି ଜୀବଜନ୍ତୁ । ଯାତ୍ରା ଥିଲା ରୋମାଞ୍ଚକର ।

 

ଗୋଟିଏ ଫରେଷ୍ଟ ଗେଟରେ ବସ ରହିଲା । ସେଠି ଚା’ ଦୋକାନଟିଏ ଥିଲା । ଗେଟରେ ପ୍ରବେଶ ପତ୍ରର ଫର୍ମାଲିଟି ସଂପନ୍ନ ହେଉଥିଲା ବେଳେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଓହ୍ଲାଇ ଚା’ ପିଇଲେ । ସୂର୍ଯ୍ୟ ଉଠିବାକୁ ଡେରି ଥିଲା । ଶାଳଗଛମାନଙ୍କରୁ ତଥାପି ଝରୁଥିଲା ପୋଷ ପୋଷ କାକର ।

 

ରାସ୍ତାକଡ଼କୁ ମୟୂରଟିଏ ଚାଲିଆସି ପୁଚ୍ଛ ଟେକି ସତେ ଯେପରି ସେମାନଙ୍କୁ ଦେଖି ଯକ୍ଷଗାନ ନୃତ୍ୟ ପରିବେଷଣ କରିବାକୁ ଲାଗିଲା । ଚା’ ପିଉ ନଥିବା ଶିଳାଦିତ୍ୟ ମୁଗ୍ଧହୋଇ ଏ ଦୃଶ୍ୟକୁ ଉପଭୋଗ କରୁଥିଲେ ।

 

ପିକ୍‍ନିକ୍‍ର ସ୍ଥାନ ଥିଲା ଏକ ଗିରି ନଦୀର କୂଳରେ । ନଦୀର ଛାତିରେ ସଂଖ୍ୟାଧିକ ଶିଳାଖଣ୍ଡ ମୁଣ୍ଡଟେକି ଥିଲେ । ଉପରେ ଶାଳବଣର ବିସ୍ତୃତ ସାମିଆନା ।

 

ଟିକିଏ ଦୂରରେ ଥିଲା ଏକ ଶିବ ମନ୍ଦିର । ସେଠୁ ପୂଜକର ଘଣ୍ଟ ଆଳତୀର ଶବ୍ଦ ଭାସି ଆସି ସେ ସ୍ଥାନକୁ ପବିତ୍ର କରି ଦେଉଥିଲା ।

 

ପିକ୍‍ନିକ୍‍ ପାର୍ଟିରେ ରୋଷେୟା ଓ ହେଲ୍ପର ମିଶି ଦୁଇଜଣ ଆସିଥିଲେ । ଛାତ୍ରଛାତ୍ରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ସର୍ବକନିଷ୍ଠ ଅଧ୍ୟାପକ ଶିଳାଦିତ୍ୟ ରୋଷେଇ ସରଞ୍ଜାମ, ବାସନକୁସନ, ଜାଳେଣି କାଠ ପ୍ରଭୃତି ପିକ୍‍ନିକ୍‍ ସ୍ଥଳକୁ ବୋହିନେଉଥିଲେ । ତାଙ୍କର ଛାତ୍ର ସୁଲଭ ଉଦ୍ଦୀପନାକୁ ଦେଖି ବିଭାଗର ମୁଖ୍ୟ ଅଧ୍ୟାପକ କହିଲେ ତମେ ଟିକିଏ ରୋଷେଇ କାମ ତଦାରଖ କରିବ । ଆମେ ମନ୍ଦିର ଆଡ଼ୁ ବୁଲି ଆସୁଛୁ ।

 

କଲେଜର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଡ଼ାକି ନେଇ ଗଲାବେଳେ ବୁଲିପଡ଼ି ପାଖରେ ଠିଆ ହୋଇଥିବା ଏକ ଛାତ୍ରୀକୁ ନିର୍ଦ୍ଦେଶ ଦେଲେ ତମେ ନୂଆ ସାର୍‌ଙ୍କୁ ଟିକିଏ ସାହାଯ୍ୟ କରିବ ।

 

ଶିଳାଦିତ୍ୟ ମନେମନେ କୁରୁଳି ଉଠିଲେ । ତାଙ୍କ ପାଖରେ ଠିଆ ହୋଇଥିବା ଛାତ୍ରୀଥିଲେ ଅସାମାନ୍ୟା ସୁନ୍ଦରୀ । ଦ୍ୱିତୀୟ ବର୍ଷ ବି.ଏ. ଶ୍ରେଣୀର ଛାତ୍ରୀ । ଛାତ୍ରୀଟିର ରୋଲ ନମ୍ବର ବି ମନେରଖିଲା ଭଳି ଥିଲା ଡବଲ୍‌ ସେଭେନ । ଭାବିଲେ, ରୋଷେଇ ଯାହା ହେଉନା କାହିଁକି, ଏକ ସୁନ୍ଦରୀ ତରୁଣୀର ସ୍ନିଗ୍ଧ ସାନ୍ନିଧ୍ୟ ମିଳିଯିବ ନିଶ୍ଚୟ ।

 

ଛାତ୍ରୀଟିର ସଲ୍ଲଜ୍ଜ ମୁହଁରେ ସ୍ମିତ ହାସ୍ୟର ରେଖାଟିଏ ବିଜୁଳି ପରି ଉଙ୍କି ମାରିଲା ।

ରୋଷେୟା ଚୁଲୀ ସଜାଡ଼ିବାରେ ଲାଗିଥିଲା । ହେଲ୍ପର ବାଲଟି ଧରି ପାଣି ଆଣିବାକୁ ଗଲା । ଛାତ୍ରଛାତ୍ରୀମାନେ ଦଳ ବାନ୍ଧି ବାହାରିଲେ ଶିମିଳିପାଳର ଲୁକ୍କାୟିତ ରହସ୍ୟ ଉଦ୍‌ଘାଟନ କରିବାକୁ ।

 

ଏକଲା ଦେଖି ଛାତ୍ରୀଙ୍କର ନାଁ ପଚାରିଲେ ଶିଳାଦିତ୍ୟ ।

–‘ମନସ୍ୱିନୀ’–ଆସିଲା ସହର୍ଷ ଉତ୍ତର ।

ଏବେ ପାଲଟା ପ୍ରଶ୍ନ–ସାର, ଆପଣଙ୍କର ହବି କ’ଣ ରୋଷେଇ ?

ସେ ଉଚ୍ଚ ସ୍ୱରରେ ହସି ଉତ୍ତର ଦେଲେ ଭୂରିଭୋଜନ ମୋର ହବି ।

 

ଚତୁରୀ ଛାତ୍ରୀଙ୍କ ପରବର୍ତ୍ତୀ ପ୍ରଶ୍ନ–ଆପଣ କ’ଣ ରୋଷେଇରେ ଏକବାରକେ ସି-ଅକ୍ଷର ବିବର୍ଜିତ ?

 

–ନା, ନା, ତା’ ନୁହେଁ । ସି-ଅକ୍ଷର ବିବର୍ଜିତ ହେଲେ ଏ ପୈତୃକ ପ୍ରାଣ ଧାରଣ କରିବା ସମ୍ଭବ ହେବ ତ ?

 

–ଆପଣଙ୍କ ପାଖରେ କିଏ ଅଛି ? ଆଉ ଏକ ଚାଲାକି ପ୍ରଶ୍ନ ।

–ଏକା ରହୁଛି । ଭାତ ଡାଲମା କରି ଜାଣେ । ତା’ ସହ ଆଳୁ ଚକଟା ମୋର ଲଞ୍ଚ । ରାତିରେ ପାଖ ହୋଟେଲରେ ରୁଟି ତରକାରୀରେ କାମ ଚଳିଯାଏ ।

 

–ଆପଣ ତା’ହେଲେ ରୋଷେଇରେ ଅଣ୍ଡର ମାଟ୍ରିକ । ରୋଷେଇର ସୁପରଭିଜନର ଦାୟିତ୍ୱ ଆଜି ନେଲେ ଯେ ?

 

ଶିଳାଦିତ୍ୟ କହିବାକୁ ଭାବୁଥିଲେ ତମ ଭଳି ରୂପସୀ ତରୁଣୀଙ୍କୁ ଯେ ମୋର ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ମିଳିଛି । ତା’ ନ ହୋଇଥିଲେ ବୋଧେ ମୁଁ ଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ଖସି ଯିବାକୁ ଚେଷ୍ଟା କରିଥାନ୍ତି । ପ୍ରକାଶ୍ୟରେ କହିଲେ ଏଥିପାଇଁ ରାଜି ହେଲି ଯେ ରୋଷେଇର ପାଖାପାଖି ରହିଲେ ସବୁ ଜିନିଷ ଚାଖିବାକୁ ସୁଯୋଗ ମିଳିବ । କହିଲି ନା ଭୋଜନ ମୋର ହବି । ତା’ ବାଦ୍‌ ହାଇକମାଣ୍ଡଙ୍କ ଆଦେଶ ତ ଶିରୋଧାର୍ଯ୍ୟ କରିବାକୁ ପଡ଼ିବ ।

 

ଦୁହିଁଙ୍କର ମନଖୋଲା ହସ ଏବେ ଆରଣ୍ୟକ ଆକାଶରେ ଖେଳିଗଲା ସକାଳର ସୂର୍ଯ୍ୟକିରଣ ପରି ।

 

ମନ୍ଦିର ଦର୍ଶନ କରି ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ ଛାତ୍ରଛାତ୍ରୀମାନେ ଫେରି ଆସିଥିଲେ-। ତା’ପରେ ଚାଲିଲା ବ୍ରେକଫାଷ୍ଟର ପର୍ବ । ବ୍ରେକ୍‌ଫାଷ୍ଟ କରି ସମସ୍ତେ ମଜ୍ଜି ଗଲେ ତାସ, ଲୁଡ଼ୁ ପ୍ରଭୃତି ଖେଳରେ ।

 

ଶିଳାଦିତ୍ୟ ଓ ମନସ୍ୱିନୀ ତାଙ୍କୁ ମୁତୟନ କରାଯାଇଥିବା ସ୍ଥାନକୁ ଫେରିଲେ ।

ଶିଳାଦିତ୍ୟ ବଡ଼ ସଙ୍କୋଚରେ ପ୍ରସ୍ତାବ ଦେଲେ–ସମସ୍ତେ ମନ୍ଦିର ଦର୍ଶନ କରିଆସିଲେଣି-। ଚାଲ, ଆମେ ଯିବା ।

 

ଆପଣ ଯାଆନ୍ତୁ, ମୁଁ ଏଠି ଅଛି ଚୁଲି ଶିଖାଆଡ଼େ ଚାହିଁ ଏକଥା କହିଲା ବେଳେ ମନସ୍ୱିନୀଙ୍କ ମୁହଁ ବେଶୀ ରଙ୍ଗେଇ ଯାଇଥିଲା ।

 

ଶିଳାଦିତ୍ୟ ତାଙ୍କ ଅନିଚ୍ଛାର କାରଣ ଠଉରାଇ ପାରିଲେ । ସ୍ଥାନ, କାଳ ଓ ପାତ୍ରର ବିବେଚନା ଶକ୍ତି ଝିଅମାନଙ୍କର ବେଶୀ ଅଛି । ସେ ବୋଧେ ଧୀରେ ଧୀରେ ପ୍ରଗଳ୍‌ଭ ହୋଇଯାଉଥିଲେ । ସେ ହୃଦୟଙ୍ଗମ କରିପାରୁଥିଲେ ବୟସ ତୁଳନାରେ ମନସ୍ୱିନୀଙ୍କ ବୁଦ୍ଧି ବୃତ୍ତି ଖୁବ୍‌ ଉତ୍କୃଷ୍ଟ ।

 

ମଝିରେ ମନସ୍ୱିନୀ ଜଣେ ବାନ୍ଧବୀଙ୍କୁ ଧରି ଅଳ୍ପ ସମୟପାଇଁ ବୁଲିବାକୁ ଯାଇଥିଲେ । ସେହି ବାନ୍ଧବୀ ଜଣକ ଆଖି ନଚାଇ ନଚାଇ ପଚାରୁଥିଲେ–କଥା କ’ଣ, ସାରଙ୍କ ପାଖ ଛାଡ଼ୁନୁ ତ ?

 

ଛାତ୍ରମାନେ ବଡ଼ ଆଳସ୍ୟପରାୟଣ ଥିଲେ । ରୋଷେଇ କାମରେ ସାହାଯ୍ୟ କରିବାକୁ ଆଗଭର ହେଉ ନଥିଲେ । ମଝିରେ ମଝିରେ ମାଂସକଷା ଚାଖିବାକୁ ଆସୁଥିଲେ । ଲଞ୍ଚ ଖାଇସାରିବା ପରେ ବାସନକୁସନ ମାଜିବା କାମରେ ରୋଷେୟା ଦୁହିଁଙ୍କୁ ସାହାଯ୍ୟ କରିବା ଦାୟିତ୍ୱ ମଧ୍ୟ ଶିଳାଦିତ୍ୟ ଓ ମନସ୍ୱିନୀଙ୍କୁ ନିର୍ବାହ କରିବାକୁ ପଡ଼ିଥିଲା ।

 

ଗିରିନଦୀ କୂଳରେ ବାସନମଜା କାମ ଚାଲିଥିଲା ବେଳେ ମନସ୍ୱିନୀ ହସି ହସି କହିଲେ ସାର୍‌, ମାଣ୍ଡିଆ ଜାଉ ଖୋଇବ ଯିଏ, ରାତି ଅଧରେ–ଏ ଯେଉଁ ଢମାଳିର ଅର୍ଥ ଜାଣିଛନ୍ତି ତ ? ଶେଷକୁ ଆମକୁ ହିଁ ପାଇଟି କରିବାକୁ ପଡ଼ିବ ।

 

ହାତଧୋଇ ସାରି ସାର୍‌ଙ୍କ ପାଖକୁ ସାବୁନଟି ଫିଙ୍ଗିବା ବେଳେ ଏକ ଅଭ୍ୟସ୍ତ କ୍ରିକେଟ ଖେଳାଳୀ ପରି କ୍ୟାଚ କରି ନେଇଥିଲେ ସେ । ଅନତିଦୂରରୁ ଏ ଦୃଶ୍ୟ ଦେଖି କିଛି ଈର୍ଷାପରାୟଣ ଛାତ୍ର ଅର୍ଥପୂର୍ଣ୍ଣ ହସ ହସୁଥିଲେ ।

 

କେହି ଜଣେ ମନ୍ତବ୍ୟ ଦେଲା ଜଣାପଡ଼ୁଛି, ଏ ଜାଲୁଆ ସାର୍‌ ମନସ୍ୱିନୀକୁ ଜାଲରେ ପକାଇ ସାରିଲେଣି ।

 

ଆଉ ଜଣେ ଗୀତ ଗାଇଲା–ଖେଳା ଲୀଳା, ଖଞ୍ଜନାକ୍ଷି ଖରାପ ତୁ ହେଲୁରେ..... ।

ନଈକୂଳିଆ ମନ୍ଦ ସମୀରଣ ଏ ଅପ୍ରୀତିକର ମନ୍ତବ୍ୟଗୁଡ଼ିକୁ ବୋହି ନେଉଥିଲା ଶିମିଳିପାଳ ଜଙ୍ଗଲର ଅଭ୍ୟନ୍ତରକୁ । ଏହା ବି ହୋଇପାରେ ସେ ଦୁହେଁ ଜାଣିଶୁଣି ସେସବୁ ଏ କାନରେ ଭର୍ତ୍ତିକରି ସେ କାନରେ ବାହାର କରି ଦେଇଥିଲେ ।

 

ଘନ ଜଙ୍ଗଲର ସଞ୍ଜୁଆ ପବନ ତା’ର ପରାକ୍ରମ ଦେଖାଇ ସାରିଥିଲା । ଜଙ୍ଗଲ ଭିତରୁ ଜଲଦି ଫେରିଯିବାର ଉପକ୍ରମ କରାଗଲା । ସାଧାରଣ ଅର୍ଥରେ ପିକ୍‍ନିକ୍‍ର ଯେଉଁ ମଜା, ଯଥା ଖେଳିବା, ଗାନାବାଜଣା ଶୁଣିବା–ଏସବୁ ଅଧ୍ୟାପକ ଓ ଛାତ୍ରୀଦ୍ୱୟ ଉପଭୋଗ କରିପାରି ନଥିଲେ । କିନ୍ତୁ ମନେ ମନେ ଏକ ଅବ୍ୟକ୍ତ ଆନନ୍ଦରେ କୁରୁଳି ଉଠୁଥିଲେ ସେ ଦୁହେଁ ।

 

ପୂର୍ବରାଗର ଏ ଯେଉଁ ପରାଗସଙ୍ଗମ ଶିମିଳିପାଳର ଅରଣ୍ୟାନୀରେ ଘଟିଥିଲା, ତା’ର ଅଙ୍କୁରୋଦ୍‌ଗମ ଘଟିଥିଲା ଦୁଇ ମାସ ପରେ–ସରସ୍ୱତୀ ପୂଜାରେ ।

 

ସରସ୍ୱତୀ ପୂଜା କଲେଜର ପ୍ରତ୍ୟେକ ବିଭାଗରେ ବଡ଼ ଧୂମଧାମରେ ପାଳନ ହୁଏ । ସେହି ସମୟରେ ସାଜସଜ୍ଜା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ତୁମୁଳ ପ୍ରତିଦ୍ୱନ୍ଦିତା ତାଙ୍କ କଲେଜର ଆଉ ଏକ ପରମ୍ପରା । ସେଥିପାଇଁ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ସହ ମିଶି ଗୋଟିଏ ଦିନ ଆଗରୁ ଲାଗି ପଡ଼ିଥାନ୍ତି ।

 

ସେଥର ତତ୍ତ୍ୱାବଧାନର ଦାୟିତ୍ୱ ପଡ଼ିଥିଲା ଅଧ୍ୟାପକ ପ୍ରାଣେଶ ଓ ଶିଳାଦିତ୍ୟଙ୍କ ଭାଗରେ । ଛାତ୍ରଛାତ୍ରୀଙ୍କ ସହ ମିଶି ଶିଳାଦିତ୍ୟ ନାଲି, ନେଳୀ କାଗଜରେ କଦଳୀ ଗଛ, ଝାଲର ପ୍ରଭୃତି କାଟି ସଜାଇ ଥିଲେ । ରାତି ବାରଟା ବେଳେ ଝିଅମାନଙ୍କୁ ଘରେ ଛାଡ଼ିବାର ପାଳି ପଡ଼ିଲା । ଦୁଇଟି ଗ୍ରୁପରେ ଦୁଇ ଅଧ୍ୟାପକ ବାହାରିଲେ । ମନସ୍ୱିନୀଙ୍କ ଘର ଯେଉଁ ସାହିରେ, ଶିଳାଦିତ୍ୟ ମେସ୍‌ ଛାଡ଼ି କିଛି ଦିନ ଆଗରୁ ସେଠି ଘରଭଡ଼ା ନେଇ ରହୁଥିଲେ । ବାଟରେ ଅନ୍ୟ ଛାତ୍ରୀଙ୍କୁ ଛାଡ଼ି ଏକ ଲମ୍ବା ରାସ୍ତା ଶିଳାଦିତ୍ୟ ଏବଂ ମନସ୍ୱିନୀଙ୍କୁ ଏକତ୍ର ଯିବାକୁ ପଡ଼ିଥିଲା । ଔପଚାରିକ ଆଳାପ ମଧ୍ୟରେ ଯାତ୍ରା ସରିଗଲା ।

 

–ଘରେ କିଏ କିଏ ଅଛନ୍ତି ? ବି.ଏ. ପରେ ମନସ୍ୱିନୀଙ୍କ ଯୋଜନା କ’ଣ ? ଏହିଭଳି ପ୍ରଶ୍ନ ପଚାରିଥିଲେ ଶିଳାଦିତ୍ୟ ।

 

–ସର୍ବଭାରତୀୟ ପରୀକ୍ଷାପାଇଁ କେମିତି ପ୍ରସ୍ତୁତି ଚାଲିଛି ? ପଚାରି ଥିଲେ ମନସ୍ୱିନୀ ।

ତା’ପରେ ଦୁହେଁ ଅସ୍ୱାଭାବିକ ଭାବେ ନୀରବି ଯାଇଥିଲେ ।

 

ଶିଳାଦିତ୍ୟ କହିବାକୁ ଭାବୁଥିଲେ–ମୁଁ ତୁମକୁ ଭଲପାଏ । କିନ୍ତୁ କେହି ଯେମିତି ତାଙ୍କ ଓଠକୁ ଚାପି ଧରିଥିଲା ।

 

ମନସ୍ୱିନୀ ଭାବୁଥିଲେ–ନିର୍ଜନତାର ସୁଯୋଗ ନେଇ ସାର୍‌ ଯଦି ହାତଧରି ପକାଇବେ, ସେ କ’ଣ କରିବେ ?

 

ସେଭଳି କିଛି ଘଟି ନଥିଲା । ଏକ ଅଭୂତପୂର୍ବ ସଂଭ୍ରମ ତାଙ୍କ ଭାବପ୍ରବଣତାକୁ କାବୁ କରି ଦେଇଥିଲା । ତଥାପି ସେ ଦୁହେଁ ଅନୁଭବ କରୁଥିଲେ, ସତେ ଯେପରି ଆକାଶରେ ଜହ୍ନ ତରଳି ବୋହି ଯାଉଥିଲା । ଶୀତଳ ପବନ ତାଙ୍କୁ ଯେପରି ସହର ତଳିର ସରୁ ପିଚୁ ରାସ୍ତା ଉପରୁ ଉଡ଼ାଇ ନେଉଥିଲା ।

 

ନିଜ ଘର ସାମ୍‌ନାରେ ପହଞ୍ଚିଲା ବେଳକୁ ମନସ୍ୱିନୀ ମୁହଁ ଖୋଲିଥିଲେ ସାର, ରବିବାରକୁ ଘରକୁ ଆସନ୍ତୁ । ସେଦିନ ମୋ’ ସାନ ଭଉଣୀର ଜନ୍ମଦିନ ଅଛି ।

 

ବସରେ ବସି ଯାଉଥିବା ବେଳେ ପୂର୍ବରାଗର ସେଦିନଗୁଡ଼ିକ ମନେପକାଉଥିବା ବେଳେ ମନସ୍ୱିନୀ ଶିହରି ଉଠୁଥିଲେ ।

•••

 

(୫)

 

ପ୍ରିୟଙ୍କା ମଧ୍ୟ ହସ୍ପିଟାଲକୁ ଆସିଥିଲେ । ସେ ଶିଳାଦିତ୍ୟଙ୍କ ପତ୍ନୀ । ମନୋମାଳିନ୍ୟ ସୃଷ୍ଟି ପରେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଥିଲା ।

 

ଶିଳାଦିତ୍ୟ ଟ୍ରେନିଂ ପାଇଁ ମସୌରୀ ଗଲାପରେ ତାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ କନ୍ୟାପକ୍ଷର ଲୋକ ଧାଡ଼ି ଲଗାଇଥିଲେ । ତାଙ୍କର ମଫସଲି ଗାଁକୁ ଏତେ ସଂଖ୍ୟକ ମଟରକାର କେବେ ଧୂଳି ଉଡ଼ାଇ ଆଗରୁ କେବେ ଛୁଟି ନଥିଲେ ।

 

ସାବିତ୍ରୀ ଦେବୀ ଘରେ ଏକା ଏକା ଥାନ୍ତି । ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚାରେ ଅବହେଳା ହେଉଥିବା ଯୋଗୁଁ ସେ ସଦାସର୍ବଦା ସଙ୍କୋଚ ପ୍ରକାଶ କରୁଥାନ୍ତି ।

 

ପ୍ରିୟଙ୍କାଙ୍କ ପ୍ରସ୍ତାବ ନେଇ ଯେଉଁ ଦିନ ତାଙ୍କ ବାପା ଯାଇଥିଲେ, ସେଦିନ ଏକ ଗୋଳମାଳିଆ ପରିସ୍ଥିତ ଉପୁଜି ଥିଲା । ସେଦିନ ଆଉ ଜଣେ କନ୍ୟାପିତା କାର୍‌ ଧରି ହାଜର ହୋଇଯାଇଥିଲେ । ସାବିତ୍ରୀ ଦେବୀ ପ୍ରିୟଙ୍କାଙ୍କ ବାପାଙ୍କୁ ବସାଇଲେ ନିଜ ଘରେ । ଅନ୍ୟଜଣଙ୍କୁ ଦିଅରଙ୍କ ଘରେ । ଗାଁରେ ଭୋଲ୍‌ଟେଜ୍‌ କମ ଯୋଗୁଁ ଶହେ ପାୱାର ବଲ୍‌ବଗୁଡ଼ିକ ଚାଳିଶି ପାୱାର ବଲ୍‌ବ ଭଳି ମିଞ୍ଜିମିଞ୍ଜି ଜଳୁଥିଲେ । ବସିବା ଜାଗା ଥିଲା ସଂକୀର୍ଣ୍ଣ । ଆସବାବପତ୍ରଗୁଡ଼ିକ କେହି କାହା ସାଥୀରେ ମେଳ ଖାଉ ନଥିଲେ । ଅତିଥିମାନଙ୍କୁ ସତ୍କାର କରିବାରେ ସାବିତ୍ରୀଦେବୀ ବଡ଼ ଅପ୍ରସ୍ତୁତ ଅନୁଭବ କରୁଥିଲେ । କନ୍ୟାପକ୍ଷ ଆଣିଥିବା ରସଗୋଲା ଓ ଗୋଲାପ ଜାମୁକୁ ଅଦଳବଦଳ କରି ପରଷି ସେ ଅତିଥିମାନଙ୍କୁ ଆପ୍ୟାୟିତ କରିଥିଲେ । ସେମାନେ ଗଲାପରେ ଏକ ଶାନ୍ତିର ନିଃଶ୍ୱାସ ଛାଡ଼ିଥିଲେ ।

 

ପୁଅ ପାଖକୁ ବିଭିନ୍ନ ପ୍ରସ୍ତାବ ସଂପର୍କରେ ସେ ଚିଠି ଦେଇଥିଲେ । ନିର୍ବାଚିତ କନ୍ୟାମାନଙ୍କର ଫଟୋ ପଠାଇଥିଲେ ।

 

ମସୌରୀରୁ ଉତ୍ତର ଆସିଥିଲା–ଏବେ ନୁହେଁ । ଟ୍ରେନିଂରେ ଅନେକ ଛୋଟ ବଡ଼ ଜାଗା ବୁଲିବାକୁ ପଡ଼ିବ । ଏ ସମୟରେ ବିବାହର ଚିନ୍ତା ମନକୁ ଅଣା ଯାଇପାରେନା ।

 

ମା’ର ମନ ମାନୁ ନଥିଲା । ତାଙ୍କର ଆଶଙ୍କା ହେଉଥିଲା, ଯେ ପୁଅ ବୋଧେ ନିଜେ କାହାକୁ ପସନ୍ଦ କରିଛି । ସେ ସେଭଳି ଯଦି କିଛି ପଦକ୍ଷେପ ନିଏ, ତା’ହେଲେ ତାଙ୍କର କ’ଣ ବା କରିବାର ଅଛି ? ପୁଅର ଖୁସିରେ ତାଙ୍କର ମଧ୍ୟ ଖୁସି ।

 

ହଠାତ୍‌ ଦିନେ ଶିଳାଦିତ୍ୟଙ୍କ ଚିଠି ଆସିଲା । ତାକୁ ପଢ଼ି ସେ ଆନନ୍ଦରେ କୁରୁଳି ଉଠିଲେ ମା’, ତମେ ବାହାଘର ପାଇଁ ବ୍ୟସ୍ତ କରୁଥିଲ ନା ? ତୁମେ ଯେଉଁଠି ଭଲ ଭାବୁଛ, ସେଠି ଠିକ୍‌ କର-। ଏକାଡ଼େମୀରେ ଛୁଟି ହେଲେ ମୁଁ ଦେଖିବାକୁ ଯିବି ।

 

ଚିଠି ପଢ଼ି ସାବିତ୍ରୀ ଦେବୀ ଆଖିକୁ ବିଶ୍ୱାସ କରିପାରୁ ନଥିଲେ । ଭାବୁଥିଲେ ଏଭଳି ଆଜ୍ଞାକାରୀ ପୁତ୍ର କ’ଣ ଏ ଯୁଗରେ ଅଛନ୍ତି ?

 

ସର୍ବ ଗୁଣରେ ପରିପୂର୍ଣ୍ଣ ଏଭଳି ପୁତ୍ରର ଜନ୍ମଦାତ୍ରୀ ହୋଇଥିବାରୁ ସେ ନିଜକୁ ଧନ୍ୟ ମଣୁଥିଲେ ।

 

ଆଇ.ଏ.ଏସ. ଅଫିସର, ଇଂଜିନିୟର, ଡାକ୍ତର, ଏହିଭଳି ଅନେକ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଘରୁ ଶିଳାଦିତ୍ୟଙ୍କ ପାଇଁ ପ୍ରସ୍ତାବ ଆସିଥିଲା । ଏପରିକି ଅନ୍ୟ ଜାତିରୁ ମଧ୍ୟ । ପ୍ରାର୍ଥିନୀଙ୍କ ମଧ୍ୟରୁ ସବୁଠୁ ସୁନ୍ଦରୀ ଜଣେ ଚିଫ୍‌ ଇଂଜିନିୟରଙ୍କ କନ୍ୟା ସହ ସେ ବିବାହ ସ୍ଥିର କରିଥିଲେ ।

 

ବିବାହ ବେଳେ ପ୍ରିୟଙ୍କାଙ୍କ ପାଠପଢ଼ା ସରି ନଥିଲା । ତେଣୁ ସେ ଶିଳାଦିତ୍ୟଙ୍କ କର୍ମକ୍ଷେତ୍ରରେ ବେଶୀ ଦିନ ରହିପାରୁ ନଥିଲେ । ଅଧିକାଂଶ ଦିନ ରହୁଥିଲେ ପିତ୍ରାଳୟରେ । ଶିଳାଦିତ୍ୟଙ୍କ ଗାଁକୁ କେବେ ଗଲେ ଦିନେ ଦି’ ଦିନରୁ ଅଧିକ ରହିପାରୁ ନଥିଲେ । ପାଠପଢ଼ାର ଆଳ ଦେଖାଇ ଫେରି ଆସୁଥିଲେ । ସାବିତ୍ରୀ ଦେବୀ ସବୁ କିଛି ବୁଝିପାରୁ ଥିଲେ । ଏକ ଧନୀକ ପରିବାରର ଅଲିଅଳି କନ୍ୟାକୁ ଗ୍ରାମୀଣ ପରିବେଶରେ ବାନ୍ଧି ରଖିବା ସମ୍ଭବ ନୁହେଁ ।

 

ମନସ୍ୱିନୀଙ୍କ ଅପ୍ରତ୍ୟାଶିତ ବିବାହ ଯୋଗୁଁ ଏକ ଜିଦ୍‌ରେ ସେ ପ୍ରିୟଙ୍କାଙ୍କୁ ବିବାହ କରିବାକୁ ସମ୍ମତି ଦେଇଥିଲେ ସିନା ନିଜେ ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତ ନଥିଲେ । ଏଭଳି ଏକ ଦାରୁଣ ଧକ୍କା ଦେଇ ମନସ୍ୱିନୀ ତାଙ୍କ ଜୀବନରୁ ଦୂରେଇ ଯିବେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଆଶା କରିନଥିଲେ ।

 

ମନସ୍ୱିନୀ ଅନ୍ୟତ୍ର ବିବାହ ବନ୍ଧନରେ ବାନ୍ଧି ହେଲେ ସିନା ଶିଳାଦିତ୍ୟଙ୍କ ଜୀବନରୁ ଦୂରେଇ ଗଲେ କେଉଁଠି ? ତାଙ୍କର ସ୍ମୃତି ଛାତି ଭିତରେ କାଠହଣା ଚଢ଼େଇ ପରି ଛପି ରହି ଠକ ଠକ କରି ହାଣି ଚାଲିଲା ଅନବରତ । ଏହା ପ୍ରିୟଙ୍କା ଅନୁଭବ କରିପାରୁ ଥିଲେ । ତାଙ୍କ ଜୀବନରେ ଆଉ କିଏ ଅଛନ୍ତି, ସେଥିପାଇଁ ବୋଧେ ସେ ତାଙ୍କୁ ସହଜରେ ଗ୍ରହଣ କରିପାରୁ ନଥିଲେ । ତାଙ୍କର ଟିକିଏ ଟିକିଏ ତ୍ରୁଟିରେ ସେ ଗୋଟିଏ ଗୋଟିଏ ବଡ଼ ଅପ୍ରୀତିକର ଦୃଶ୍ୟ ସୃଷ୍ଟି କରି ପକାଉଥିଲେ । ଅଳ୍ପ କିଛି ଦିନ ପାଇଁ ପତ୍ନୀ ଆସୁଥିବାର ଜାଣି ମଧ୍ୟ ସେ ଅଧିକାଂଶ ସମୟ ଗୁମ୍‌ସୁମ୍‌ ହୋଇ ରହୁଥିଲେ ।

 

ଡିଷ୍ଟ୍ରିକ୍ଟ କଲେକ୍‌ଟର ଭାବେ ଅବସ୍ଥାପିତ ହେଲାପରେ ଶିଳାଦିତ୍ୟଙ୍କ ଉପରେ କାମର ଚାପ ଅନେକ ବଢ଼ିଥିଲା । ଅନେକ ସମୟ ତାଙ୍କୁ ଟୁର୍‌ରେ ଯିବାକୁ ପଡ଼ୁଥିଲା । ବେଳେବେଳେ ହଠାତ୍‌ ବାହାରି ଯିବାକୁ ପଡ଼ୁଥିଲା । ଘରେ ନିଜର ଗତିବିଧି କହିଗଲେ ଠିକ୍‌ ହୁଅନ୍ତା । ମାତ୍ର ସେ କହି କରି ଯାଆନ୍ତି ନାହିଁ । ପ୍ରିୟଙ୍କା ଭାବିଲେ ଯେ ସେ ବୋଧେ ତାଙ୍କୁ ଜାଣିଶୁଣି ଅବଜ୍ଞା କରୁଛନ୍ତି ।

 

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥାଏ । ସେଥିରେ ମଧ୍ୟ ରାଜନୈତିକ ନେତାମାନେ ଚାପ ସୃଷ୍ଟି କରିଥାନ୍ତି । ନିୟମ ବହିର୍ଭୂତ କାମ କରିବାପାଇଁ ବେଳେବେଳେ ଉପରିସ୍ଥ ଅଧିକାରୀମାନେ ଚାପ ପ୍ରୟୋଗ କରିଥାନ୍ତି । କ୍ଲବ ଜୀବନଠାରୁ ସେ ପର୍ଯ୍ୟନ୍ତ ଦୂରରେ ଥିବା ଶିଳାଦିତ୍ୟ କ୍ଲବ ଗଲେ । ସେଇଠି ତାଙ୍କର ସୁରାପାନର ମଧ୍ୟ ସୁରୁଆତ ହେଲା ।

 

ଥରେ କୌଣସି ପାର୍ଟିରୁ ଫେରୁଥିଲେ ବିଳମ୍ବିତ ରାତ୍ରିରେ । ସେଦିନ ଅତ୍ୟଧିକ ମଦିରା ଉଦରସ୍ଥ କରି ଡ୍ରାଇଭ କରୁଥିଲେ ସେ । ରାଜମାର୍ଗରେ ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡ଼ରେ ଛିଟିକି ପଡ଼ିଥିଲେ । ଅଚେତନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏ ଖବର ରାଜ୍ୟର ପ୍ରତ୍ୟେକ ସମାଚାରପତ୍ରରେ ବକ୍ସ ନିଉଜ ହୋଇ ପ୍ରଥମ ପୃଷ୍ଠାମାନଙ୍କରେ ପ୍ରକାଶିତ ହୋଇଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତାହା ସୃଷ୍ଟି କରିଥିଲା ଏକ ବଡ଼ ଧରଣର ମନୋମାଳିନ୍ୟ ।

 

ଶିଳାଦିତ୍ୟଙ୍କର ଏ ସମସ୍ତ ଅବିଗୁଣ ନୀରବରେ ସହ୍ୟ କରିପାରି ନଥିଲେ ପ୍ରିୟଙ୍କା । ସେ ନିଜେ ବି ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ । ଏକେତ ଧନୀକ ଦୁଲାଳୀ । ନିଜ ରୂପ ଗୁଣର ଅହଙ୍କାର ମଧ୍ୟ କିଛି କମ ନଥିଲା । ସେ ମନେ ମନେ ତର୍କ କରୁଥିଲେ ଯେ ପତିବ୍ରତା ନାରୀପରି ସେ କାହିଁକି ସବୁ କିଛି ସହିଯିବେ । ଶିଳାଦିତ୍ୟ କାହିଁକି ନମନୀୟ ହେବେ ନାହିଁ ?

 

ଏବେ ସେ ଜିଦରେ ପିତ୍ରାଳୟରେ ଅଧିକରୁ ଅଧିକ ସମୟ ଅତିବାହିତ କଲେ । ଫେସନ ଡିଜାଇନ, ଇଣ୍ଟେରିଅର ଡେକୋରେସନ, ହୋଟେଲ ମ୍ୟାନେଜମେଣ୍ଟ ଯେତେ ଯାହା କୋର୍ସ କରାଯାଇପାରେ, ସେ ସବୁରେ ନିଜକୁ ସାମିଲ କଲେ । ଭାବିଥିଲେ, ସ୍ଥାନର ଦୂରତ୍ୱ ତାଙ୍କ ସ୍ୱାମୀଙ୍କୁ ତାଙ୍କ ପାଖକୁ ଟାଣି ଆଣିବାକୁ ବାଧ୍ୟକରିବ । କିନ୍ତୁ ଦୂରତା ବଢ଼ିଲା । କମିଲା ନାହିଁ ।

 

ଜିଲ୍ଲାଧୀଶ ହୋଇଥିବାରୁ ବିଭିନ୍ନ ଅନୁଷ୍ଠାନମାନଙ୍କୁ ତାଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ପଡ଼େ । ଥରେ କୌଣସି ମହିଳା ମହାବିଦ୍ୟାଳୟର କାର୍ଯ୍ୟକ୍ରମକୁ ଯାଇଥିବା ଅବସରରେ କେତେକ ଛାତ୍ରୀଙ୍କ ନାମ ତାଙ୍କ ସହ ଯୋଡ଼ି ଗୁଜବ ରଚିଥିଲା ଏଣିକି ପ୍ରିୟଙ୍କା ତାଙ୍କ ଚରିତ୍ରକୁ ସନ୍ଦେହ କରିବାକୁ ଲାଗିଲେ ।

 

କିଛିଦିନ ପରେ ମନସ୍ୱିନୀଙ୍କ ଗୋଟିଏ ଚିଠି ପ୍ରିୟଙ୍କାଙ୍କ ହାତରେ ପଡ଼ିଲା । ସେଥିରେ ଲେଖାଥିଲା ରୁଦ୍ର ମୋର ହାତଧରି ହୋମାଗ୍ନି ଚାରିପଟେ ସାତ ଘେରା ବୁଲି ମୋତେ ବିବାହ କରିଛନ୍ତି ସିନା, ମୋର ପ୍ରେମ ପାଇବାର ଯୋଗ୍ୟତା ସେ ହରାଇ ବସିଛନ୍ତି । ମୋ’ ଶରୀର ଉପରେ ତାଙ୍କର କର୍ତ୍ତୃତ୍ୱ ଥାଇପାରେ । କିନ୍ତୁ ମୋର ମନପ୍ରାଣ ଆପଣଙ୍କ ପାଖରେ ସମର୍ପିତ । ଆପଣ ହିଁ ମୋର ହୃଦୟ ରାଜ୍ୟର ଅଧୀଶ୍ୱର ।

ଆଗରୁ ଅନେକ ଚିଠି ପ୍ରିୟଙ୍କାଙ୍କ ଅନୁପସ୍ଥିତିରେ ଆସିଥିଲା । କେତେ ଗୋଟିଏ ଚିଠିରେ ଥିଲା କିଛି ନିରୀହ ଖବର ଏବଂ କୁଶଳ ଜିଜ୍ଞାସା । କିନ୍ତୁ ଏ ଚିଠିଟି ଥିଲା ଏକ ବୋମା ସଦୃଶ । ଏଭଳି ଚିଠି ପାଇ କେଉଁ ପତ୍ନୀ ଧୈର୍ଯ୍ୟ ଧରି ବସିବ ? କାହାର ଏତେ ବଡ଼ ପ୍ରଶସ୍ତ ହୃଦୟ ଅଛି ?

ପ୍ରିୟଙ୍କା ସ୍ୱାମୀଙ୍କ ସମ୍ମୁଖୀନ ହେଲେ । ପଚାରିଲେ–ବିବାହ ପୂର୍ବରୁ ତୁମର କାହା ସହିତ କି ସଂପର୍କ ଥିଲା, ସେ ବିଷୟରେ ମୋର ପ୍ରଶ୍ନ କରିବାର ଅଧିକାର ନାହିଁ । କିନ୍ତୁ ବିବାହ ପରେ ଏ ପରକୀୟା ସଂପର୍କ କାହିଁକି ଜାରି ରଖିଛ ?

–ମନସ୍ୱିନୀ ମୋତେ ଏକତରଫା ଭାବେ ଚିଠି ଲେଖିଛି–ଶିଳାଦିତ୍ୟ ସଫେଇ ଦେଲେ ।

–ନା, ମୁଁ ତାହା ବିଶ୍ୱାସ କରିପାରିବିନି । ଗୋଟିଏ ହାତରେ କେବେ ତାଳି ବାଜେନି । ତୁମେ ଚିଠି ନ ଦେଉଥିଲେ ଏ ସଂପର୍କ ଆଜିଯାଏ ପ୍ରଲମ୍ବିତ ହୋଇଛି କିପରି ?

 

ଶିଳାଦିତ୍ୟ ଗର୍ଜି ଉଠିଥିଲେ–ତମେ କ’ଣ ସତୀ ସାଧ୍ୱୀ ?

ଖାଲି ସେତିକିରେ କଥା ସରିଲା ନାହିଁ । ଗୋଟିଏ ବ୍ରହ୍ମ ଚାପୁଡ଼ା ବାଜିଥିଲା ପ୍ରିୟଙ୍କାଙ୍କ ଗାଲରେ ।

 

ସେହି ଦିନ ସେ ପୁତ୍ରଦ୍ୱୟଙ୍କୁ ଧରି ପିତ୍ରାଳୟକୁ ଚାଲି ଯାଇଥିଲେ । ସାବିତ୍ରୀ ଦେବୀ ବୋହୂକୁ ଫେରାଇ ଆଣିବାକୁ ପ୍ରିୟଙ୍କାଙ୍କ ଘରକୁ ଯାଇଥିଲେ । ତାକୁ ବୁଝାଇଲେ–ଚାଲ ମା’, ପଛକଥା ଭୁଲିଯା’ । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଏମିତି ମନୋମାଳିନ୍ୟ ହୁଏ । ଏମିତି ଅଡ଼ି ବସିଲେ ହେବ ?

 

ପ୍ରିୟଙ୍କା ନିରୁତ୍ତର ଥିଲେ ।

–ସ୍ତ୍ରୀ ହୋଇ ଜନ୍ମ ହେଲେ ବହୁତ କିଛି ସହିବାକୁ ପଡ଼ିବ । କହନ୍ତି ନା ନାରୀ ସର୍ବଂସହା-

 

ପ୍ରିୟଙ୍କା ଚିହିଁକି ଉଠିଲେ ଆପଣ ସେ ପୁରୁଣାକାଳିଆ କଥା ଛାଡ଼ନ୍ତୁ ।

–ଦେଖ ମା’, ଜିଦ୍‌ କରନି ।

–ଆପଣଙ୍କ ପୁଅ ବଡ଼ ସୁଧାର ? ସେ ଜିଦ୍‌ କରୁ ନାହାନ୍ତି ?

 

ପ୍ରିୟଙ୍କାଙ୍କ ବାପା ଝିଅକୁ ସମର୍ଥନ କଲେ–ଶିଳାଦିତ୍ୟ ନିଜେ ଆସି ଭୁଲ ମାଗନ୍ତୁ ଏବଂ ତାକୁ ନେଇ ଯାଆନ୍ତୁ ।

 

ଶିଳାଦିତ୍ୟ ଆସିଲେନି । ପ୍ରିୟଙ୍କା ଆଉ ଫେରି ନଥିଲେ ।

ଇତି ମଧ୍ୟରେ ଦୀର୍ଘ ଦଶବର୍ଷ ବିତି ଯାଇଥିଲା । ଏତେ ବର୍ଷ ପରେ ସେ ଶିଳାଦିତ୍ୟଙ୍କୁ ହସ୍ପିଟାଲରେ ଦେଖିବାକୁ ଆସିଥିଲେ ।

•••

 

(୬)

 

ସାତଦିନ ବିତି ଯାଇଥିଲା । ତଥାପି ଶିଳାଦିତ୍ୟଙ୍କ ଚେତା ଫେରି ନଥିଲା । ସାବିତ୍ରୀ ଦେବୀ ପୁଅ ପାଖରେ ସବୁ ସମୟ ବସି ରହୁଥିଲେ । ନୀରବରେ ବିଭିନ୍ନ ଦେବାଦେବୀଙ୍କୁ ପ୍ରାର୍ଥନା କରିବାରେ ନିମଗ୍ନ ରହୁଥିଲେ । ପୁତ୍ରର ଆରୋଗ୍ୟ କାମନା ପାଇଁ ଭଗବାନଙ୍କ ଶରଣ ନେବା ଛଡ଼ା ତାଙ୍କର ଗତ୍ୟନ୍ତର ନଥିଲା ।

 

ସାବିତ୍ରୀ ଦେବୀ ଥିଲେ ବଡ଼ ଧର୍ମପରାୟଣା । ପ୍ରତ୍ୟେକ ଦିନ ସକାଳେ ଦୁଇଘଣ୍ଟା ପୂଜାର୍ଚ୍ଚନା ନ କଲେ ସେ ଅନ୍ନଜଳ ସ୍ପର୍ଶ କରନ୍ତି ନାହିଁ । ଠାକୁରଘରେ ଅଛନ୍ତି ବାଳଗୋପାଳ । ଅଛନ୍ତି ରାମସୀତା । ଅଛନ୍ତି ଶିବପାର୍ବତୀ । ସେଠି ମଧ୍ୟ ପୂଜା ପାଉଛନ୍ତି ସାଇରାମ ଏବଂ ସତ୍ୟସାଇ ବାବା ।

 

ତଥାପି ତାଙ୍କର ମନ ମାନେ ନାହିଁ । ସହରର ଶିବମନ୍ଦିର, ରାମମନ୍ଦିର, ହନୁମାନ ମନ୍ଦିର ସବୁଠିକୁ ସେ ଯାଇଛନ୍ତି । ପୁତ୍ରର ମଙ୍ଗଳ କାମନା କରି ଅର୍ଘ୍ୟ ଅର୍ପଣ କରିଛନ୍ତି ।

 

ଶିଳାଦିତ୍ୟ ପ୍ରତି ଗୋଟିଏ ପରେ ଗୋଟିଏ ବିପତ୍ତି ମାଡ଼ି ଆସିଛି । ବିବାହର କେଇ ବର୍ଷ ପରେ ସ୍ତ୍ରୀ ସହ ତା’ର ମନୋମାଳିନ୍ୟ ଘଟିଛି । ପ୍ରିୟଙ୍କା ନିଜର ପିତାଙ୍କ ପ୍ରରୋଚନାରେ ଡାଓରୀ ଆକ୍ଟରେ କେସ୍‌ କରିଛି । ଦୁଇ ପିଲାଙ୍କୁ ନେବାପାଇଁ କଷ୍ଟୋଡ଼ି କେସ୍‌ କରିଛି । ଶେଷରେ ବିବାହ–ବିଚ୍ଛେଦ ଘଟିଛି । ଚାକିରୀରେ ଘନ ଘନ ବଦଳି ହୋଇଛି । ଉପରିସ୍ଥ ବସ୍‌ମାନଙ୍କ ସହ ବିବାଦ ଘଟିଛି । ରାଜନୈତିକ ନେତାମାନଙ୍କ ସହ ମଧ୍ୟ ମତାନ୍ତର ହୋଇଛି । ପୁଅ ଉପରେ କଣ କୌଣସି ଦୁଷ୍ଟ ଗ୍ରହର ପ୍ରଭାବ ପଡ଼ିଛି ? ଏହି ଚିନ୍ତା ତାଙ୍କୁ ଘାରୁଥିଲା ।

 

ଶିଳାଦିତ୍ୟଙ୍କ ତାଳପତ୍ର ନିର୍ମିତ କୁଣ୍ଡଳୀ ତାଙ୍କ ପେଡ଼ି ଭିତରେ ସାଇତା ହୋଇଥିଲା । ତାହା ସେ ଅନେକ ବର୍ଷ ତଳେ ଶିଳାଦିତ୍ୟର ବିବାହ ସମୟରେ ବାହାର କରିଥିଲେ । ସେହି କୁଣ୍ଡଳୀକୁ ଧରି ସେ ପ୍ରସିଦ୍ଧ ଗଣକ ରାମାନନ୍ଦ ଶାସ୍ତ୍ରୀଙ୍କ ପାଖକୁ ଯାଇଥିଲେ ।

 

ଶାସ୍ତ୍ରୀଜୀ ଗଣନା କରି କହିଲେ ଶିଳାଦିତ୍ୟଙ୍କର ଏବେ ଶନିଦଶା ପଡ଼ିଛି । ତେବେ ଜୀବନର ମଧ୍ୟାହ୍ନରେ ଏହି ଦଶା ପଡ଼ିଥିବାରୁ ଭୟର କୌଣସି କାରଣ ନାହିଁ । ଶନିଦଶା କଟିବା ପାଇଁ ଶନିଦେବତାଙ୍କ ପୂଜା କରିବାକୁ ପଡ଼ିବ । ତା’ପରେ ଶାସ୍ତ୍ରୀଜୀ ଏହି ପୂଜା ସମୟରେ କି କି ବିଧାନ କରିବାକୁ ପଡ଼ିବ, ବର୍ଣ୍ଣନା କରିଥିଲେ ।

 

–ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରିବ ।

–ଶନିବାର ଦିନଗୁଡ଼ିକ ଉପବାସ କରିବ ।

–ନିରାମିଷ ଭୋଜନ ସେବନ କରିବ ।

–ଡାହାଣ ହାତ ମଝି ଆଙ୍ଗୁଠିରେ ନୀଳା ପିନ୍ଧିବ ।

–ଶନି ମନ୍ଦିରରେ ଦୀପ ଦାନ କରିବ ।

–ସୋରିଷ ତେଲରେ ଗୁଡ଼ ଓ ଅଟାର ଗୁଳାକୁ ଭାଜି କୁଆମାନଙ୍କୁ ଖୁଆଇବ ।

 

ଶିଳାଦିତ୍ୟ ଏସବୁ କର୍ମକାଣ୍ଡରେ ବିଶ୍ୱାସ କରନ୍ତି ନାହିଁ । କୌଣସି ମନ୍ଦିର, ପୂଜାସ୍ଥଳରେ ତାଙ୍କୁ କେହି ଦେଖିବାକୁ ପାଇବେ ନାହିଁ । ତାଙ୍କ ଦର୍ଶନ ଅନୁସାରେ, ମନୁଷ୍ୟର ସେବା ହିଁ ଭଗବାନଙ୍କ ପୂଜା । ଏବେ ସେ ଗୁରୁତର ଅସୁସ୍ଥ । ସୁସ୍ଥ ଥିଲେ ମଧ୍ୟ ମା’ଙ୍କ କଥା ମାନି ସେ ଏଭଳି ପୂଜାପାଠ କେବେ କରି ନଥାନ୍ତେ ।

 

ମାସର ଶେଷ ଶନିବାର ଆସିଥିଲା । ସୁନାକୁ ଡ଼ାକ୍ତରଖାନାରେ ଜଗାଇ ଦେଇ ରୂପାକୁ ଧରି ସାବିତ୍ରୀ ଦେବୀ ସହରର ଉପାନ୍ତରେ ଥିବା ଶନି ମନ୍ଦିରକୁ ଯାଇଥିଲେ । ଏହି କେତେ ଦିନ ହେଲା ସୁନା ଓ ରୂପା ତାଙ୍କର ନିତ୍ୟନୈମିତ୍ତିକ ରଦ୍ଦି ସଂଗ୍ରହ କାର୍ଯ୍ୟ ନକରି ତାଙ୍କ ପାଖରେ ଅଛନ୍ତି । ଏ ଭିତରେ ଡ଼ାକ୍ତରଖାନାର ଆଟେଣ୍ଡାଣ୍ଟ କାମ ସେ ଦୁହେଁ ଶିଖିଗଲେଣି ।

 

ସହରର ଗୋଟିଏ ମୁଣ୍ଡରେ ଛୋଟ ମନ୍ଦିରଟିଏ । ଚାରିଦିଗରେ ଘେରି ରହିଛି ଆକାସିଆ ଓ ସୁନାରୀ ଗଛଙ୍କ ଆବେଷ୍ଟନୀ । ସାଧାରଣତଃ ଏ ମନ୍ଦିରର ପରିବେଶ ଅତ୍ୟନ୍ତ ନିର୍ଜନ-। ଅନ୍ୟ କେହି ଭକ୍ତ ସେଠି ନଥିଲେ ।

 

ମନ୍ଦିରରେ ସେ ଦୀପ ଦାନ କଲେ । ଶନି ଦେବତାଙ୍କୁ ତୁଷ୍ଟ କରିବାପାଇଁ ଊଣେଇଶ ଥର ଜପ କଲେ ଶ୍ଳୋକ : “ନୀଳାଞ୍ଚନ ସମାଭାଷଂ ରବିପୁତ୍ରଂ ଯମାଗ୍ରଜମ୍‌ । ଛାୟା ମାର୍ତ୍ତଣ୍ଡସଂଭବଂ ଓଁ ନମାମି ଶନିଶ୍ଚରମ୍‌ ।’’

•••

 

(୭)

 

ଦୁଇ ଦିନ ପରେ ଶିଳାଦିତ୍ୟ ଆଖି ଖୋଲିଲେ ।

ସେଦିନ ସକାଳ ନ’ଟା ବେଳେ ନର୍ସ ଲକ୍ଷ୍ୟ କଲେ ଯେ ଶିଳାଦିତ୍ୟଙ୍କ ଓଠରେ ସ୍ଫୁରଣ ହେଉଛି । ଦୁଇ ହାତରେ ମଧ୍ୟ ସାମାନ୍ୟ କମ୍ପନ ସୃଷ୍ଟି ହୋଇଛି । ସେ ଅଧୀର ହୋଇ ଫୋନ କଲେ–ଡକ୍ଟର ! ପ୍ଲିଜ୍‌ କମ । ଆଇ.ସି.ୟୁ.କୁ ଜଲ୍‌ଦି ଚାଲି ଆସନ୍ତୁ ।

ଆନନ୍ଦାତିଶଯ୍ୟରେ ଟିକିଏ ଉଚ୍ଚ ଗଳାରେ କଥା କହୁଥିବା ନର୍ସଙ୍କ ସ୍ୱରରେ ଶିଳାଦିତ୍ୟ ଆଖି ଖୋଲିଲେ ।

–ଗୁଡ଼ମର୍ଣ୍ଣିଂ ସାର ହସି ହସି ଅଭିବାଦନ କଲେ ନର୍ସ ।

–ଗୁଡ଼ମର୍ଣ୍ଣିଂ । ମୁଁ କେଉଁଠି ?

–ଆପଣ ସିଟି ହସ୍ପିଟାଲରେ ଅଛନ୍ତି । ଆପଣଙ୍କ ମା’ ଏଇଠି ଥିଲେ । ମୁଁ ଡ଼ାକି ଦେଉଛି-

ଫୋନ ପାଇ ଡ଼ାକ୍ତର ଅରବିନ୍ଦ ରାୟ ଆସିଲେ । ପଛେ ପଛେ ଆସିଲେ ସୁନା ଓ ରୂପା ସହ ସାବିତ୍ରୀ ଦେବୀ । ସାବିତ୍ରୀ ଦେବୀଙ୍କ ଆଖିରୁ ଝରଝର ହୋଇ ଲୁହ ବହିଗଲା । ଏ ଥିଲା ଆନନ୍ଦାତିଶଯ୍ୟର ଅଶ୍ରୁ । ସେ ଶିଳାଦିତ୍ୟଙ୍କ ମୁଣ୍ଡକୁ, ଗାଲକୁ ଆଉଁସି ପକାଇଲେ । ତା’ପରେ କେଉଁ ଅଜଣା ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ ଜଣାଇଲେ ।

–ମୁଁ ଏଠିକୁ କେମିତି ଆସିଲି ?

ହସ୍ପିଟାଲରେ ପଡ଼ିଥିବାର କାରଣ ସେ ମା’ଙ୍କୁ ପଚାରିଲେ ।

ଡାକ୍ତର ରାୟ ଜବାବ ଦେଲେ–ଆପଣଙ୍କର ମୁଣ୍ଡ ପଛଆଡ଼େ ଶକ୍ତ ଆଘାତ ଲାଗିଛି । ଦଶଟି ଷ୍ଟିଚ୍‌ ହୋଇଛି । ଆପଣଙ୍କର କିଛି ମନେଅଛି, ଏହା କିପରି ହେଲା ?

ଶିଳାଦିତ୍ୟ ମନେପକାଇବାକୁ ଚେଷ୍ଟା କଲେ ।

–ଆପଣ ୱାକିଂ ଗଲାବେଳେ ଗାଡ଼ିରେ କିମ୍ବା ସ୍କୁଟରରେ କେହି ଆପଣଙ୍କୁ ଅତିକ୍ରମ କରିଯିବାର ମନେପଡ଼ୁଛି ?

–ହଁ, ମୋଟର ସାଇକେଲଟିଏ ବହୁତ ପାଖରେ ଚାଲିଗଲା ଏବଂ ମୁଣ୍ଡରେ କିଛି ଶକ୍ତ ଆଘାତ ଲାଗିବାରୁ ମୁଁ ତଳେ ପଡ଼ିଗଲି ।

–ମୋଟର ସାଇକେଲରେ ଜଣେ ନା ଦୁଇଜଣ ଆରୋହୀ ଥିଲେ ?

–ମୁଁ ତାହା ଲକ୍ଷ୍ୟ କରିନି ।

–ମୋଟର ସାଇକେଲ–ଆରୋହୀର ଚେହେରା ଆପଣଙ୍କ ଆଖିରେ ପଡ଼ିଛି ?

–ନା, ମୁଁ ଆଗକୁ ଅନାଇ ଚାଲିଥିଲି ।

ପୋଲିସର ପ୍ରାରମ୍ଭିକ ତଥ୍ୟ ଅନୁସାରେ, ତାଙ୍କ ପଛଆଡ଼ୁ କେହି ଦନ୍ଥଡ଼ା ବସ୍ତୁରେ ଆଘାତ କରିଥିଲା । ସେ ବିଷୟରେ ଆଉ ଅଧିକ ଖୋଳତାଡ଼ କରିବାକୁ ସେ ଉଚିତ ମନେକଲେ ନାହିଁ ।

ସାବିତ୍ରୀ ଦେବୀ ସୁନା ଓ ରୂପା ଦୁହିଁଙ୍କ ଆଡ଼େ ନିର୍ଦ୍ଦେଶ କରି କହିଲେ ଏ ଦୁହେଁ ପ୍ରଥମେ ଆସି ମୋତେ ଖବର ଦେଲେ । ଏ ଦୁହିଁଙ୍କୁ ମୁଁ ଏବେ ହସ୍ପିଟାଲରେ ଆଟେଣ୍ଡାଣ୍ଟ କରି ରଖିଛି ।

ସଫେଦ ସାଲୱାର ପଞ୍ଜାବୀରେ ସେ ଦୁହେଁ ଦିଶୁଥିଲେ ଦୁଇଟି କୁନି ଫ୍ଲରେନ୍‌ସ ନାଇଟିଙ୍ଗେଲ ପରି ।

ଦୁଇଝିଅଙ୍କ ମୁହଁରେ ପ୍ରସନ୍ନତାର ଲହର ଖେଳିଗଲା ।

–ମୁଁ ଏ ଦୁହିଁଙ୍କୁ ଭଲଭାବେ ମନେରଖିଛି । ବଡ଼ କାମିକା ଝିଅ ।

–ମା’, ଆଉ କିଏ କିଏ ହସ୍ପିଟାଲକୁ ଦେଖିବାକୁ ଆସିଥିଲେ ?

–ପ୍ରିୟଙ୍କା ଆସିଥିଲା ।

–ପିଲା ଦୁହେଁ ?

–ନା, ସେ ଦୁହେଁ ବୋଧେ ଖବର ଜାଣନ୍ତି ନାହିଁ ।

–ଆଉ ?

–ତୋ’ର ସାଙ୍ଗ ସୁତନୁ ବି ଆସିଥିଲା । ପ୍ରତ୍ୟେକ ଦିନ ଫୋନରେ ତୋ’ର ଖବର ନେଉଛି ।

–ମୋର ‘ବସ’ ଆସିଥିଲେ ?

–ନା । ଆଉ ଜଣେ ଭଦ୍ରମହିଳା ଆସିଥିଲେ । ସେ ଲେକ୍ଚର୍ ଅଛନ୍ତି ।

–କ’ଣ ନା ତାଙ୍କର ?

–ନାଁଟା ମୋର ମନେପଡ଼ୁନି । ପତଳା, ଡେଙ୍ଗା ।

ସୁନା ମନେ ପକାଇଦେଲା ତାଙ୍କ ନା ମନସ୍ୱିନୀ ମାଡ଼ାମ ।

‘ଓଃ’ କହି ଶିଳାଦିତ୍ୟ ଆଖି ବୁଜିଲେ ।

ଡଃ ରାୟ କହିଲେ ଆପଣ ଖୁବ୍‌ ଜଲଦି ଭଲ ହୋଇ ଘରକୁ ଯିବେ । ଏବେ ବେଶୀ କଥାବାର୍ତ୍ତା କରନ୍ତୁ ନାହିଁ । ମୁଁ ଇଂଜେକ୍‌ସନ ଦେଇ ଦେଉଛି । ଆପଣ ଟିକିଏ ବିଶ୍ରାମ ନିଅନ୍ତୁ ।

ସାବିତ୍ରୀ ଦେବୀଙ୍କୁ ଲକ୍ଷ୍ୟ କରି କହିଲେ–ସାରଙ୍କର ଯଥେଷ୍ଟ ବିଶ୍ରାମ

ଦରକାର । ମୁଁ ଇଂଜେକ୍‌ସନ ଦେଉଛି । ଟିକିଏ ପରେ ସେ ଶୋଇପଡ଼ିବେ । ଆପଣମାନେ ଏବେ ତାଙ୍କୁ ଏକଲା ଛାଡ଼ି ଦିଅନ୍ତୁ । ଆଉ କୌଣସି ଚିନ୍ତା ନାହିଁ ।

“ଭଗବାନଙ୍କର ଅସୀମ ଦୟା’’ କହି ସାବିତ୍ରୀ ଦେବୀ ଆଉଥରେ ପ୍ରଣିପାତ କଲେ ।

•••

 

(୮)

 

ଶିଳାଦିତ୍ୟ ବେଡ଼ରେ ଶୋଇ ଶୋଇ ପୁରୁଣା ଦିନଗୁଡ଼ିକର ଅଭୁଲା ସ୍ମୃତିଗୁଡ଼ିକ ସାଉଁଟୁ ଥିଲେ । ମନେପଡ଼ୁଥିଲା ମନସ୍ୱିନୀଙ୍କ ସହ ସାନ୍ନିଧ୍ୟର ସେହି ସୁନେଲି ମୁହୂର୍ତ୍ତ ସବୁ ।

 

କଲେଜରେ ତାହା ଥିଲା ଶେଷ ଦିନ । ଅଲ୍‌ଇଣ୍ଡିଆ ସର୍ଭିସ ପାଇଥିବାରୁ ଏଇ କିଛିଦିନ ତାଙ୍କୁ ଅନେକ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳୁଥିଲା । କିନ୍ତୁ ମନସ୍ୱିନୀଙ୍କ ଦେଖା ନଥିଲା । ସେ ଆଶା କରିଥିଲେ ମନସ୍ୱିନୀ ନିଶ୍ଚିତ ଭାବେ ଆସିବେ । ମନସ୍ୱିନୀ ଅପେକ୍ଷା କରିଥିଲେ ଯେ ଶିଳାଦିତ୍ୟ ଏ ସୁସମ୍ବାଦ ନେଇ ନିଜେ ଆସନ୍ତୁ ।

 

ଶେଷରେ ମନସ୍ୱିନୀ ଆସିଥିଲେ । ପିନ୍ଧିଥିଲେ ରେଡ଼ବର୍ଡର ଥିବା ଧଳାଶାଢ଼ିଟିଏ । ଏକ ଅଭିମାନିନୀ ବିରହିଣୀର ରୂପ ଧରି ମଧ୍ୟ ସେ ଖୁବ ସୁନ୍ଦର ଦିଶୁଥିଲେ । ନିଜର ସ୍ପନ୍ଦିତ ଓଠକୁ ନିୟନ୍ତ୍ରଣ କରି ଶୁଷ୍କ ହସଟିଏ ହସି କହିଲେ ଆପଣ ମିଠା ଦେଲେନି । ମୁଁ ନେଇ ଆସିଛି । ଆଗରୁ ଆସିଥାନ୍ତି । ମୋତେ ଭାଇରାଲ ଫିଭର ହୋଇଥିଲା ।

 

ଶିଳାଦିତ୍ୟ ଆବେଗର ସହ ତାଙ୍କ ହାତଧରି କହିଥିଲେ–ଓଃ, ଆଇ ଆମ ଭେରି ସରି । ଏବେ ବି ଜ୍ୱର ଅଛି ? ମୁଁ ନିଜେ ଯାଇଥାନ୍ତି । କିନ୍ତୁ ରିଲିଭ ହେବାପାଇଁ ଏତେ ଫର୍ମାଲିଟି ଯେ ସମୟ ମିଳି ନଥିଲା । ଖୁବ ଦୌଡ଼ାଦୋଡ଼ି କରିବାକୁ ପଡ଼ିଲା ।

 

ମନସ୍ୱିନୀଙ୍କ ଓଠ କମ୍ପିଉଠିଲା । ଏତିକିଟିଏ ସହାନୁଭୂତିର ଶବ୍ଦରେ ତାଙ୍କ ନେତ୍ର ପ୍ରାନ୍ତରେ ଅଶ୍ରୁବିନ୍ଦୁ ଜକଜକ କରିଆସିଲା ।

 

–ଆଇ ଆମ ରିଏଲି ଭେରି ସରି । କାମଚାପ ଯୋଗୁଁ ମୁଁ ତୁମ ଖବର ରଖିପାରିନି ।

ପୁଣିଥରେ ଶିଳାଦିତ୍ୟ କ୍ଷମା ମାଗିଲେ ।

 

–ସାର, ଆପଣ ଏବେ ଖୁବ ବଡ଼ ଅଫିସର ହୋଇଗଲେ । ଏବେ ଆଉ ମନେ ରଖିବେ ତ ?

 

ମନସ୍ୱିନୀଙ୍କ ମନରେ ଆଶଙ୍କାଟା ସ୍ୱାଭାବିକ ଥିଲା ।

ଶିଳାଦିତ୍ୟଙ୍କ ଘରକୁ ସେ ବହିନେବା ପାଇଁ ଖାତା ଦେଖାଇବା ପାଇଁ ବା ପାଠ ବୁଝିବା ପାଇଁ ଅନେକ ଥର ଆସିଛନ୍ତି । ଏବେ ବି.ଏ. ପାଠ ପଢ଼ା ସରିଯାଇଛି । ଜଣେ ଅବିବାହିତ ଅଧ୍ୟାପକଙ୍କ ଘରେ ନିରୋଳାରେ ବସି କିଛି ସମୟ ଗପିବା ପାଇଁ ସେ ସମୟର ବା ଯୁଗର ସ୍ୱୀକୃତି ନଥିଲା । ତେଣୁ ସେ ଯିବାକୁ ଉଠିଲେ ।

 

ଦୁହେଁ ଅନୁଭବ କଲେ ଯେ ତାଙ୍କର ଅନେକ କଥା ଅକୁହା ହୋଇ ରହିଗଲା ।

–ସାର, ଚିଠି ଦେବେ ।

ଏତିକି କହି ସେ ବିଦାୟ ନେଇଥିଲେ ।

 

ଶିଳାଦିତ୍ୟ ନିଜ ବସାଘରର ଝର୍କା ବାଟେ ତାଙ୍କୁ ଅନେକ ସମୟ ଯାଏ ସତୃଷ୍ଣ ନୟନରେ ଚାହିଁ ରହିଥିଲେ । ତାଙ୍କ ଭଡ଼ାଘରର ଝର୍କା କଡ଼ରେ ରାସ୍ତାକୁ ଲାଗିଥିଲା ଛୋଟ ବଗିଚାଟିଏ । ଝର୍କାର ରେଲିଂକୁ ଛୁଇଁ ଉଠିଥିଲା ହେନା ଗଛଟିଏ । ତା’ର ଡ଼ାଳସବୁ ନଇଁ ଯାଇଥିଲେ ଦୋଲା ଦୋଲା ଫୁଲରେ । ପବନରେ ଖେଳି ଯାଉଥିଲା ତା’ର ମନମତାଣିଆ ମହକ । ସେହି ହେନା ଗଛର ବାସ୍ନା ତାଙ୍କୁ ସେଦିନ ପ୍ରଲୁବ୍ଧ କରିପାରୁ ନଥିଲା ।

 

କଲେଜରେ ଥିଲାବେଳେ ବହି, ନୋଟ ଆଦାନପ୍ରଦାନ ଥିଲେ ମଧ୍ୟ ଦୁହେଁ ପରସ୍ପରକୁ ଚିଠି ଦେଇ ନଥିଲେ । ମସୌରୀକୁ ଗଲାପରେ ଶିଳାଦିତ୍ୟ ପ୍ରଥମକରି ଚିଠି ଦେଲେ । ଶୈଳରାଣୀ ମସୌରୀର ଅନିର୍ବଚନୀୟ ସୌନ୍ଦର୍ଯ୍ୟର ଏକ ଲମ୍ବା ବିବରଣୀ ଦେବାପରେ ସେ ଶେଷରେ ଲେଖିଥିଲେ–ମନି, ମୁଁ ତୁମକୁ ଭଲ ପାଏ ।

 

ଏହି ଗୋଟିଏ ଧାଡ଼ି ସେ ଅନେକ ଚେଷ୍ଟାକରି ଆଗରୁ କହିପାରି ନଥିଲେ ।

ଅନେକ ଦିନଧରି ମନସ୍ୱିନୀଠାରୁ କୌଣସି ପ୍ରତ୍ୟୁତ୍ତର ଆସି ନଥିଲା । ଶିଳାଦିତ୍ୟ ବଡ଼ ଆଶଂକିତ ହୋଇଯାଇଥିଲେ । ଚିଠିଟି ଅନ୍ୟ କାହା ହାତରେ ପଡ଼ିଗଲା କି ?

 

ଇତି ମଧ୍ୟରେ ମସୌରୀର ଅନ୍ୟ ଏକ ବିଶେଷ କାର୍ଯ୍ୟକ୍ରମ “ଭିଲେଜ ଭିଜିଟ’’ ଶେଷ ହୋଇଯାଇଥିଲା । ଉତ୍ତର ପ୍ରଦେଶର ଏକ ଆଦର୍ଶ ଗ୍ରାମ ଜୌନପୁରକୁ ତାଙ୍କର ଗ୍ରୁପ୍‌ ଯାଇଥିଲା । ଏହି କାର୍ଯ୍ୟକ୍ରମର ସାରାଂଶ ଉପରେ ତାଙ୍କର ପରବର୍ତ୍ତୀ ଚିଠିଟି ଆଧାରିତ ହୋଇଥିଲା ।

 

ଦିନେ ଲଞ୍ଚ ପରେ ଲାଇବ୍ରେରୀକୁ ଫେରିଲା ବେଳେ ତାଙ୍କପାଇଁ ଚିଠିଟିଏ ଅପେକ୍ଷା କରିଥିଲା । ଚିଠି ତ ନୁହେଁ, ତାହା ଯେପରି ଏକ ଦୀର୍ଘ ପ୍ରେମ କବିତା । ଏକ ଅନୂଢ଼ା ତରୁଣୀର ସବୁ ସ୍ୱପ୍ନ, ସବୁ ଆକାଂକ୍ଷା ଠୁଳ ହୋଇଥିଲା ସେହି ଚିଠିରେ । ଚିଠି ଶେଷରେ ଏକ ଅନୁରୋଧ ଥିଲା–ମୋର ଚିଠିଗୁଡ଼ିକ ଏଣିକି ମୋ’ ମାଉସୀ ଝିଅ ରୁନୁ ଠିକଣାରେ ପଠାଇବେ ।

 

ଶିଳାଦିତ୍ୟଙ୍କ ମୁହଁରୁ ସ୍ୱତଃ ବାହାରିଗଲା–ଭୀରୁ ବାଳିକା । ଯେଉଁ ଧାଡ଼ିଟି ଶୁଣିବା ପାଇଁ ସେ ବର୍ଷାଧିକ କାଳ ବ୍ୟଗ୍ରତାର ସହ ପ୍ରତୀକ୍ଷା କରିଥିଲା, ତାହା ଶୁଣିବା ପରେ ଏତେ ଭୟ କାହିଁକି-?

 

ଆଉଥରେ ସେ ସାଥୀ ଗହଣରେ କେମ୍ପଟୀ ଫଲ୍‌କୁ ବୁଲିବାକୁ ଯାଇଥିଲେ । ଏକାଡ଼େମୀ କ୍ୟାମ୍ପସରୁ ପ୍ରାୟ ପନ୍ଦର କିଲୋମିଟରର ରାସ୍ତା । ଫେରିବାବେଳେ ମୂଷଳଧାରାରେ ବର୍ଷା ହେଲା । ମସୌରୀରେ ଏମିତି ଅନହୂତି ବର୍ଷା ଆସେ ବର୍ଗୀପରି । ଛତା ନେଇଥିଲେ ମଧ୍ୟ ତାହା କୌଣସି କାମକୁ ଆସି ନଥିଲା । ସଂପୂର୍ଣ୍ଣ ରୂପେ ଭିଜି ଯାଇଥିବାରୁ ତିନିଦିନ ଧରି ସେ ଜ୍ୱରରେ ପଡ଼ିଲେ ।

 

ସେହି ସମୟରେ ସେ ଏକ ଭାବୁକ ପାଲଟି ଯାଇ ଚିଠିଟିଏ ଲେଖିଥିଲେ ଏଠି ଏବେ ଟିଣ ଛାତ ଉପରେ ବର୍ଷାର କୋରଡ଼ା ମାଡ଼ ଚାଲିଛି । ଏଠି କେବଳ ବର୍ଷା ଓ ବର୍ଷାର ଅସପତ୍ନ ରାଜତ୍ୱ । କିନ୍ତୁ ଏ ବର୍ଷଣମୁଖର ଦିନଗୁଡ଼ିକ ମୋ’ ପାଇଁ ବେଶୀ ସ୍ମରଣୀୟ । କାରଣ ତୁମର ମଧୁର ସ୍ମୃତି ବ୍ୟତିରେକ ଅନ୍ୟ କୌଣସି ଭାବନା ମସ୍ତିଷ୍କରେ ପ୍ରବେଶ କରିବାର ଅବକାଶ ନାହିଁ । ମସୌରୀର ଏ ବର୍ଷା ପରି ତୁମେ ଥରେ ଅନହୂତି ଏଠିକୁ ଆସନ୍ତନି ?

 

ମନେପଡ଼ୁଥିଲା ମସୌରୀର ସବୁଠୁ ରୋମାଞ୍ଚକର ପ୍ରୋଗ୍ରାମ-ଟ୍ରେକିଙ୍ଗ । ଶିଳାଦିତ୍ୟଙ୍କ ଗ୍ରୁପ୍‌ ହିମାଚଳ ପ୍ରଦେଶର କୁଲୁ ମନାଲୀ ଯିବାପାଇଁ ବାଛିଥିଲେ । ପ୍ରାକୃତିକ ଦୃଶ୍ୟ ଦେଖିବା ସହ ସେଠିକାର ବାସିନ୍ଦାଙ୍କର ସଂଘର୍ଷମୟ ଜୀବନ ସହ ପରିଚିତ ହେବା ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ତାଙ୍କ ଗ୍ରୁପରେ ଚାରିଜଣ ଝିଅଙ୍କୁ ମିଶାଇ ଥିଲେ ପନ୍ଦର ଜଣ ଟ୍ରେନିଂ ।

 

ମନାଲୀର ହିମାଳୟାନ ମାଉଣ୍ଟେନିୟରିଂ ଇନଷ୍ଟିଚ୍ୟୁଟ୍‍ର ହଷ୍ଟେଲରେ କ୍ୟାମ୍ପ ପଡ଼ିଥିଲା-। ସେଇଠୁ ମନାଲୀ, ବୌଦ୍ଧ-ବିହାର, ସ୍ନୋ-ପଏଣ୍ଟ, ରୋହତାଙ୍ଗ ପାସ ପ୍ରଭୃତି ଦର୍ଶନୀୟ ସ୍ଥଳକୁ କିଛି ବାଟ ବସ ଏବଂ କିଛି ବାଟ ପଦବ୍ରଜରେ ଯିବାକୁ ହୋଇଥିଲା । ମନାଲୀ ଭ୍ରମଣର ଅନୁଭୂତି ସମ୍ବଳିତ ଏକ ଚିଠି ସେ ପଠାଇଥିଲେ ମନସ୍ୱିନୀକୁ ।
 

–ଆପେଲ ବଗିଚା ଭିତରେ ବୁଲିବୁଲି ଥକ୍କା ହୋଇ ମୁଁ ବ୍ୟାସନଦୀ କୂଳରେ ବସିଥିଲି । ସେହି ନଦୀର ଶଂଖ ଶୁଭ୍ର ଜଳ ଭିତରୁ ବଡ଼ ବଡ଼ ପଥରଖଣ୍ଡ ମୁଣ୍ଡ ଟେକିଥିଲେ । ସେଗୁଡ଼ିକୁ ଲକ୍ଷ୍ୟକରି ମୁଁ ପଥରଖଣ୍ଡମାନ ଫିଙ୍ଗୁଥିଲି । ଏହି ସମୟରେ ଶଂପା ନାମକ ଝିଅଟିଏ ମୋ’ ପାଖରେ ଆସି ବସିଲା । ସେ ଜଣେ ଆଇ.ଏଫ୍‌.ଏସ. ଅଫିସରଙ୍କ କନ୍ୟା । ସେ ଆଗରୁ ଏକାଡ଼େମୀର ଶ୍ରମଦାନ କାର୍ଯ୍ୟକ୍ରମରେ ଥରେ ମୋ’ ନିକଟତର ହେବାକୁ ଚେଷ୍ଟା କରିଥିଲା । ଏଥର ପୁଣି ସେଭଳି ଉଦ୍ୟମ କରି ପଚାରିଲା–ଏକା ବସିଛନ୍ତି ଯେ ? ନିର୍ଜ୍ଜନତା ମୋତେ ଭଲ ଲାଗେ ମୁଁ ଉତ୍ତର ଦେଲି ।

 

ବଡ଼ ସୁନ୍ଦର ଜହ୍ନରାତି । ଚାଲନ୍ତୁ ଆପେଲ ବଗିଚା ଭିତରେ ବୁଲି ଏ ଜହ୍ନରାତିର ମଜା ନେବା । ମୋତେ ନୀରବ ଦେଖି କହିଲା କାହା କଥା ଆପଣ ଭାବୁଛନ୍ତି ?

 

ମୁଁ ଭାବୁଥିଲି କହିବାକୁ ଯେ ଜଣେ କେହି ଅଛି । ଯାହାକୁ ମୁଁ ହୃଦୟ ଦେଇ ସାରିଛି । କିନ୍ତୁ ଅଭଦ୍ରାମି ହେବ ବୋଲି କହିଲି–ଚାଲନ୍ତୁ । ଡେରି ହେଲାଣି । ଇନଷ୍ଟିଚ୍ୟୁଟ ଆହୁରି ଦୁଇ ମାଇଲ୍‌ ବାଟ । ଆପଣଙ୍କୁ ନ ଦେଖି ଗ୍ରୁପ ଲିଡ଼ର ବ୍ୟସ୍ତ ହେଉଥିବେ ।

 

ଟ୍ରେକିଂର ଏହି ବୃତ୍ତାନ୍ତ ଜାଣିବା ପରେ ତାଙ୍କ ପାଖକୁ ଆସିଥିଲା ଏକ ଅଭିମାନ ଭରା ଚିଠି ଆପଣ ଏତେ ବଡ଼ ଅଫିସର । ମୁଁ ଜଣେ ମାମୁଲି ଶିକ୍ଷକଙ୍କ କନ୍ୟା । ସେଠି ଆପଣଙ୍କ ଚାରିପଟେ ପରୀ ଭଳି ସୁନ୍ଦରୀ ଝିଅ ବୁଲୁଥିବେ । ଆପଣ ମୋତେ ଭୁଲିଯିବେନି ତ ?

 

ପ୍ରଥମ ପର୍ଯ୍ୟାୟର ଟ୍ରେନିଂ ସରି ସରି ଆସୁଥିଲା । ଏଣିକି ସେ ବେଶୀ ବେଶୀ ଅଥୟ ହୋଇପଡ଼ୁଥିଲେ । ଏହାପରେ ଟ୍ରେନିଂମାନଙ୍କୁ ଭାରତ ଦର୍ଶନ ପ୍ରୋଗ୍ରାମରେ ଯିବାକୁ ପଡ଼ିବ । ଦେଶର କୋଣେ କୋଣେ ବୁଲିବାକୁ ପଡ଼ିବ । ତା’ପରେ ଡିଷ୍ଟ୍ରିକ୍ଟ ଟ୍ରେନିଂ । ସେହି ସମୟଗୁଡ଼ିକରେ ଏକା ଏକା ରହିବା ଦୁର୍ବିସହ ହୋଇପଡ଼ିବ । ମନସ୍ୱିନୀ ସହ ଛ’ମାସ ହେଲା ଦେଖା ହୋଇ ନାହିଁ । ସ୍ଥିର କରିଥିଲେ ଯେ ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ପରେ ମନସ୍ୱିନୀଙ୍କ ଘରେ ପ୍ରସ୍ତାବ ଦେବେ । ଏକ ନିରଳସ ବିବାହ ଅନୁଷ୍ଠାନ ପରେ ତାଙ୍କ ସହ ବାକି ଟ୍ରେନିଂ ସ୍ଥାନଗୁଡ଼ିକ ବୁଲିବେ ।

 

ଦିନେ ହଠାତ୍‌ ଆସିଥିଲା ନିମନ୍ତ୍ରଣ ପତ୍ରଟିଏ । ତା’ ସହିତ ମନସ୍ୱିନୀର କୈଫିୟତ ଭରା ଚିଠି ନିମନ୍ତ୍ରଣ ପତ୍ର ପାଇ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଘୃଣାରେ ଭରିଯାଉଥିବ ଆପଣଙ୍କ ହୃଦୟ-। ଏକ ବ୍ଳାକମେଲର ଶିକାର ହୋଇ ମୁଁ ବିବାହ ବେଦୀକୁ ଘୋଷଡ଼ା ହୋଇଯାଉଛି । ରୁଦ୍ର ମୋତେ ଏକତରଫା ଭାବେ ଭଲପାଉ ଥିଲେ । ସୁଯୋଗ ପାଇବା ମାତ୍ରେ ମୋର ନିକଟତର ହେବାକୁ ଚେଷ୍ଟା କରୁଥିଲେ । ଥରେ ନିର୍ଲଜ୍ଜ ଭାବେ ଘୋଷଣା କଲେ ଯେ ମୋତେ ବିବାହ ନ କଲେ ସେ ଆତ୍ମହତ୍ୟା କରିବେ । ଏଭଳି ଧମକରେ ମୁଁ ଦବିଯିବାର ନଥିଲି । ତେଣୁ ସେ ତାଙ୍କ ଶେଷ ଅସ୍ତ୍ର ପ୍ରୟୋଗ କରିବାକୁ ଭୁଲିଲେ ନାହିଁ । ମୋର ବାପାଙ୍କୁ ପ୍ରଚ୍ଛନ୍ନ ଧମକ ଦେଲେ ଯେ ମୋତେ ନ ପାଇଲେ ପରିସ୍ଥିତି ବିଷମୟ ହେବ । ମୋତେ ଏବଂ ମୋ’ ସାନଭଉଣୀକୁ କିଡ଼ନ୍ୟାପ କରି ନିଆଯିବ । କିଛି ଦିନପରେ ମୋ’ ବାପାଙ୍କ ଉପରେ ଅନ୍ଧାରିଆ ଆକ୍ରମଣ ହେଲା । ଅନେକ ଦିନ ଧରି ତାଙ୍କୁ ଶଯ୍ୟାଶାୟୀ ହେବାକୁ ପଡ଼ିଲା । ରୁଦ୍ର ଥିଲେ ପ୍ରତିପତ୍ତି ପରାୟଣ ଏବଂ ଅସାମାଜିକ ସ୍ୱଭାବର । ମୋର ବାପା ଭୟ ପରବେଶ ହୋଇ ତାଙ୍କ ସହ ମୋତେ ଛନ୍ଦି ଦେବାକୁ ରାଜି ହୋଇଗଲେ । ଶେଷକୁ ମୋ’ ଭାଗ୍ୟରେ ଏୟା ଲେଖା ହୋଇଥିଲା ? ବାକି ସବୁ ଦେଖା ହେଲେ କହିବି ।

 

ଏଭଳି ଚିଠିଟିଏ ମନସ୍ୱିନୀଙ୍କଠାରୁ ପାଇବେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ନାରୀଜାତି ପ୍ରତି ତାଙ୍କର ମନ ବିଷମୟ ହୋଇ ଉଠିଥିଲା । ଭାବୁଥିଲେ, ପ୍ରକୃତରେ ସେ କ’ଣ ଚକ୍ରାନ୍ତର ଶିକାର ହୋଇଛନ୍ତି ନା ଏହା ଏକ କପୋଳ–କଳ୍ପିତ କାହାଣୀ ?

 

ସେ କେତୋଟି ଦିନ ସେ ବାତଚକ୍ର ପରି ଏଣେ ତେଣେ ଘୂରି ବୁଲୁଥିଲେ । ମେସ୍‌କୁ ଯିବା ସମୟରେ କ୍ଳାସରେ ପହଞ୍ଚି ଯାଉଥିଲେ । ଲାଇବ୍ରେରୀକୁ ଯିବାକୁ ମନସ୍ଥ କରି ପହଞ୍ଚି ଯାଉଥିଲେ ହ୍ୟାପି-ଭାଲିର ଖେଳପଡ଼ିଆରେ । ଯୋଗ ସେଣ୍ଟର ଯିବାକୁ ଭାବି ପହଞ୍ଚି ଯାଉଥିଲେ ହରିଶ-କ୍ୟାଣ୍ଟିନ ପାଖରେ । ଏବେ ତାଙ୍କର ହ୍ୟାପି ଭାଲିର ରହଣି ପାଲଟି ଯାଇଥିଲା ଏକ ଅକଥନୀୟ ଯନ୍ତ୍ରଣାରେ ।

•••

 

(୯)

 

ଶିଳାଦିତ୍ୟଙ୍କୁ ହସ୍ପିଟାଲରେ ଦେଖାକରି ଫେରି ଆସିଥିଲେ ମନସ୍ୱିନୀ । ମନେ ପଡ଼ୁଥିଲା ତାଙ୍କ ସହ ଦୁଇ ବର୍ଷ ତଳର ସାକ୍ଷାତକାର । ସେତେବେଳେ ସେ ଜାଣିଥିଲେ ଦୁହିଁଙ୍କ ଭାଗ୍ୟରେ ଘଟିଛି ସମାନ ବିପର୍ଯ୍ୟୟ ।

ପଢ଼ା ସରିବାପରେ ସେ ଏକ ପ୍ରାଇଭେଟ୍‌ କଲେଜରେ ଅଧ୍ୟାପିକା ଭାବେ ଜଏନ କରିଥିଲେ । କେତୋଟି ଚିଠି ପଠାଇବା ପରେ ମଧ୍ୟ ସେ ଶିଳାଦିତ୍ୟଙ୍କଠାରୁ କୌଣସି ପ୍ରତ୍ୟୁତ୍ତର ପାଇନଥିଲେ । ଭାବୁଥିଲେ, ସେ ବୋଧେ ତାଙ୍କୁ କ୍ଷମା କରିନାହାନ୍ତି । ସେ ବୋଧେ ଆଉ କୌଣସି ସଂପର୍କ ରଖିବାକୁ ଚାହୁଁ ନାହାନ୍ତି ।

ଏ ଭିତରେ ତାଙ୍କର ସ୍ୱାମୀ ରୁଦ୍ରନାରାୟଣ ନିଜ ବ୍ୟବସାୟରେ ତଳିତଳାନ୍ତ ହୋଇଯାଇଥିଲେ । ଦିନେ ସେ ମନସ୍ୱିନୀଙ୍କ ସଞ୍ଚିତ ଅର୍ଥ ଏବଂ ଅଳଙ୍କାର ହାସଲ କରିବାପାଇଁ ତାଙ୍କ ଆଲମିରା ଭାଙ୍ଗିଲେ । ଲକର ମଧ୍ୟରେ ଅଳ୍ପ କିଛି ଟଙ୍କା ଏବଂ ଅଳଙ୍କାର ହସ୍ତଗତ କଲାବେଳେ ସେଥିରେ ଥିବା ଏକ ଲାଲ କପଡ଼ା ମଧ୍ୟରେ ସଯତ୍ନ ସଞ୍ଚିତ ପୁଡ଼ିଆଟିଏ ଆବିଷ୍କାର କଲେ । ସେହି କନା ପୁଡ଼ିଆଟି ଦୁହିଁଙ୍କ ବୈବାହିକ ଜୀବନକୁ ପୂରା ଓଲଟ ପାଲଟ କରିଦେଲା ।

ସେହି ପ୍ୟାକେଟ ଭିତରେ ଶିଳାଦିତ୍ୟଙ୍କ ପ୍ରଦତ୍ତ କେତୋଟି ପ୍ରେମପତ୍ର ସାଇତା ହୋଇ ରଖାଯାଇଥିଲା । ସେଦିନ ରାତ୍ରିରେ ସେ ଅତ୍ୟଧିକ ମଦ୍ୟପାନ କରିଆସିଲେ । ଚିଠିଗୁଡ଼ିକ ମନସ୍ୱିନୀଙ୍କ ଉପରକୁ ଫିଙ୍ଗି ଅଙ୍ଗୁଳି ନିର୍ଦ୍ଦେଶ କରି ଆକ୍ଷେପ କଲେ ତୁ ଗୋଟାଏ କୁଳଟା, ଦୋଚାରୁଣୀ ।

–ଦେଖ, ସେଭଳି ଅଭଦ୍ର ବ୍ୟବହାର କର ନାହିଁ । ମନସ୍ୱିନୀ ଧମକ ଦେଲେ ।

–ବାରମ୍ବାର ତୋତେ କୁଳଟା ବୋଲି ଗାଳି ଦେବି । ବୋଧିସତ୍ତ୍ୱ ମୋର ପୁଅଟି ? ନା ତୋ’ର ପ୍ରେମିକର ?

ଏତେ ନୀଚ୍ଚ ଲୋକ ତୁମେ । ନିଜ ପୁଅ ସଂପର୍କରେ ତମେ ଏଭଳି କଦର୍ଯ୍ୟ ଭାବିପାର-? ଛି...ଛି... । କେଜାଣି କେମିତି ଏ ଛୋଟଲୋକ ସାଥୀରେ ଏତେବର୍ଷ ବିତାଇଲି !

–ଛୋଟଲୋକ ତୁ । ଛୋଟଲୋକ ତୋ’ର ମା’ ବାପା । ଖବରଦାର କହୁଛି, ମୋ’ ଘର ଲୋକଙ୍କୁ ବେଇଜ୍ଜତ କର ନାହିଁ । ଭଲକଥା ହେବ ନାହିଁ କହୁଛି ।

କ’ଣ କରିବୁ ? ଘରଛାଡ଼ି ଚାଲିଯିବୁ ? ସେ ଚାପୁଡ଼ା ମାରିବାକୁ ହାତ ଉଠାଇଲେ–ଯା’ କହୁଛି । ମୁଁ ବେଶ ଆରାମରେ ରହିବି ।

ସେଦିନ ରାତିସାରା ସେ ବୋଧିସତ୍ତ୍ୱକୁ ଛାତିରେ ଜାକି କାନ୍ଦୁଥିଲେ । କିଛି ବୁଝି ନପାରି ପୁଅ ମଧ୍ୟ ନିଦ ଆସିବାଯାଏ ରାହା ଧରି କାନ୍ଦୁଥିଲା ।

ପରଦିନ ସେ ରୁଦ୍ରଙ୍କ ଘର ଛାଡ଼ି ଏକ ଭଡ଼ାଘରକୁ ସ୍ଥାନାନ୍ତରିତ ହୋଇଥିଲେ ।

ଯେତେବେଳେ ପ୍ରାଇଭେଟ କଲେଜର ଅଧ୍ୟାପକ ଅଧ୍ୟାପିକାମାନଙ୍କ ପାଇଁ ପ୍ରଥମ କରି ସମୂହ ବଦଳି ଆଦେଶ ଘୋଷଣା କରାଗଲା, ରାଜ୍ୟରେ ଶହ ଶହ ଅଧ୍ୟାପକ ଅଧ୍ୟାପିକା ସ୍ଥାନାନ୍ତରିତ ହେଲେ । ସେ ତାଲିକାରେ ମନସ୍ୱିନୀଙ୍କ ନାମ ମଧ୍ୟଥିଲା । ଉତ୍ତର ପ୍ରାନ୍ତରୁ ସିଧା ଦକ୍ଷିଣ ପ୍ରାନ୍ତର ଏକ କଲେଜକୁ ବଦଳି ହୋଇଥିଲା । ଘରେ ଛୋଟ ପିଲାଟିଏ । ଏ ପରିସ୍ଥିତିରେ ଘର ପାଖ କଲେଜରୁ ବଦଳି ହେବା ତାଙ୍କ ପାଇଁ ଖୁବ ଅସୁବିଧାଜନକ ଥିଲା ।

ଶିଳାଦିତ୍ୟ ଥିଲେ ଶିକ୍ଷା ବିଭାଗର ସେକ୍ରେଟାରୀ । ତାଙ୍କର ଶରଣାପନ୍ନ ହେବେ କି ନାହିଁ ସେ ବିଷୟରେ ଅନେକ ଚିନ୍ତା କରି ତାଙ୍କୁ ଶେଷକୁ ସାକ୍ଷାତ କରିବାକୁ ସେକ୍ରେଟାରିଏଟ୍‌ ଯାଇଥିଲେ ।

ସେଦିନ ଶିଳାଦିତ୍ୟ ଅଫିସ ପହଞ୍ଚିବାରେ ଡେରି କରିଥିଲେ । ତେଣୁ ତାଙ୍କୁ ବାରଣ୍ଡାର ବେଞ୍ଚରେ ବସି ଅପେକ୍ଷା କରିବାକୁ ପଡ଼ିଲା ।

ଦିନ ଏଗାରଟା ପରେ ସେ ଅଫିସ ଆସିଲେ । ସାକ୍ଷାତ୍‌କାର ପାଇଁ ଅପେକ୍ଷମାଣ ଅନେକ ବ୍ୟକ୍ତି ସମ୍ଭ୍ରମରେ ଠିଆହୋଇ ନମସ୍କାର କଲେ । ସେ କାହା ଆଡ଼େ ନ ଚାହିଁ ପ୍ରକୋଷ୍ଠ ଭିତରକୁ ପ୍ରବେଶ କଲେ । କିଛି ଫାଇଲ ଧରି ତାଙ୍କର କୌଣସି ଅଧସ୍ତନ ଅଧିକାରୀ ପଛେ ପଛେ ପ୍ରବେଶ କଲେ ।

ସାକ୍ଷାତ୍‌କାର ପାଇଁ ବସିଥିବା ପ୍ରାର୍ଥୀମାନଙ୍କର ସ୍ଲିପ୍‌ ଏକତ୍ର କରି ପିଅନ ଭିତରେ ପହଞ୍ଚାଇ ଦେଲା ।

ବେଞ୍ଚରେ ବସି ମନସ୍ୱିନୀ ମନଶ୍ଚକ୍ଷୁରେ ଦେଖୁଥିଲେ, ସେହି ଦୀର୍ଘକାୟ କୃଷ୍ଣାଙ୍ଗ ଅଧ୍ୟାପକଙ୍କୁ । ସତର ବର୍ଷ ପରେ ପୁଣି ଦେଖୁଛନ୍ତି ତାଙ୍କୁ । ତାଙ୍କ ଓଠ ପ୍ରାନ୍ତରେ ଅଜାଣତରେ ସ୍ମିତ ହସଟିଏ ଉକୁଟି ଉଠିଲା । ଏହି ସତର ବର୍ଷ ଭିତରେ ଶିଳାଦିତ୍ୟ କେତେ ମୋଟା ହୋଇଯାଇଛନ୍ତି । ମନେ ମନେ ଭାବୁଥିଲେ, ବୋଧହୁଏ ଚାକିରୀ ଜୀବନରେ ସେ ବେଶ ଖୁସି ଅଛନ୍ତି ।

ଘଣ୍ଟାଏ ପରେ ଫାଇଲ କାମ ସାରି ଅଧସ୍ତନ ଅଧିକାରୀ ଜଣକ ପ୍ରକୋଷ୍ଠରୁ ବାହାରିବା ପରେ ଜଣ ଜଣ କରି ସାକ୍ଷାତକାର ପାଇଁ ଅପେକ୍ଷମାଣ ବ୍ୟକ୍ତିଙ୍କୁ ଡ଼କାଗଲା ।

କେତେ ସମୟ ପରେ ମନସ୍ୱିନୀଙ୍କ ପାଳି ପଡ଼ିଲା ସେ ଭିତରକୁ ଆସିଲେ । ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଶିଳାଦିତ୍ୟ ବସିବା ସ୍ଥାନରୁ ଉଠିପଡ଼ି କହିଲେ–ଓଃ ତମେ ? ମୁଁ ଜାଣି ନଥିଲି ତୁମେ ହିଁ ବସିଛ ବୋଲି । ହଉ, ବସ ।

ଦୁହେଁ ପରସ୍ପର ଆଡ଼େ କିଛି କ୍ଷଣ ନିର୍ବାକ ହୋଇ ଚାହିଁ ରହିଲେ । ମନସ୍ୱିନୀଙ୍କ ଶରୀରରେ କୌଣସି ଆଭୂଷଣ ନଥିଲା । ଦେହରେ ସାଦା କଟନ ଶାଢ଼ିଟିଏ ପିନ୍ଧି ସେ ଆସିଥିଲେ । ବୟସ ତାଙ୍କ ଦେହରେ ଗୋଟିଏ ଛଟାଙ୍କିର ମାଂସ ଯୋଗ କରିପାରି ନଥିଲା ।

ନୀରବତା ଭଙ୍ଗକରି ଶିଳାଦିତ୍ୟ ପଚାରିଲେ ଚା’ ନା କଫି ପିଇବ ?

–ନା, ପାଣି ଗ୍ଳାସେ ଦେଇପାରନ୍ତି । ମୋର ଏସିଡ଼ିଟି ଅଛି ।

ଶିଳାଦିତ୍ୟ ବେଲ୍‌ ଦେଇ ପିଅନକୁ ଡ଼ାକିଲେ । ଆଦେଶ ଦେଲେ ମାଡ଼ାମଙ୍କୁ ପାଣି ଗ୍ଳାସେ ଆଣି ଦିଅ । ବାକି ଭିଜିଟରମାନଙ୍କୁ କୁହ ଲଞ୍ଚ ପରେ ଆସିବେ ।

–ମୋ’ ସାଥୀରେ ଲଞ୍ଚ କର । ଲଞ୍ଚ ଖାଇବାକୁ ତ ଡ଼ାକ୍ତର ମନା କରି ନଥିବେ ମୃଦୁ ହସି ମନସ୍ୱିନୀଙ୍କୁ କହିଲେ ।

ମନସ୍ୱିନୀ ଦ୍ୱିଧା ବୋଧ କରୁଥିଲେ ।

ସେ ପୁଣି ପ୍ରସ୍ତାବ ଦେଲେ–ଘରଟା ଏ ପାଖରେ । ଚାଲ ।

–ମୁଁ କାହିଁକି ଆସିଛି ସେ କଥା ପଚାରିଲେନି ତ ଆପଣ ?

–ହଁ ଚାଲ, ତମ ସାଙ୍ଗରେ ଅନେକ କଥାବାର୍ତ୍ତା ଅଛି ।

–ସାର୍‌, ଗୋଟିଏ କଥା ପ୍ରଥମେ କୁହନ୍ତୁ । ମୋ’ ଚିଠି ପାଇଥିଲେ ଆପଣ ? ଚିଠିର କୌଣସି ପ୍ରତ୍ୟୁତ୍ତର ଦେଲେନି ଯେ ।

–ଚାଲ, ପରେ ବାକି କଥା ।

ମନସ୍ୱିନୀ ବୁଝିପାରିଲେ । ଅଫିସରେ ବ୍ୟକ୍ତିଗତ କଥା ଆଲୋଚନା ପାଇଁ ସେ ବୋଧେ ଚାହାନ୍ତି ନାହିଁ । ଦୁହେଁ ବାହାରିଲେ ।

ଗାଡ଼ି ଭିତରେ ସେ ପ୍ରଶ୍ନ କଲେ–ସାର୍‌, କେମିତି ଅଛନ୍ତି, କୁହନ୍ତୁ ।

କଲୋନୀର ଆଭିନ୍ୟୁ ପ୍ଲାଣ୍ଟେସନ ମଧ୍ୟରେ ଗାଡ଼ି ଚାଲିଥିଲା । ଦୁଇ କଡ଼ରେ ସୁନାରୀ ଗଛରେ ଦୋଲା ଦୋଲା ଫୁଲ ହସିଲା ଭଳି ଲାଗୁଥିଲେ । ଡେଙ୍ଗା ଡେଙ୍ଗା ଆକାସିଆ ଗଛରେ ପକ୍ଷୀମାନେ ଥକ୍କା ମେଣ୍ଟାଉଥିଲେ । ଶିଳାଦିତ୍ୟ ସେହି ଆଡ଼େ ଚାହିଁଥିଲେ ଉଦାସ ଆଖିରେ ।

 

ମନସ୍ୱିନୀ ଅନୁମାନ କଲେ ଯେ ବୋଧହୁଏ ଡ୍ରାଇଭର ଥିବାରୁ ସେ ନିରୁତ୍ତର ରହିବାକୁ ଶ୍ରେୟସ୍କର ମଣୁଛନ୍ତି ।

ଦଶ ମିନିଟ ପରେ ଶିଳାଦିତ୍ୟଙ୍କ ବଙ୍ଗଲୋରେ ପହଞ୍ଚି ଥିଲେ । ହର୍ଣ୍ଣ ଶୁଣି ଦରୱାନ୍‌ ଗେଟ ଖୋଲି ସାଲ୍ୟୁଟ୍‌ ମାରିଲା । ପୋର୍ଟିକୋ ତଳେ ଗାଡ଼ି ଠିଆ ହେଲାପରେ ଦପ୍ତରୀ କାର୍‌ର ଦରୱାଜା ଖୋଲି ଧରିଲା । ପୂଜାରୀ ଘରର ଗ୍ରୀଲ ଖୋଲି ନମସ୍କାର କଲା । ଡ୍ରଇଂରୁମରେ ପହଞ୍ଚି ଶିଳାଦିତ୍ୟ କହିଲେ–ବସ ।

ଘର ଭିତରେ ସନସନ ନୀରବତା ରାଜୁତି କରୁଥିଲା । ଶିଳାଦିତ୍ୟ ବାଥରୁମ୍‌ରୁ ଆସି ପୂଜାରୀକୁ ନିର୍ଦ୍ଦେଶ ଦେଲେ–ଖାନା ଲଗାଅ ।

ମନସ୍ୱିନୀ ବାଥରୁମ ଯାଇ ଫେରିଆସି ଏଣେତେଣେ ଅନାଇ ପଚାରିଲେ ମାଡ଼ାମ୍‌ ନାହାନ୍ତି କି ?

–ନା, ବାପଘରେ ଆସିଲା ସଂକ୍ଷିପ୍ତ ଉତ୍ତରଟିଏ ।

–ପିଲାମାନେ ?

–ଦୁହେଁ ବୋର୍ଡିଂ ସ୍କୁଲରେ ରହି ପଢ଼ୁଛନ୍ତି ଡେରାଡ଼ୁନରେ ।

–ମାଉସୀ ?

–ଗାଁକୁ ଯାଇଛନ୍ତି । ଗାଁ ମଠରେ ତାଙ୍କର କିଛି ମାନସିକ ପୂଜା ଅଛି । ବିଭିନ୍ନ ଓଷାବ୍ରତରେ ସେ ସଦାସର୍ବଦା ବ୍ୟସ୍ତ ।

–ଆପଣଙ୍କ ପରିବାରରେ କୌଣସି ସୁଖ, ସଂପଦ ବା ଐଶ୍ୱର୍ଯ୍ୟର ଅଭାବନାହିଁ । ଆଉ କାହାପାଇଁ ଏତେ ପୂଜାପାଠ ?

–ସେ ଭାବୁଛି, ପୂଜାର୍ଚ୍ଚନା କଲେ, ପ୍ରିୟଙ୍କା ଓ ମୋର ସଂପର୍କ ପୁଣି ଯୋଡ଼ି ହୋଇଯିବ ।

–ମାନେ ? ଚମକି ଉଠିଲେ ମନସ୍ୱିନୀ ।

–ଆପଣଙ୍କ ପାଖରେ ମାଡ଼ାମ୍‌ ରହୁନାହାନ୍ତି ?

ଶିଳାଦିତ୍ୟ ନୀରବ ରହିଲେ । ଲଞ୍ଚ ସରି ଯାଇଥିଲା । ପୂଜାରୀ ବଳକା ଖାଦ୍ୟ ପଦାର୍ଥ ରୋଷେଇ ଘରକୁ ନେଇଗଲା । ଦପ୍ତରୀ ଟେବୁଲ ସଫାକରି ଠିଆ ହେଲା ।

–ତମେମାନେ ଖାଇବାକୁ ଚାଲିଯାଅ । ଡ୍ରାଇଭରକୁ କୁହ ଖାଇକରି ଆସିବ । ଘଣ୍ଟାଏ ପରେ ଅଫିସ ଯିବି ।

ଶିଳାଦିତ୍ୟ କହିଲେ ଆମର ସେପାରେସନ ହୋଇଛି ।

–କିନ୍ତୁ, କାହିଁକି ?

–ତୁମର ଖଣ୍ଡିଏ ଚିଠି ପ୍ରିୟଙ୍କା ହାତରେ ପଡ଼ିବା ପରେ ସେ ବଡ଼ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଘରଛାଡ଼ି ଚାଲିଗଲା ।

“ହେ ଭଗବାନ’’ ଏତିକି କହି ମନସ୍ୱିନୀ ମୁଣ୍ଡରେ ହାତଦେଇ ବସିଲେ । ଅନେକ ସମୟ ଯାଏ ତାଙ୍କ ତୁଣ୍ଡରୁ କିଛି ପଇଟିଲା ନାହିଁ । କିଛି ସମୟ ପରେ କହିଲେ ଆପଣଙ୍କ ଜୀବନରେ ଯାହା ଘଟିଛି, ମୋ’ ଜୀବନରେ ଠିକ୍‌ ତାହା ହିଁ ଘଟିଛି ।

–ତମେ କ’ଣ କହିବାକୁ ଚାହୁଁଛ ?

–ଆମର ମଧ୍ୟ ଡିଭୋର୍ସ ହୋଇଛି ।

–କାରଣ ?

Unknown

–ଆପଣଙ୍କର ପୁରୁଣା ଚିଠି ସବୁ । ତା’ ବାଦ ମୁଁ ଆପଣଙ୍କୁ ସୂଚାଇ ଥିଲି, ସେ ଏକ ନଷ୍ଟ ସ୍ୱଭାବର ଲୋକ । “ଓଃ, ଆଇ ଆମ ଭେରି ସରି’’ କହି ସେ ମନସ୍ୱିନୀର ହାତ ପାପୁଲିକୁ ଧରିଲେ ।

ମନସ୍ୱିନୀ ନିଜକୁ ଅପ୍ରତିଭ ମନେକଲେ । ତାଙ୍କ ମୁହଁରୁ ନିର୍ଗତ ହେଲା ଏକ ଭୀରୁ ସ୍ମିତ ହାସ୍ୟ । ସାର୍‌, ଗୋଟିଏ କଥା ରଖିବେ ? ନୀରବତା ଭଙ୍ଗକରି ସେ ପଚାରିଲେ ।

–କୁହ ।

–ମୋର ଚିଠିଗୁଡ଼ିକ ଆପଣଙ୍କ ପାଖରେ ଅଛି ?

–ହଁ, ଗୋଟିଏ ଚିଠିକୁ ଛାଡ଼ି । ସେତିକି ହିଁ ମୋର ମିଠା ସ୍ମୃତିର ସନ୍ତକ । ଦୁଃଖର ମୁହୂର୍ତ୍ତଗୁଡ଼ିକରେ ସାନ୍ତ୍ୱନା ଦେବାପାଇଁ ଏକମାତ୍ର ସମ୍ବଳ ।

–ମୋତେ ସେ ଚିଠିଗୁଡ଼ିକ ଆଜି ଫେରାଇ ଦେବେ ?

–କାହିଁକି ? ଯାହା ତ କ୍ଷତି ହେବାର କଥା ହୋଇସାରିଲାଣି । ମୋ’ ଉପରେ ସନ୍ଦେହ ହେଉଛି କି ? ମୁଁ କ’ଣ ତୁମକୁ ବ୍ଲାକ୍‌ମେଲ୍‌ କରିବି ? ଏତିକି ଟିକିଏ ସ୍ମୃତି ସନ୍ତକ ରଖିବାକୁ ମୋତେ ସୁଯୋଗ ଦେବନି ?

–ସାର୍‌, ମୋର ପୁଅ ଏବେ ବଡ଼ ହେଲାଣି । ତା’ଛଡ଼ା ମୋ’ ଜୀବନରେ ଆଉ କୌଣସି ସୁଖ ନାହିଁ । ସେ ଚିଠିଗୁଡ଼ିକ କାହା ହାତରେ ପଡ଼ିଗଲେ ମୁଁ ତା’ ସାମ୍‌ନାରେ ମୁହଁ ଦେଖାଇ ପାରିବିନି । ସ୍ୱାମୀଛାଡ଼ି ଚାଲିଗଲା ପରେ ମୋ’ ଚରିତ୍ରରେ ଯେଉଁ କଳଙ୍କ ଲାଗିଛି, ଏବେ ବି ତା’ର ଛିଟା ଲିଭିନି।

–ନା, ମନି । ଆଉ ମୁଁ ସହିପାରିବିନି ।

ଖୁବ୍‌ ଭାବପ୍ରବଣ ହୋଇ ସେ ତାଙ୍କ କୋଳରେ ମୁଣ୍ଡ ଗୁଞ୍ଜିଲେ ।

–ମୁଁ ପୂରା ଏକଲା ହୋଇଯାଇଛି । ତୁମେ ମୋ’ ପାଖକୁ ପୁଣି ଫେରିଆସ ।

–ଏ କ’ଣ କରୁଛନ୍ତି ଆପଣ ? ପ୍ଲିଜ, ନିଜକୁ ନିୟନ୍ତ୍ରଣ କରନ୍ତୁ ।

ଶିଳାଦିତ୍ୟ ଏବେ ଛୋଟ ପିଲା ପରି କଇଁ କଇଁ ହୋଇ କାନ୍ଦି ଉଠିଲେ । ମନସ୍ୱିନୀଙ୍କୁ ଜଡ଼ାଇ ଧରିଲେ ନିଜ ବାହୁବେଷ୍ଟନୀରେ ।

କୌଣସି ମତେ ନିଜକୁ ତାଙ୍କ କବଳରୁ ଛଡ଼ାଇ ଝଡ଼ପରି ନିଷ୍କ୍ରାନ୍ତ ହୋଇଯାଇଥିଲେ ମନସ୍ୱିନୀ ।

•••

 

(୧୦)

 

ଶିଳାଦିତ୍ୟ ଆଇ.ସି.ୟୁ. ରୁ କ୍ୟାବିନକୁ ସ୍ଥାନାନ୍ତରିତ ହେଲା ପରେ ତାଙ୍କର ଶୁଭଚିନ୍ତକମାନଙ୍କ ସଂଖ୍ୟା ବଢ଼ି ଯାଇଥିଲା ।

ପ୍ରାୟ ପ୍ରତ୍ୟେକ ଦିନ ଆସୁଥିଲେ ସାଥୀ ସୁତନୁ ବହିଦାର । ତାଙ୍କୁ ଅଫିସର ହାଲଚାଲ ସଂପର୍କରେ ପଚାରିଲେ ଶିଳାଦିତ୍ୟ ।

–କିଛି ନୂଆ ଖବର ?

–ଦୁଇଜଣ ଷ୍ଟେଟ୍‌ କ୍ୟାଡ଼ରରୁ ଦିଲ୍ଲୀ ଯାଉଛନ୍ତି । ଅନୀଲ କୁମାର, ଦେବଦତ୍ତ ଦାସ ।

–ଅନୀଲ କୁମାର ? ମନେପଡ଼ୁଛି, ମସୌରୀରେ ଟ୍ରେନିଂ ନେଲା ବେଳେ ଯାହାକୁ ଆମେ ସବୁବେଳେ ଥଟ୍ଟା ତାମସା କରୁଥିଲେ ।

ହଁ, ଜୁଡୋ କ୍ଲାସ୍‌ରେ ବିଲୁଆପରି ହୋ ହୋ ଶବ୍ଦ କରୁଥିଲା । ଥରେ ଚିତ୍‌ପଟାଙ୍ଗ୍‌ ମାରିଲେ ଆଉ ଉଠିପାରୁ ନଥିଲା ।

ଦୁଇ ବନ୍ଧୁ ହୋ ହୋ ହୋଇ ହସିଲେ ।

–ସମସ୍ତେ ଆଲୋଚନା କରୁଥିଲେ, ଏ ମେରିଟ୍‌ ଲିଷ୍ଟରେ ଏତେ ଉଚ୍ଚ ସ୍ଥାନ ପାଇଁ କେମିତି ସିଲେକ୍ଟ ହେଲା । ତାକୁ ଇଂରାଜୀରେ କଥା କହି ଆସୁ ନଥିଲା । ଠିକ୍‌ ଭାବେ ପୋଷାକ ପିନ୍ଧି ଆସୁ ନଥିଲା ।

–ସେତେବେଳେ ତାଙ୍କ ରାଜ୍ୟରେ ସର୍ବଭାରତୀୟ ପରୀକ୍ଷାର ପ୍ରଶ୍ନପତ୍ର ବିକ୍ରୀ ହେଉଥିଲା ବୋଲି ଗୁଜବଟା ତା’ହେଲେ ସତ୍ୟ ।

–ହଁ, ସେଥିପାଇଁ ଆମ ବ୍ୟାଚରେ ଅନେକ ‘କୁମାର’ ଅନୁପ୍ରବେଶ କରିଥିଲେ ।

–ଆଉ ଦେବଦତ୍ତ ?

–ସେ ଯୋଗ କ୍ଲାସରେ ଶବାସନ ହିଁ କରିପାରୁଥିଲା । ତଥାପି ସେ ସ୍ୱାମୀଜୀଙ୍କୁ ତୈଳାକ୍ତ କରି ଯୋଗାସନର ଏକ୍‌ଜିବିସନକୁ ଯାଇଥିଲା ।

–ସେ ସମସ୍ତଙ୍କୁ ତୈଳାକ୍ତ କରି ଜାଣେ ।

–ଏହାକୁ କୁହାଯାଏ “ନେଟ୍‌ୱାର୍କିଂ’’ । ତମେ ନେଟୱାର୍କିଂ କରିପାରିଲ ନାହିଁ । ତେଣୁ ସସ୍‌ପେଣ୍ଡ ହୋଇ ବସିଛ ।

–ଆଜିକାଲି ବସମାନେ ଦକ୍ଷତା, ସଚ୍ଚୋଟତା ପ୍ରଭୃତି ଗୁଣଗୁଡ଼ିକ ଦେଖୁ ନାହାନ୍ତି । ବସଙ୍କୁ ପାର୍ଟି ଦିଅ, ଗିଫ୍ଟ ଦିଅ । ଡ୍ରିଂକ୍ସ ଦିଅ । ରମଣୀ ଯୋଗାଅ । ଆଜିକାଲି ନେଟ୍‌ୱାର୍କିଂର ମାନେ ଏୟା । ତମେ ଯେଉଁ ଦେବଦତ୍ତ କଥା କହୁଛ ତା’ର ନେଟୱାର୍କିଂର ମାନେ ଜାଣିଛ କ’ଣ ? କୁହ ।

–ସେଇଟା ଗୋଟାଏ ଏକ ଗ୍ଲୋରିଫାଏଡ୍‌ ପିମ୍ପ୍‌ । ତା’ର ମନ୍ତ୍ରୀଙ୍କ ସହ ସେ ପଡୋଶୀ ରାଜ୍ୟର ମହାନଗରୀକୁ ବାରମ୍ବାର କାହିଁକି ଦୌଡ଼େ ଜାଣିଛ ? ସେଠି ସେ ମନ୍ତ୍ରୀଙ୍କ ସହ ଅଏସ୍‌ କରେ । ମନ୍ତ୍ରୀଙ୍କ ପାଇଁ ସୁନ୍ଦରୀ ତରୁଣୀ ଆମଦାନୀ କରି ହୋଟେଲରେ ଯୋଗାଏ । ଏକଥା ସେ ନିଜେ ବାହାସ୍ଫୋଟ ମାରି କହୁଥିଲା । ଥରେ ଆସିଥିବା ଗୋଟିଏ ତରୁଣୀ ଉଦ୍ଦେଶ୍ୟରେ ମନ୍ତ୍ରୀ କୁଆଡ଼େ କହିଲେ–ତମେ ତାକୁ ଆଗ ସଦ୍‌ବ୍ୟବହାର କର । ତା’ପରେ ମୋ’ ପାଖକୁ ପଠାଇ ଦେବ-। ସେ ଉତ୍ତର ଦେଲାନାଇଁ ଆଜ୍ଞା, ପ୍ରୋଟୋକଲ ଅନୁସାରେ, ଆପଣଙ୍କ ପାଖରେ ସେ ପ୍ରଥମେ ଭୋଗ ଲାଗିବ । ତା’ପରେ ଆମେ ପ୍ରସାଦ ପାଇଲେ ଠିକ୍‌ ହେବ । ବସ୍‌ଙ୍କ ରୁମରୁ ଫେରି ସେ ତରୁଣୀ କୁଆଡ଼େ ତା’ ରୁମ୍‌କୁ ଆସିଲା । ବାଥରୁମ୍‌ରୁ ଫେରି କହିଲା–ଆପଣଙ୍କ ମନ୍ତ୍ରୀ ଜଣେ ହିଞ୍ଜଡ଼ା । ଆପଣ ସେମିତି ନୁହନ୍ତି ତ ? ତା’ପରେ ସେ କୁଆଡ଼େ ଏଭଳି ସ୍ୱର୍ଗୀୟ ଆନନ୍ଦ ଚଖାଇଲା ଯେ ସେ ଝିଅଟିର ଆଖିରୁ ଲୁହ ଝରିଗଲା । ସେ ଗଦଗଦ ହୋଇ କୁଆଡ଼େ କହିଲା ଓଃ, ୱାଣ୍ଡରଫୁଲ । କି ଅପୂର୍ବ ଆନନ୍ଦ ଦେଲେ ଆପଣ ! ସେ ତାକୁ କୁଆଡ଼େ ଆଉ ହଜାରେ ଟଙ୍କା ବକ୍ସିସ ଦେଇ ବିଦାୟ କଲା ।

 

ସୁତନୁ ହସି ହସି ନୟାନ୍ତ ହୋଇଗଲେ । କହିଲେ ସେଇଟା ଗୋଟିଏ ବାହାପିଆ । ବାହାପିଆ ହେଉ, ଯାହା ହେଉ, ସେହିମାନେ ହିଁ ଉପରକୁ ସିଡ଼ି ଚଢ଼ି ଯିବାଟା ହିଁ ଅବଧାରିତ ।

 

ସୁତନୁ ଗଲା ପରେ ତାଙ୍କର ମନେ ପଡ଼ିଯାଉଥିଲା ଚାକିରୀ ଜୀବନର ସବୁ ତିକ୍ତ କଷାୟ ଅନୁଭୂତି । ତାଙ୍କ ଆଇ.ଏ.ଏସ. ପରୀକ୍ଷାର ଇଣ୍ଟରଭିଉରେ ପ୍ରଶ୍ନ କରାଯାଇଥିଲା ଅଧ୍ୟାପନା ଛାଡ଼ି କାହିଁକି ଏ ସର୍ବଭାରତୀୟ ସେବାରେ ଯୋଗଦାନ କରିବାପାଇଁ ଭାବିଛ ? ତମେ କ’ଣ ତମ ‘ବସ୍‌’ର ‘ବସ୍‌’ ହେବ ବୋଲି ଉଦ୍ଦେଶ୍ୟ ରଖିଛ ?

 

ସେ ଉତ୍ତର ଦେଇଥିଲେ–ନା ସାର୍‌, ସାଧାରଣ ଲୋକେ ଆଇ.ଏ.ଏସ. ଅଫିସରମାନଙ୍କୁ ‘ମା’–ବାପ’ ବୋଲି ଆଖ୍ୟା ଦିଅନ୍ତି । ମୁଁ ଏ ସର୍ଭିସ ପାଇଲେ ମୋର ବାପା ମା’ଙ୍କୁ ଯେଭଳି ସେବା କରେ, ସାଧାରଣ ଲୋକଙ୍କୁ ସେହିଭଳି ସେବା ପ୍ରଦାନ କରିବି ।

 

ସର୍ଭିସର ଆଦ୍ୟକାଳରେ ସେ ଏକ ଆଦିବାସୀ ବହୁଳ ଜିଲ୍ଲା ସୁନାରିପୁଟରେ କଲେକ୍ଟର ଭାବେ ଅବସ୍ଥାପିତ ହୋଇଥିଲେ । ସେତେବେଳେ ଶରୀରରେ ଢଳଢଳ ତାରୁଣ୍ୟ । ହୃଦୟରେ ଛଳଛଳ କାରୁଣ୍ୟ । ଡିଷ୍ଟ୍ରିକ୍ଟ ଟ୍ରେନିଂ ସମୟରେ ତାଙ୍କଠି ଏଭଳି ଆଦର୍ଶ ଖୁନ୍ଦି ହୋଇଥିଲା ଯେ ସେ ସ୍ୱପ୍ନ ଦେଖୁଥିଲେ ଯେ, ଡିଷ୍ଟ୍ରିକ୍ଟ କଲେକ୍ଟର ହେଲେ ସେ ନିଜ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିଦେବେ । ଶୁଣିଥିଲେ ବଣ, ପାହାଡ଼, ଗିରିନଦୀ, ଝରଣା ପ୍ରଭୃତିର ପ୍ରାକୃତିକ ସୁଷମାରେ ଭରପୂର ଥିଲା ସେ ସ୍ଥାନ । ପର୍ଯ୍ୟଟନ ପୁସ୍ତିକାଗୁଡ଼ିକ ଏ ସ୍ଥାନର ଗୁଣକୀର୍ତ୍ତନରେ ଶତମୁଖ ହୋଇ ଉଠୁଥିଲେ । ସେଠି କୁଆଡ଼େ ପର୍ବତ ଶୀର୍ଷରେ ମେଘମାନେ ଆଶ୍ରୟ ନିଅନ୍ତି । ବର୍ଷାକାଳରେ ସବୁଜ ଉପତ୍ୟକାମାନଙ୍କରେ ବର୍ଷା ରୁମଝୁମ ନାଚେ । କେତେ ଯେ କବି ଓ ଲେଖକ ଏ ସ୍ଥାନର ବର୍ଣ୍ଣନାରେ ବାଙ୍‌ମୟ ହୋଇଛନ୍ତି, ତା’ର ହିସାବ ନାହିଁ ।

 

କିନ୍ତୁ ସେ ଜିଲ୍ଲାରେ ପାଦଦେଇ ସ୍ୱଚକ୍ଷୁରେ ଦେଖିଲେ, ସେସବୁ ଥିଲା କପୋଳ–କଳ୍ପିତ କାହାଣୀ । ପ୍ରତ୍ୟେକ ପାହାଡ଼ ସେଠି ଦିଶୁଥିଲେ ଏକ ଲୋମହୀନ ଆବୁପରି । ପୋଡ଼ୁଚାଷରେ ଧ୍ୱସ୍ତ ହୋଇଥିଲା ସେ ସ୍ଥାନର ସବୁଜ ଉପତ୍ୟକା । ବର୍ଷସାରା ବଣ ଓ ପାହାଡ଼ମାନଙ୍କରୁ ଉଠୁଥିଲା ନିଆଁ କିମ୍ବା ଧୂଆଁ ।

 

ଆଦିବାସୀମାନଙ୍କୁ ସ୍ଥାୟୀଭାବେ ବସବାସ କରିବାପାଇଁ କେତେ କେତେ ଯୋଜନା ଆଗରୁ ହାତକୁ ନିଆ ଯାଇଥିଲା । ଫଳଚାଷ, ପଶୁପାଳନ, ହସ୍ତଶିଳ୍ପ ପ୍ରଭୃତି କାର୍ଯ୍ୟକ୍ରମରେ ପାଣିପରି ଅର୍ଥ ବ୍ୟୟିତ ହୋଇଥିଲା । କିନ୍ତୁ ସେ ସବୁ କାର୍ଯ୍ୟକ୍ରମ ସଫଳତାର ଆଲୋକ ଦେଖି ନଥିଲା । ସେ ବାବଦରେ ପାଇଥିବା ଋଣ ଗର୍ଭସାତ କରି ଆଦିବାସୀମାନେ ପୁଣି ଆପଣେଇ ନେଇଥିଲେ ପୂର୍ବବର୍ତ୍ତୀ ଜୀବନକୁ ।

 

ପୁଣି ଜଙ୍ଗଲ କଟା ଯାଉଥିଲା । ପୁଣି ପାହାଡ଼ ପୋଡ଼ା ଯାଉଥିଲା । ସେହି ନୈସର୍ଗିକ ଶ୍ୟାମଳ ବନଭୂମି ଧୀରେ ଧୀରେ ପରିଣତ ହେବାକୁ ଯାଉଥିଲା ଧୂ ଧୂ ମରୁଭୂମିରେ ।

 

ଏହି ଅନଗ୍ରସର ଜନଜାତିବହୁଳ ଜିଲ୍ଲାର ବିକାଶ ପାଇଁ ଅନେକ ସରକାରୀ ସଂସ୍ଥା କାର୍ଯ୍ୟ କରୁଥିଲେ । କିନ୍ତୁ ସେଠି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ମଧ୍ୟ ଅଭାବ ନ ଥିଲା । ତିରିଶ ଚାଳିଶ ବର୍ଷଧରି ସେଠି କେତେକ ଗାନ୍ଧିବାଦୀ ସଂସ୍ଥା ଓ ଖ୍ରୀଷ୍ଟିୟାନ ମିଶନାରୀ ମଧ୍ୟ ଆସ୍ଥାନ ଜମାଇଥିଲେ ।

 

ଶିଳାଦିତ୍ୟ ତାଙ୍କର କାମ ଅନୁସନ୍ଧାନ କରି ଦେଖିଲେ ଯେ, ଏମାନେ ବର୍ଷ ବର୍ଷ ଧରି ପରାଙ୍ଗପୁଷ୍ଟ ମଲାଙ୍ଗ ପରି ବଞ୍ଚି ରହିଛନ୍ତି । ଯେଉଁ ଅନୁଷ୍ଠାନର ପ୍ରତିଷ୍ଠାତାମାନେ ମରି ହଜି ଗଲେଣି, ତାଙ୍କ ସ୍ଥାନରେ ତାଙ୍କର ପରିବାର ସଦସ୍ୟମାନେ କବ୍ଜା କରି ରହିଛନ୍ତି । ଅବହେଳିତ ସମାଜର ଉନ୍ନତି ନାମରେ ଏମାନେ ଦେଶ ଭିତରୁ ଏବଂ ବାହାରୁ ଅନେକ ଅର୍ଥ ସାହାଯ୍ୟ ପାଉଛନ୍ତି । ସେହି ଅର୍ଥ ରାଶି ତାଙ୍କର ଅନ୍ନସଂସ୍ଥାନର ଏକ ପନ୍ଥା ଭାବେ ଦେଖା ଦେଇଛି । ସେବା ଏବେ ଏକ ପାରିବାରିକ ବ୍ୟାପାରରେ ପରିଣତ ହୋଇଛି ।

 

ଦିନେ ଗୋଟିଏ ଗାଁ ବାଟଦେଇ ହେଡ୍‌କ୍ୱାଟରକୁ ଫେରିଲା ବେଳେ ଡ୍ରାଇଭର ନନ୍ଦ ମାଝୀକୁ ପଚାରିଲେ–ଏଠି ଯେଉଁ ଗାନ୍ଧି ଆଶ୍ରମ ଅଛି ସେଠି କି କାମ ଚାଲିଛି ?

 

–କାମ କ’ଣ କହିପାରିବି ନାହିଁ, ସାର୍‌ । ମୁଁ ଭିତରକୁ କେବେ ଯାଇନାହିଁ । କିଛି ବାବୁ ସେଠୁ ବାହାରି ଷ୍ଟେସନୱାଗନ୍‌ରେ ବିଭିନ୍ନ ଜାଗା ବୁଲୁଥିବାର ଦେଖିଛି ।

 

–ପାଖ ଗାଁରେ ଯେଉଁ ମିଶନାରୀ ସଂସ୍ଥା ଅଛି, ତାହା ଲୋକଙ୍କ ପାଇଁ କିଛି କାମ କରୁଛି-?

 

–ସେଠିକାର ପାଦ୍ରୀ ବି ଗାଡ଼ି ଧରି ବୁଲେ । କୁଷ୍ଠରୋଗର ଔଷଧ ବାଣ୍ଟେ ବୋଲି ଶୁଣିଛି-। ତା’ପରେ ଯୀଶୁଖ୍ରୀଷ୍ଟଙ୍କ ମହିମା ସମ୍ପର୍କରେ ବହି ବାଣ୍ଟେ ।

 

–କିଛି ଆଦିବାସୀଙ୍କୁ ସେ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଇଛି ?

–ହଁ, ଆମ ଅଞ୍ଚଳର ଅନେକ ଗରିବ ଲୋକ କିରସ୍ତାନ ହୋଇଯାଇଛନ୍ତି ।

 

ଶିଳାଦିତ୍ୟ ମନେମନେ ସ୍ଥିର କଲେ ଏ ପୁରୁଣା ଜରଦ୍‌ଗବମାନଙ୍କର କୌଣସି ସହାୟତା ନେବେ ନାହିଁ । ସେ ଅଞ୍ଚଳର ଜଣେ ସଦ୍ୟ ବି.ଏ. ପାସ୍ କରିଥିବା ତରୁଣୀଙ୍କୁ ସେ ହାଟରେ ଭେଟିଥିଲେ । ସେ ତା’ର କିଛି ସହକର୍ମୀଙ୍କୁ ନେଇ ପଥପ୍ରାନ୍ତ ନାଟକ ଜରିଆରେ ଜଙ୍ଗଲର ସୁରକ୍ଷା ବିଷୟ ବୁଝାଉଥିଲା । ସେ ତାକୁ ଡାକି ଗୋଟିଏ ଏନ୍‌.ଜି.ଓ. ଗଢ଼ିବାରେ ସହାୟତା କରିଥିଲେ । ଏହି ସର୍ତ୍ତ ଦେଇଥିଲେ ଯେ ସେ ଏହି ଅଞ୍ଚଳରେ ଅତି କମ୍‌ରେ ଦଶ ବର୍ଷ ରହିବେ ଏବଂ ସ୍ଥାନୀୟ ଲୋକଙ୍କ ଶିକ୍ଷାରେ ମନପ୍ରାଣ ଦେଇ କାମ କରିବେ ।

 

ଶିଳାଦିତ୍ୟ ଥିଲେ ଅତ୍ୟଧିକ ଭାବପ୍ରବଣ । ମସ୍ତିଷ୍କ ଦ୍ୱାରା ଯେତିକି ନୁହଁ, ତା’ଠୁ ଢ଼େର ଅଧିକ ସେ ପରିଚାଳିତ ହୁଅନ୍ତି ହୃଦୟ ଦ୍ୱାରା । ଯେଉଁ ଲୋକ ତାଙ୍କୁ ପ୍ରଥମ ସାକ୍ଷାତରେ ଭଲ ଲାଗିଲେ, ସେ ଅନାୟାସରେ ତାଙ୍କଆଡ଼େ ଢ଼ଳି ଯାଆନ୍ତି ଏବଂ ତାଙ୍କୁ ମନପ୍ରାଣ ଦେଇ ସାହାଯ୍ୟ କରନ୍ତି ।

 

ସୁନାରିପୁଟରେ ଡିଷ୍ଟ୍ରିକ୍ଟ ଟ୍ରେନିଂ ସମୟରେ ତାଙ୍କର ଜଣେ ସମାଜସେବୀଙ୍କ ସହ ଭେଟ ହୋଇଥିଲା । ମଧ୍ୟବୟସ୍କ ଦୀର୍ଘ ଅବୟବଧାରୀ ଶ୍ମଶ୍ରୁଳ ବ୍ୟକ୍ତି ସେ । ରାମଚନ୍ଦ୍ର ସିଂହ ଥିଲେ ସେ ମାଳ ଅଞ୍ଚଳରେ ଜଣେ କିମ୍ବଦନ୍ତୀ ପୁରୁଷ ।

 

ନିଜ ଯୁବାବସ୍ଥାରେ ସମତଳ ଅଞ୍ଚଳରେ ଥିବା ନିଜର ଘରଦ୍ୱାର ଛାଡ଼ି ସେ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୂଦାନଯଜ୍ଞରେ ସାମିଲ ହୋଇଥିଲେ ।

 

ସେତେବେଳେ ମାଳ ଅଞ୍ଚଳର ଅଧିବାସୀଙ୍କ ଦୁରବସ୍ଥା ସମ୍ପର୍କରେ ସେ ଶିଳାଦିତ୍ୟଙ୍କୁ ଯେଉଁ ବିବରଣୀ ଦେଇଥିଲେ, ଆଜିଯାଏ ତାଙ୍କର ତାହା ମନେଅଛି ।

 

ସେତେବେଳେ ସାହୁକାରମାନେ ଆଦିବାସୀମାନଙ୍କର ଜମିକୁ କଳେବଳେ କୌଶଳେ କବ୍ଜା କରି ନେଉଥିଲେ । ସେମାନେ ଫାଇଦା ଋଣ, ଛିଡ଼ିଣି ଋଣ, ଶସ୍ୟଋଣ ଏହିପରି ବିଭିନ୍ନ ଋଣ ଦେଇ ଆଦିବାସୀଙ୍କୁ ଭାରାକ୍ରାନ୍ତ କରିଦିଅନ୍ତି । ଋଣ ଶୁଝିବା ସମ୍ଭବପର ହୋଇ ନଥାଏ । ଆଦିବାସୀମାନେ ନିଜର ଜମି ହରାଇଥାନ୍ତି । ଏପରିକି ତାଙ୍କର ବଳଦ, ପୋଢ଼ ଇତ୍ୟାଦି ସାହୁକାର ହାତକୁ ଚାଲିଯାଏ । ଆଦିବାସୀକୁ ଗୋତି ଖଟିବାକୁ ପଡ଼େ । ଗୋତି ଖଟିଲେ ମାସକୁ ମିଳେ ଦଶମାଣ ଭାତିଆ । ତାହା ମାଣ୍ଡିଆ, ଧାନ, ସୁଆଁ ଯାହା କିଛି ହୋଇପାରେ । ବର୍ଷକୁ ଖଣ୍ଡେ ବା ଦି’ଖଣ୍ଡ ଗାମୁଛା ମିଳେ । ଆଦିବାସୀର ସ୍ତ୍ରୀ ମଧ୍ୟ ସାହୁକାର ଘରର କାମ କରେ । ଅଧିକାଂଶ ସମୟରେ ତାକୁ ବି ଶାରୀରିକ ନିର୍ଯ୍ୟାତନା ସହିବାକୁ ପଡ଼େ ।

 

–ସ୍ୱାଧୀନତାର ତିରିଶ ବର୍ଷ ପରେ ମଧ୍ୟ ଏଭଳି ନିର୍ଯ୍ୟାତନା ଚାଲିଛି ? ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଥିଲେ ଶିଳାଦିତ୍ୟ ।

 

–ଆଜ୍ଞା ହଁ,–ଉତ୍ତର ଦେଇଥିଲେ ରାମଚନ୍ଦ୍ର ସିଂହ ।

–ସରକାର ଏହାର କିଛି ପ୍ରତିକାର କରୁନି ?

 

–ଥାନାବାବୁ, ରେଭିନ୍ୟୁ ଇନ୍ସପେକ୍ଟର, ଫରେଷ୍ଟର ଏମାନେ ଏଠିକାର ସରକାର । ସେ ସମସ୍ତେ ସାହୁକାରମାନଙ୍କର ହାତବାରିଶି ସଦୃଶ ।

 

–ଆପଣଙ୍କ ସର୍ବୋଦୟ ସଂସ୍ଥା ଏଥିପାଇଁ କ’ଣ କରୁଛି ?

–ବନ୍ଧା ଭୂମି ଚଷି ଦିଅ, ଗୋତି ଋଣ ମେଡ଼ିଦିଅ–ଏହିଭଳି ସ୍ଲୋଗାନ ଦେଇ ଆମେ କିଛିଟା ସଫଳତା ହାସଲ କରିଛୁ । କିନ୍ତୁ ବର୍ଷ ବର୍ଷର ସାମାଜିକ ପ୍ରଥାକୁ ସଂପୂର୍ଣ୍ଣ ଉତ୍ପାଟନ କରିପାରିନୁ । ଆମେ ସାହୁକାରଙ୍କ ରୋଷର ଶିକାର ହୋଇଛୁ । ବହୁତ ମାଡ଼ ଖାଇଛୁ । ତଥାପି ଆମର ସଂଘର୍ଷ ଆମେ ଜାରି ରଖିଛୁ । ଆପଣ ସରକାରଙ୍କ ତରଫରୁ କିଛି ଉଦ୍ୟମ କରନ୍ତୁ ।

 

–ମୁଁ ନିଶ୍ଚୟ କିଛି କରିବି–ପ୍ରତିଶ୍ରୁତି ଦେଇଥିଲେ ଶିଳାଦିତ୍ୟ ।

ପରବର୍ତ୍ତୀ ସମୟରେ ଶିଳାଦିତ୍ୟ ସୁନାରିପୁଟକୁ ଡ଼ିଷ୍ଟ୍ରିକ୍ଟ କଲେକ୍ଟର ହୋଇ ଆସିଥିଲେ । ରାମଚନ୍ଦ୍ର ସିଂହଙ୍କୁ ସେ ଯଥେଷ୍ଟ ସମ୍ମାନ ଦେଉଥିଲେ । ତାଙ୍କରି ପରାମର୍ଶ ନେଇ ସେ ଜିଲ୍ଲାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରୁଥିଲେ ।

 

ରାମଚନ୍ଦ୍ର ସିଂହଙ୍କ ପ୍ରତି ତାଙ୍କର ଆଖିଦୃଶିଆ ସମ୍ମାନବୋଧ ଅନ୍ୟ ସ୍ଥାନୀୟ ନେତା ଏମ୍‌.ଏଲ୍‌.ଏ.ମାନଙ୍କର ଚକ୍ଷୁଶୂଳ ହୋଇଥିଲା ।

 

ସେମାନେ ତାଙ୍କ ବିରୁଦ୍ଧରେ କୁତ୍ସା ରଚନା କରିଥିଲେ ଯେ ସେ ଜନପ୍ରତିନିଧିମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରୁନାହାନ୍ତି । ହିଟଲର ଭଳି ଏକଛତ୍ରବାଦ ଶାସନ କରୁଛନ୍ତି । ତାଙ୍କୁ ସାକ୍ଷାତ କରିବାକୁ ଗଲେ ସେ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ଏପିରିକି ତାଙ୍କ ଚରିତ୍ର ସଂହାର ମଧ୍ୟ ହୋଇଥିଲା ଯେ ସେ କୌଣସି ଏନ.ଜି.ଓ.ର ନାରୀ ନିର୍ଦ୍ଦେଶିକାଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରୁଛନ୍ତି ।

 

ସ୍ଥାନୀୟ ସମ୍ବାଦପତ୍ର ପ୍ରତିନିଧିମାନେ ମଧ୍ୟ ତାଙ୍କର ବିରୁଦ୍ଧାଚରଣ କଲେ । ଶିଳାଦିତ୍ୟ ସେ ଜିଲ୍ଲାକୁ ଆସିଲାପରେ ସେମାନେ ନିଜକୁ ଅବହେଳିତ ମନେକଲେ । ଆଗରୁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ଫିତା କଟା ଯାଉଥିଲା ଏବଂ ପାର୍ଟିର ଆୟୋଜନ ହେଉଥିଲା । ସେସବୁ ବନ୍ଦ ହୋଇଗଲା । ଆଗରୁ ସମ୍ବାଦଦାତାମାନେ କଲେକ୍ଟରେଟ୍‌କୁ ଆସିଲେ ଭି.ଆଇ.ପି. ଟ୍ରିଟମେଣ୍ଟ ଆଶା କରୁଥିଲେ । ଶିଳାଦିତ୍ୟଙ୍କ ଠାରୁ ସେଭଳି ଆଶା କରିବା ବୃଥା ଥିଲା ।

 

ଥରେ ଜଣେ ସମ୍ବାଦଦାତା ତାଙ୍କୁ ସାକ୍ଷାତ କରିବାପାଇଁ ଭିଜିଟିଂ କାର୍ଡ ପଠାଇଥିଲେ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ତାଙ୍କୁ ସାକ୍ଷାତ ଦେଇ ନଥିଲେ । ତା’ପରେ ଆରମ୍ଭ ହେଲା ସମ୍ବାଦପତ୍ରମାନଙ୍କରେ ତାଙ୍କର କୁତ୍ସା ରଚନା ।

 

ବିଭିନ୍ନ ଦିଗରୁ ବିରୋଧ ଯୋଗୁଁ ସ୍ଥାନୀୟ ଲୋକଙ୍କ ପାଇଁ ଭଲ କାମକରି ସୁଦ୍ଧା ତାଙ୍କର ବଦଳି ଆଦେଶ ଆସିଥିଲା । ସେ ଜିଲ୍ଲାରେ ଦୁଇ ବର୍ଷ ତିଷ୍ଠିପାରି ନଥିଲେ ।

 

କିଛି ବର୍ଷ ଉତ୍ତାରେ ତାଙ୍କର ପୋଷ୍ଟିଂ ହୋଇଥିଲା କମିଶନର ଭାବରେ । ସେହି କାର୍ଯ୍ୟକାଳ ଘଟଣା ବହୁଳ ଥିଲେ ମଧ୍ୟ ସ୍ୱଳ୍ପ ସମୟ ପାଇଁ ଥିଲା ।

 

ଉପକୂଳ ଅଞ୍ଚଳରେ ଇସ୍ପାତ କାରଖାନା ସ୍ଥାପନା ପାଇଁ ଆଗେଇ ଆସିଥିଲେ ଏକ ବୃହତ ଶିଳ୍ପ ସଂସ୍ଥା । ସରକାର ସେ ସଂସ୍ଥା ସହ ଚୁକ୍ତି କରିଥିଲେ ଏବଂ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜମି ଅଧିଗ୍ରହଣ କାର୍ଯ୍ୟପାଇଁ ଶିଳାଦିତ୍ୟ ଜୋରସୋରରେ ଲାଗି ପଡ଼ିଲେ । କିନ୍ତୁ ସ୍ଥାନୀୟ କେତେକ ନ୍ୟସ୍ତସ୍ୱାର୍ଥ ନେତା ଏହାର ପ୍ରବଳ ବିରୋଧ କଲେ ।

 

ସେମାନେ ଯୁକ୍ତି ଦର୍ଶାଇଲେ–ଏଠି ଜମିରେ କିଆଫୁଲ ଚାଷ ହୁଏ । ଏହି ଫୁଲର ତେଲ ଉପରେ ନିର୍ଭର କରି ହଜାର ହଜାର ପରିବାରଙ୍କ ପ୍ରତିପୋଷଣ ହୁଏ । ଇସ୍ପାତ କାରଖାନା ହେଲେ ଚାଷୀମାନେ ଖାଇବାକୁ ପାଇବେ ନାହିଁ ।

 

ଶିଳାଦିତ୍ୟ ଗାଁ ଗାଁ ବୁଲି ବୁଝାଇଲେ ଏଠି ଦଶ ମିଲିୟନ ଟନର ଷ୍ଟିଲପ୍ଳାଣ୍ଟ ହେବ । ହଜାର ହଜାର ଇଞ୍ଜିନିୟର ଏ ରାଜ୍ୟରେ ବେକାର ହୋଇ ବୁଲୁଛନ୍ତି । ସେମାନଙ୍କର କର୍ମସଂସ୍ଥାନ ହେବ । ତା’ ସଙ୍ଗେ ସଙ୍ଗେ ଅନେକ ସ୍ଥାନୀୟ ଲୋକଙ୍କୁ ମଜଦୁର ଭାବେ କାମ ମିଳିବ । ଶିଳ୍ପସଂସ୍ଥା ତାଙ୍କର ଟ୍ରେନିଂ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଯେଉଁମାନେ ଏହି କାରଖାନାକୁ ବିରୋଧ କରୁଛନ୍ତି, ସେମାନଙ୍କର ଦୂରଦୃଷ୍ଟିର ଅଭାବ ।

 

ଜମି–ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ସେ ବଳପ୍ରୟୋଗ କଲେ । ଅନେକ ଲୋକ ହତାହତ ହେଲେ । ପ୍ରବଳ ବିରୋଧ ଯୋଗୁଁ ଷ୍ଟିଲକମ୍ପାନୀ ଓହରିଗଲେ ।

 

ଶିଳାଦିତ୍ୟ ଭାବିଲେ–ଏଠି ଲୋକେ ହତଭାଗା । ଏମାନେ କେବେ ଉପରକୁ ଉଠିପାରିବେନି । ବିରୋଧ ପାଇଁ ବିରୋଧ ଯେଉଁଠି ଜୀବନ ଦର୍ଶନ, ସେଠି କୌଣସି ପ୍ରଗତି ଅସମ୍ଭବ । ହଃ, ଏଠି କିଆଫୁଲ ଚାଷ ହେବ । ତା’ ଭିତରେ ଶିଆଳ, ନେଉଳ ବାସ କରିବେ । ଷ୍ଟିଲପ୍ଲାଣ୍ଟ ହେବନି । କି ବିତଣ୍ଡା ଯୁକ୍ତି ଏମାନଙ୍କର !

 

ସୁତନୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ–ଶୁଣ, ଦେଶରେ ଗଣତନ୍ତ୍ର ଚାଲିଛି । ବିରୋଧୀ ମତ ରହିବ ତ ନିଶ୍ଚୟ ।

 

–ଦେଶର ଉଦ୍ଧାର ପାଇଁ ଗଣତନ୍ତ୍ର ନୁହେଁ, ଆବଶ୍ୟକ ଏକ ବେନିଭୋଲେଣ୍ଟ ଡିକ୍ଟେଟର୍‌ସିପ୍‌ । ଋଷୋଙ୍କ ‘ଜେନେରାଲ୍‌ ଉଇଲ୍‌’ ପଢ଼ିଛ ନା ? ଯେଉଁମାନେ ନିଜର ସ୍ୱାର୍ଥ କ’ଣ ବୁଝିପାରୁ ନାହାନ୍ତି, ତାଙ୍କୁ ଫୋର୍ସିବ୍‌ଲି ଫ୍ରି କରିବାକୁ ପଡ଼ିବ । ସମୂହର ବିକାଶ ପାଇଁ କିଛି ଲୋକଙ୍କୁ ସ୍ୱାର୍ଥତ୍ୟାଗ କରିବାକୁ ପଡ଼ିବ । ସେ ନିଜେ ବଦଳି ମାଗି ସେକ୍ରେଟାରିଏଟ୍‌କୁ ଚାଲି ଆସିଥିଲେ ।

 

ସେକ୍ରେଟାରିଏଟ୍‌ ପୋଷ୍ଟିଂରେ ମଧ୍ୟ ସେ କୌଣସି ଶାନ୍ତି ପାଇପାରିନଥିଲେ ।

ସେ ଶିକ୍ଷାବିଭାଗରେ ଯୋଗଦେବା ପୂର୍ବରୁ ଅପରେସନ ବ୍ଲାକବୋର୍ଡ ନେଇ ଖୁବ୍‌ ବାଦବିସମ୍ବାଦ ଉପୁଜି ଥିଲା । ତାହା ଶୁଣିଥିଲେ ଜଣେ ପୁରୁଣା ସହପାଠୀ ବିଶ୍ୱବନ୍ଧୁଙ୍କ ଠାରୁ ।

 

ବିଶ୍ୱବନ୍ଧୁ କଲେଜର ଅଧ୍ୟାପକ ଥିଲେ । କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ ପ୍ରଭୃତି ଲେଖାଲେଖି କରୁଥିଲେ । ଅପରେସନ ବ୍ଲାକବୋର୍ଡ କାର୍ଯ୍ୟକ୍ରମରେ ରାଜ୍ୟର ସବୁ ସ୍କୁଲପାଇଁ ଶିଶୁ କବିତା, କାହାଣୀ, ପ୍ରବନ୍ଧ ପ୍ରଭୃତିର ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା ।

 

ପ୍ରଥମ ବର୍ଷ କିଛି ଶିଶୁ ସାହିତ୍ୟିକଙ୍କ ଏକାଧିକ ପାଣ୍ଡୁଲିପି ନିର୍ବାଚିତ ହେଲା । ସେଥିରେ ଉଭୟ ଲେଖକ ଓ ପ୍ରକାଶକମାନେ ଲକ୍ଷପତି ସାଜିଗଲେ । କିଏ ରାଜଧାନୀରେ ଘର କିଣିଲା ତ କିଏ କିଣିଲା ଏକାଧିକ ପ୍ଲଟ୍‌ ।

 

ବିଶ୍ୱବନ୍ଧୁ କହିଲେ–ପରବର୍ତ୍ତୀ ବର୍ଷ ଅନେକ ବ୍ୟକ୍ତି ରାତାରାତି ଶିଶୁ ସାହିତ୍ୟିକ ପାଲଟି ଗଲେ । ଏପରି କି ମନ୍ତ୍ରୀଙ୍କ ପୁତ୍ର, କନ୍ୟା, ପୁତ୍ରବଧୂମାନେ ମଧ୍ୟ କବି ଓ ଲେଖକ ସାଜିଗଲେ । ଓଧ ପଛେ ପଛେ ବଣଭୁଆ ବାଇ ହେଲାପରି ମୁଁ ବି ସେ ମାୟାରେ ପଶିଲି । ମୋର ଗୋଟିଏ ପାଣ୍ଡୁଲିପି ନିର୍ବାଚିତ ହୋଇଥିଲା । ପନ୍ଦର ଦିନ ମଧ୍ୟରେ ସାତ ହଜାର କପି ଛପାଇ ଜମା କରିବାକୁ ନିର୍ଦ୍ଦେଶ ଆସିଲା । ଯେଉଁ କେତେକ ଲେଖକଙ୍କର ବହି ନିର୍ବାଚନ ହେଲା ନାହିଁ, ସେମାନେ ହାଇକୋର୍ଟରୁ ଷ୍ଟେ ଅର୍ଡର ନେଇଆସିଲେ । ମୁଁ ବହି ଛପାଇ ଦେଇ କାନମୁଣ୍ଡ ଆଉଁସି ବସିଲି । ଦୁଇ ବର୍ଷ ପରେ ମୋର ସ୍ତ୍ରୀ ରାଗିକରି ବହିସବୁ ରଦ୍ଦି ଦୋକାନୀକୁ ଠୁଙ୍ଗା କରିବା ପାଇଁ ବିକି ଦେଲା ।

 

ଶିଳାଦିତ୍ୟ ଏସବୁ ଶୁଣି ଆମୋଦିତ ହେଉଥିଲେ ସତ୍ୟ କିନ୍ତୁ ବନ୍ଧୁଙ୍କ ପ୍ରତି ମଧ୍ୟ ତାଙ୍କର ସହାନୁଭୂତି ସୃଷ୍ଟି ହେଉଥିଲା । ଭାବୁଥିଲେ ଏଠି ଲୋକେ କୌଣସି ଭଲ କାମ କରାଇ ଦେବେ ନାହିଁ ।

 

ଅପରେସନ ବ୍ଲାକ୍‌ବୋର୍ଡ ଇସ୍ୟୁ ଉପରେ ମନ୍ତ୍ରୀଙ୍କ ସହ ତାଙ୍କର ଟକ୍କର ହୋଇଥିଲା । ବହି ଏବଂ ଅନ୍ୟାନ୍ୟ ସରଞ୍ଜାମ କିଣିବା ସଂପର୍କରେ ମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା ସବୁ ପର୍ଚେଜ୍‌ ସେଣ୍ଟ୍ରାଲାଇଜଡ୍ ହେବ ।

 

ଶିଳାଦିତ୍ୟ ପ୍ରସ୍ତାବ ଦେଲେ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯିବ । କେନ୍ଦ୍ରରୁ ଆସିଥିବା ଅର୍ଥ ବ୍ୟୟ କରିବାପାଇଁ ଯଥେଷ୍ଟ ସମୟ ନାହିଁ । ଲଜିଷ୍ଟିକ୍ସ ସମସ୍ୟା ବି ରହିଛି ।

 

ନୋଟ୍‌ସିଟ୍‌ରେ ବିକେନ୍ଦ୍ରୀକରଣ ଉପରେ ସେ ଏକ ସାରଗର୍ଭକ ଉପଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଟିପ୍ପଣୀ ଦେଲେ । ମନ୍ତ୍ରୀ ଏବଂ ସେକ୍ରେଟାରୀଙ୍କ ମଧ୍ୟରେ ମତାନୈକ୍ୟ ଯୋଗୁଁ ଚିଫ୍‌ ସେକ୍ରେଟାରୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ।

 

ଚିଫ୍‌ ସେକ୍ରେଟାରୀ କହିଲେ–ମନ୍ତ୍ରୀ ଜନତାର ନିର୍ବାଚିତ ପ୍ରତିନିଧି । ତାଙ୍କ କଥା ମାନିବାକୁ ପଡ଼ିବ ।

 

–ସାର୍‌ ଆପଣ କ’ଣ ମନ୍ତ୍ରୀଙ୍କ ଭିତିରିଆ ଉଦ୍ଦେଶ୍ୟ ବୁଝିପାରୁ ନାହାନ୍ତି ?

–ସେ ଯାହାହେଉ, ନିର୍ଦ୍ଦେଶ ପାଳନ କର । ଏଥିରେ ସେ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ–ମନ୍ତ୍ରୀ କୂଅକୁ ଡେଇଁ ପଡ଼ିବାକୁ କହିଲେ ମୁଁ କ’ଣ ଡ଼େଇଁ ପଡ଼ିବି ?

 

ଅପରେସନ ବ୍ଲାକ୍‌ବୋର୍ଡର ଟେଣ୍ଡର ଠିକ୍‌ ସମୟରେ ହୋଇପାରିଲାନି । ଏ ବାବଦ ଆସିଥିବା ଅର୍ଥ କେନ୍ଦ୍ରକୁ ଫେରିଗଲା । ଏହି ଇସ୍ୟୁ ଉପରେ ସେ ଶିକ୍ଷାବିଭାଗରୁ ପଶୁପାଳନ ବିଭାଗକୁ ସ୍ଥାନାନ୍ତରିତ ହୋଇଥିଲେ ।

 

ମହାବାତ୍ୟା ରାଜ୍ୟର ହଜାର ହଜାର ଅଧିବାସୀଙ୍କ ପାଇଁ କେବଳ କାଳ ହେଲାନି । ତାଙ୍କ କ୍ୟାରିୟର ପାଇଁ ମଧ୍ୟ କାଳ ଭାବେ ଦେଖାଦେଇଥିଲା ।

 

ମହାବାତ୍ୟାର ଏକ ସପ୍ତାହ ପରେ ମଧ୍ୟ ଟ୍ରାନ୍‌ସପୋର୍ଟ ଡିପାର୍ଟମେଣ୍ଟର ଅନେକ ସ୍ଥାୟୀ, ଅସ୍ଥାୟୀ କର୍ମଚାରୀ କାର୍ଯ୍ୟକ୍ଷେତ୍ରରୁ ଅନୁପସ୍ଥିତ ରହିଲେ । ଜନସାଧାରଣଙ୍କୁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଲା । ଶିଳାଦିତ୍ୟ କିଛି କର୍ମଚାରୀଙ୍କୁ ସସ୍‌ପେଣ୍ଡ୍‌ କଲେ ଏବଂ କିଛି ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିବାପାଇଁ ନୋଟିସ୍‌ ଦେଲେ । ସେ ଚାହୁଁଥିଲେ ଯେ ଏହି ଘୋର ବିପର୍ଯ୍ୟୟ ସମୟରେ ସବୁ କର୍ମଚାରୀ ଯୁଦ୍ଧ ସ୍ତରରେ କାମ କରନ୍ତୁ । ତାଙ୍କ ବିଭାଗର କର୍ମଚାରୀମାନେ ଏକ ଏକ୍‌ଜାମ୍ପଲ୍‌ ସୃଷ୍ଟି କରନ୍ତୁ ।

 

ତାଙ୍କର କଠୋର ପଦକ୍ଷେପ ଯୋଗୁଁ ଟ୍ରାନ୍ସପୋର୍ଟ କର୍ମଚାରୀମାନେ ରାଜ୍ୟବ୍ୟାପି ଧର୍ମଘଟ ଡ଼ାକରା ଦେଇଥିଲେ । ଦୁଇଦିନକାଳ ସରକାରୀ ବସ୍‌ଗୁଡ଼ିକର ଚକାବନ୍ଦ ହୋଇଗଲା ।

 

ୟୁନିଅନ ନେତାଙ୍କୁ କଥାବାର୍ତ୍ତା କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଡ଼କାଇଥିଲେ । ନେତାମାନେ ଦାବି କଲେ–ପ୍ରଥମେ ସସ୍‌ପେନ୍‌ସନ୍‌ ଓ ରିଟ୍ରେଞ୍ଚ୍‍ମେଣ୍ଟ୍‌ ଅର୍ଡରକୁ ବାତିଲ କର ।

 

ଦ୍ୱିତୀୟରେ, ଟ୍ରାନ୍ସପୋର୍ଟ ସେକ୍ରେଟାରୀଙ୍କୁ ବଦଳି କର ।

ୟୁନିଅନ ନେତାଙ୍କ କଥା ରହିଲା । ଶିଳାଦିତ୍ୟଙ୍କଠାରୁ ଟ୍ରାନ୍‌ସପୋର୍ଟ ବିଭାଗର ଦାୟିତ୍ୱ କାଢ଼ି ନିଆଗଲା । କିନ୍ତୁ ଅନ୍ୟକୌଣସି ଦାୟିତ୍ୱ ଦିଆଗଲା ନାହିଁ । ବରଂ ବସ୍‌ଙ୍କଠାରୁ ସେ ଏକ କନ୍‌ଫିଡ଼େନ୍‌ସିଆଲ୍‌ ମେମୋ ପାଇଲେ–ତୁମେ ଟ୍ୟାକ୍ଟଫୁଲ୍‌ ହେବାକୁ ଚେଷ୍ଟା କର ।

 

କାମଖୋର ଲୋକଙ୍କ ପାଇଁ କାମର ଅଭାବ ହୁଏନି । କିଛି ସ୍ୱେଚ୍ଛାସେବୀଙ୍କୁ ନେଇ ସେ ବାତ୍ୟାଞ୍ଚଳକୁ ବାହାରିଥିଲେ ରିଲିଫ୍‌ ବଣ୍ଟନ ପାଇଁ ।

 

ରାଜମାର୍ଗରେ ଗଲାବେଳେ ପାର୍ଶ୍ୱବର୍ତ୍ତୀ ଗାଁ ଓ ଛୋଟ ସହରଗୁଡ଼ିକ ଦିଶୁଥିଲେ ବୋମା-ବିଧ୍ୱସ୍ତ ଇଲାକା ପରି । ରାସ୍ତାକଡ଼ର ଗଛଗୁଡ଼ିକ ଦିଶୁଥିଲେ କବନ୍ଧ ପରି । ଘରଗୁଡ଼ିକ ଦିଶୁଥିଲେ ଡ଼ାଇନୋସରର କଙ୍କାଳ ପରି । ଇଲେକ୍ଟ୍ରି ଖୁଣ୍ଟ ଓ ଟେଲିଫୋନ ଖୁଣ୍ଟଗୁଡ଼ିକ ପଡ଼ିଥିଲେ ଧରାଶାୟୀ ସୈନିକଙ୍କ ପରି । ଏପରିକି ବୋଗନଭିଲ୍ଲାରେ ସଦାସର୍ବଦା ରଙ୍ଗିନ ଦିଶୁଥିବା ରାଜଧାନୀଟା ଦିଶୁଥିଲା ଏକ ମୃତ ସଭ୍ୟତା ପରି ।

 

ଉପକୂଳ ସାରା ଜଳସରବରାହ, ଟେଲିଫୋନ୍‌ ସେବାର ପୁନରୁଦ୍ଧାର, ଇଲେକ୍ଟ୍ରିସିଟିର ପୁନଃ ପ୍ରଚଳନ କାର୍ଯ୍ୟଗୁଡ଼ିକ ପାଇଁ ଯୁଦ୍ଧଭିତ୍ତିରେ କୌଣସି କାର୍ଯ୍ୟ ହାତକୁ ନିଆଯାଇ ନଥିଲା । ସ୍ଥାନୀୟ କର୍ମଚାରୀମାନେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ । ପଡୋଶୀ ରାଜ୍ୟରୁ ସ୍ୱଳ୍ପ ସଂଖ୍ୟକ ସ୍ୱେଚ୍ଛାସେବୀ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ ।

 

ତଳିଆ ଅଞ୍ଚଳରେ ଅବସ୍ଥା ଆହୁରି ଥିଲା ଶୋଚନୀୟ । ସାରା ବ୍ରହ୍ମାଣ୍ଡ ଲାଗୁଥିଲା ପାଣିରେ ଭାସିଲା ପରି । ଚାରିଆଡ଼େ ବିକ୍ଷିପ୍ତ ହୋଇପଡ଼ିଥିଲା ମଣିଷ ଓ ପଶୁପକ୍ଷୀଙ୍କ ପଚା ଶବ ।

 

ମହାବାତ୍ୟା ଆଘାତ କରିବାର ପରବର୍ତ୍ତୀ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖରୁ କୌଣସି ନିର୍ଦ୍ଦେଶ ଆସି ନଥିଲା । ସେଥିପାଇଁ ଚିଫ୍‌ ସେକ୍ରେଟାରୀ ତାଙ୍କ ନିବାସ ସ୍ଥଳକୁ ଯାଇଥିଲେ । ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ସେ ଗୋଟିଏ ସୋଫା ଉପରେ ବସିଥିଲେ । ହାତରେ ଥିଲା କୌଣସି ମଦିରାର ପାତ୍ର । ଝିଅଟିଏ ଗୀତ ଗାଉଥିଲା । ପାଖରେ ଦୁଇଜଣ ଚାଙ୍ଗୁ ଓ ମାଦଳ ବଜାଉଥିଲେ । ସେ ଆଖି ବୁଜି ମୁଣ୍ଡ ହଲାଉଥିଲେ ।

 

–ସାର, ଆମପାଇଁ କିଛି ନିର୍ଦ୍ଦେଶ ? ଆପଣଙ୍କୁ ଫୋନରେ ପାଇଲୁ ନାହିଁ ।

–କେମିତି ପାଇବେ ? ସବୁ ଫୋନ ତ ଅଚଳ ।

–ସାର୍‌, କେନ୍ଦୁପଦା ଅବସ୍ଥା ସଙ୍କଟାପନ୍ନ ।

–ସେଠିକାର ଡିଷ୍ଟ୍ରିକ୍ଟ କଲେକ୍ଟର ଗଲେ କୁଆଡ଼େ ?

–ସେ ହେଡ଼କ୍ୱାଟରରେ ନାହାନ୍ତି ।

–ତାଙ୍କୁ ସସ୍‌ପେଣ୍ଡ୍‌ କର ।

–ବାଜପୁର ଜିଲ୍ଲା ଜଳାର୍ଣ୍ଣବ ।

–କଲେକ୍ଟରଙ୍କୁ ଓୟାରଲେସ୍‌ରେ ଲଗାଅ ।

ଫୋନ୍‌ରେ କୌଣସିମତେ ସଂପର୍କ ସ୍ଥାପିତ ହେଲା ।

–ସାର୍‌, ସେ ଶୋଇଛନ୍ତି ।

–ସଂଧ୍ୟା ସାତଟାରେ ଶୋଇଛନ୍ତି ?

ସେ ମହାନିଦ୍ରାରେ ଶୋଇଥାନ୍ତୁ । ସେ ଜିଲ୍ଲାକୁ ଆଉ ଜଣେ କଲେକ୍ଟର ପଠାଅ ।

–ଆଉ କେଉଁ ଜିଲ୍ଲାର ଅବସ୍ଥା ଶୋଚନୀୟ ?

–ସାଧୁପୁର ।

–ସେ କଲେକ୍ଟର ଅଛନ୍ତି କି ନାହିଁ ବୁଝିଛ ?

–ସେ ତାଙ୍କ ଗାଁକୁ ଯାଇଛନ୍ତି । ତାଙ୍କ ଗାଁ ପାଣିରେ ବୁଡ଼ିଯାଇଛି ।

–ଆଉ କେଉଁ କଲେକ୍ଟର ହେଡ୍‌କ୍ୱାଟରରେ ଅଛନ୍ତି । ଜଗନ୍ନାଥପୁର ?

–ସାର୍‌, ତାଙ୍କର ବି ପତ୍ତା ମିଳୁ ନାହିଁ ।

ତା’ହେଲେ ରିଲିଫ କାମ ଦେଖିବାକୁ କ’ଣ ମୁଁ ଯିବି ?

 

ସେ ଏବେ ନିଜର ମଥାର କେଶରାଶି ଛିଣ୍ଡାଇବାକୁ ଯାଉଥିଲେ । ତାଙ୍କ କ୍ରୋଧକୁ ଶାନ୍ତ କରିବାକୁ ତାଙ୍କର ଜଣେ ଅନୁଗତ ତାଙ୍କୁ ଚାଙ୍ଗୁ ଧରାଇ ଦେଲା ।

 

କିଛି ସହକର୍ମୀ ଘୁମୁରା ଧରିଲେ । ମାଦଲ ବାଦକର ଯଷ୍ଠି ଆହୁରି ଜୋରରେ ଚାଲିଲା । ଝିଅଟି ଜାମୁଡ଼ାଳି ଓ କୁରେଇ ଫୁଲକୁ ସମର୍ପଣ କରି ଆଉ ଗୋଟିଏ ଗୀତ ବୋଲିଲା ।

 

ଚିଫ୍‌ ସେକ୍ରେଟାରୀ ଦଳବଳ ଧରି ଫେରି ଆସିଥିଲେ । ଏମ.ଏ.ରେ ପଢ଼ିଥିବା ୟୁରୋପ ଇତିହାସକୁ ଭୁଲିଯାଇଥିବା ଚିଫ୍‌ ସେକ୍ରେଟାରୀଙ୍କ ମନେପଡ଼ିଲା ରୋମ ସାମ୍ରାଜ୍ୟର ଅଧଃପତନର ଗାଥା । ଥରେ ରୋମ ନଗରୀରେ ସୃଷ୍ଟି ହୋଇଥିଲା ଏକ ଭୟଙ୍କର ଅଗ୍ନ୍ୟୁତ୍ପାତ । ଧନଧାନ୍ୟଭରା ପ୍ରାସାଦମୟ ରୋମ ହୁତୁ ହୁତୁ ହୋଇ ଜଳିଗଲା । ଚାରିଆଡ଼େ ବ୍ୟାପି ଯାଇଥିଲା ପ୍ରବଳ ହାହାକାର-। ସେତେବେଳେ ତାଦାନୀନ୍ତନ ସମ୍ରାଟ ନିରୋ ବୀଣାବାଦନରେ ମସ୍ତ ଥିଲେ । ତେଣୁ ଏଥିରେ କୌଣସି ଆଶ୍ଚର୍ଯ୍ୟ ନଥିଲା ଯେ ସମ୍ବାଦପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିରୋ ରୂପେ ଚିତ୍ରଣ କରି କାର୍ଟୁନ ବାହାରି ଥିଲା ।

 

ଅମଲାତନ୍ତ୍ର ଉପରେ ଆହୁରି ବେଶୀ ବିଷୋଦ୍‌ଗାର ହୋଇଥିଲା । ରାଜା ମହାରାଜା, ବଡ଼ଲାଟ୍‌, ଛୋଟଲାଟ୍‌ମାନଙ୍କ ଜାଗାରେ ଏବେ ବ୍ୟୁରୋକ୍ରାଟ୍‌ମାନେ ଭୋଗ ବିଳାସରେ ମାତିଛନ୍ତି । କାମ ନକଲେ ବି ଏମାନଙ୍କର ମାସକୁ ମାସ ଦରମା । ଏମାନଙ୍କ ପାଇଁ କେବେ ଧୋଇ ନାହିଁ, ମରୁଡ଼ି ନାହିଁ । ଏହି ନବୀନ ପୁଞ୍ଜିପତି ଗୋଷ୍ଠୀ ଦେଶକୁ କେବଳ ଶୋଷଣ କରି ଚାଲିଛନ୍ତି ।

 

ବାତ୍ୟାବିଧ୍ୱସ୍ତ ଅଞ୍ଚଳକୁ ଶିଳାଦିତ୍ୟ ସାଥୀରେ ନେଇଥିଲେ ବାପୁଜୀ ନଗରର ଅନେକ ସ୍ୱେଚ୍ଛାସେବୀ । ସ୍ୱ-ଚକ୍ଷୁରେ ଦେଖିଲେ ଗାଁ ଗହଳର ଲୋମହର୍ଷଣକାରୀ ଦୃଶ୍ୟ । ଜଳାର୍ଣ୍ଣବ ହୋଇଥିବା ଯୋଗୁଁ ଗାଁଗୁଡ଼ିକ ଦିଶୁଥିଲେ ଗୋଟିଏ ଗୋଟିଏ ହ୍ରଦ ପରି । ତାହା ଉପରେ ଘରର ଛାତଗୁଡ଼ିକ ଦିଶୁଥିଲେ ଭାସମାନ ପାଳଛତୁ ପରି । ଯେଉଁଠି ଏକଦା ଗାଁ ଗୋହିରୀ ଥିଲା, ସେଠି ଏବେ ଡଙ୍ଗା ଚାଲୁଥିଲା ।

 

କିଛି ଉଚ୍ଚ ଜାଗାମାନଙ୍କରେ ଏବଂ ବଣବୁଦାମାନଙ୍କରେ ପଡ଼ିଥିଲା ଗୃହପାଳିତ ପଶୁମାନଙ୍କର ପଚାଶବ । ଦୁର୍ଗନ୍ଧରେ ଫାଟିପଡ଼ୁଥିଲା ଖଣ୍ଡମଣ୍ଡଳ ।

 

ରାଜମାର୍ଗ ଉପରେ ବୁଢ଼ୀଟିଏ ତମ୍ବୁତଳେ ଆଣ୍ଠୁରେ ମୁଣ୍ଡଜାକି ବସିଥିଲା । ଶିଳାଦିତ୍ୟ ତାକୁ ପଚାରିଲେ–ତମ ଅଞ୍ଚଳକୁ ରିଲିଫ୍‌ ଆସିଛି ?

 

–ଯାହା ଆସୁଛିରେ ପୁଅ, ସବୁ ବାଟମାରଣ ହୋଇଯାଉଛି । ଗୁଣ୍ଡାମାନଙ୍କ ହାବୁଡ଼ରୁ ବର୍ତ୍ତିଲେ ସିନା ! ଶିଳାଦିତ୍ୟ ରାସ୍ତାରେ ଦେଖିଲେ ପଡୋଶୀ ରାଜ୍ୟରୁ ଅଳ୍ପ ସଂଖ୍ୟକ ପୋଲିସ୍‌ କର୍ମଚାରୀ ରାଜମାର୍ଗରେ ମୁତୟନ ହୋଇଛନ୍ତି । କିନ୍ତୁ ସେମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଅସମର୍ଥ ହେଉଥିଲେ ।

 

ଗୋଟିଏ ଜାଗାରେ ଅନେକ ଦର୍ଶକ ରୁଣ୍ଡ ହୋଇଥିବାର ଦେଖିବାକୁ ପାଇଲେ । ସେଠି ଏକ ତରୁଣୀର ଗଳିତ ଶବ ପଡ଼ିଥିଲା । ତରୁଣୀର ବଡ଼ ଭାଇକୁ ତା’ର ସଂସ୍କାର କରିବାକୁ ଡ଼କା ଯାଇଥିଲା । ସେ ଆସି ପହଞ୍ଚିଲା । କିନ୍ତୁ ଏହି ମନ୍ତବ୍ୟ ଦେଇ ଚାଲିଗଲା–ମୋ’ ପାଖରେ ଯେତିକି କିରୋସିନ ଅଛି ସେଥିରେ ମୋ’ ପରିବାରର ଦୁଇଦିନ ରୋଷେଇ ହେଇପାରିବ । ଏ କାମଟି ସରକାର କରୁ ।

 

ଶିଳାଦିତ୍ୟ ତରୁଣୀର ଭାଇଠାରୁ ଏଭଳି ଅମାନବିକତା ଆଶା କରି ନ ଥିଲେ । ସ୍ୱେଚ୍ଛାସେବକମାନଙ୍କ ସହ ମିଶି ସଂସ୍କାର କାର୍ଯ୍ୟ ସମ୍ପନ୍ନ କରିଥିଲେ । ସେ ସ୍ଥାନ ପରିତ୍ୟାଗ କରୁଥିଲା ବେଳେ ଭାବୁଥିଲେ, ଏହି ଭଉଣୀଟି ଭାଇର ମଙ୍ଗଳ ପାଇଁ ପ୍ରତି ବର୍ଷ ଖୁଦୁରୁକୁଣୀ ଓଷା କରିଥିବେ । ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧି ଥିବ । ଲୋକେ ପରିସ୍ଥିତିରେ ପଡ଼ି ଏତେ ତଳକୁ ଯାଇପାରନ୍ତି, ତାହା ତାଙ୍କ କଳ୍ପନାତୀତ ଥିଲା ।

 

ସେ ଦେଖିଲେ ଯେ ରିଲିଫ ସାମଗ୍ରୀର ଅଭାବ ନାହିଁ । ଦେଶ ବିଦେଶରୁ ଗାଡ଼ି ଗାଡ଼ି ଖାଦ୍ୟପଦାର୍ଥ, ପୋଷାକପତ୍ର ଓ ଔଷଧ ପ୍ରଭୃତି ପହଞ୍ଚିଛି । କିନ୍ତୁ ସେସବୁର ବଣ୍ଟନ ପାଇଁ କୌଣସି ସୁଚିନ୍ତିତ ଯୋଜନା ନାହିଁ ।

 

ସେ ଦେଖିଲେ କେତେକ ଜାଗାକୁ ରିଲିଫ ସାମଗ୍ରୀ ଆଦୌ ପହଞ୍ଚି ନାହିଁ । ଆଉ କେତେକ ଜାଗାରେ ଉପରେ ଉପରେ ରିଲିଫ ସାମଗ୍ରୀ ଲଦି ଦିଆଯାଇଛି । ଯେଉଁଠି କୁଢ଼ କୁଢ଼ ରିଲିଫ ସାମଗ୍ରୀ ପହଞ୍ଚିଛି, ସେଠି ପୁନରୁଦ୍ଧାର କାର୍ଯ୍ୟରେ ହାତ ନଦେଇ ଲୋକମାନେ ହାତଗୋଡ଼ ବାନ୍ଧି ବସିଛନ୍ତି । କେତେକ ଜାଗାରେ ତରୁଣମାନେ କ୍ରିକେଟ ଖେଳିବାରେ ବ୍ୟସ୍ତ ଅଛନ୍ତି ।

 

ସେ କ୍ରିକେଟ ଖେଳୁଥିବା ଯୁବକମାନଙ୍କୁ ପାଖକୁ ଡ଼ାକିଲେ । ପଚାରିଲେ ତୁମ ଘରବାଡ଼ି ଏମିତି ଭଙ୍ଗାରୁଜା ହୋଇପଡ଼ିଛି । ତମେ ଏଠି ଆସି କ୍ରିକେଟ ଖେଳୁଛ ?

 

ଘରବାଡ଼ି ମରାମତି କଲେ କ୍ଷତିପୂରଣ କେମିତି ମିଳିବ ? ଏପର୍ଯ୍ୟନ୍ତ କେତେ କ୍ଷୟକ୍ଷତି ହୋଇଛି ତା’ର ହିସାବ ନେବାକୁ ତହସିଲଦାର ଅଫିସରୁ କେହି ଆସିନାହାନ୍ତି । ବଡ଼ ସାବଲୀଳ ଭାଷାରେ ଉତ୍ତରଟି ଦେଲା ଜଣେ ଯୁବକ ।

 

ଶିଳାଦିତ୍ୟଙ୍କ ଏ ହତଭାଗ୍ୟ ଲୋକଙ୍କୁ ଅଭିଶାପ ଦେବାକୁ ଇଚ୍ଛା ହେଉଥିଲା । ମୁନିଋଷି ହୋଇଥିଲେ କହିଥାନ୍ତେ–ତୁମେ ସବୁ ପଶୁ ହୋଇଯାଅ । ପରକ୍ଷଣରେ ଏହି ପରମୁଖାପେକ୍ଷୀ ତରୁଣମାନଙ୍କ ପ୍ରତି ତାଙ୍କର ସହାନୁଭୂତି ଜାତ ହେଉଥିଲା ।

 

ବାତ୍ୟାଞ୍ଚଳରୁ ଫେରି ସେ ତାଙ୍କର ଅନୁଭୂତି ଧାରାବାହିକ ଭାବେ ଏକ ପ୍ରସିଦ୍ଧ ସମ୍ବାଦପତ୍ରକୁ ଦେଇଥିଲେ । ଏଥିରେ ଥିଲା ସରକାରୀ କଳର ଉଦାସୀନତା ଓ ଅପାରଗତା ପ୍ରତି ପ୍ରଚଣ୍ଡ କୁଠାରାଘାତ ।

 

ସେଥିପାଇଁ ତାଙ୍କୁ ଚିଫ୍‌ ସେକ୍ରେଟାରୀ ନିଜ ଚାମ୍ବରକୁ ଡ଼କାଇ ଥିଲେ । ଆକ୍ଷେପ କଲେ–ତମେ ସରକାରଙ୍କ କୁତ୍ସାରଚନା କରୁଛ କାହିଁକି ?

 

–ସାର, ଏହା ମୋର ନୈତିକ ଦାୟିତ୍ୱ ବୋଲି ମୁଁ ଭାବୁଛି ।

ସେ ରୋକଠୋକ ଉତ୍ତର ଦେଇଥିଲେ ।

 

–ନା, ଏହା ତୁମର କର୍ତ୍ତବ୍ୟ ନୁହେଁ । ତମେ ବାତ୍ୟା–ବିଧ୍ୱସ୍ତ ଅଞ୍ଚଳକୁ କାହାର ପରମିଶନ ନେଇ ଯାଇଥିଲ, ଶୁଣେ ।

 

–ମୁଁ ଛୁଟି ନେଇଥିଲି । ଏଥିପାଇଁ କାହାର ପରମିଶନ ନେବାର ଆବଶ୍ୟକତା ଅନୁଭବ କରି ନଥିଲି ।

 

–ଦେଖ, ତୁମେ ଦିନକୁ ଦିନ ଅତି ଉଚ୍ଛୃଙ୍ଖଳ ହେଉଛ । ତମରି ଯୋଗୁଁ ଏକ ବିରାଟ ଷ୍ଟ୍ରାଇକ ହୋଇଗଲା । ତମର ଟ୍ୟାକ୍ଟର ଅଭାବ ଏଥିପାଇଁ ଦାୟୀ । ଏହା ଜଣେ ସିଭିଲ ସର୍ଭାଣ୍ଟ ପାଇଁ ଅଶୋଭନୀୟ । ଏଥିପାଇଁ ମୁଁ ତୁମକୁ ଚାର୍ଜସିଟ୍‌ ଦେବି ।

 

ଶିଳାଦିତ୍ୟ ସାଙ୍ଗେ ସାଙ୍ଗେ ଚେୟାରରୁ ଉଠି ପଡ଼ିଲେ । ତାଙ୍କର ହାତଗୋଡ଼ ଥରିଉଠିଲା-। ରାଗିଲେ ତାଙ୍କର ସର୍ବାଙ୍ଗ ଏହିଭଳି ଥରି ଉଠେ । ସେ ବ୍ୟଙ୍ଗଭରା ସ୍ୱରରେ ତର୍ଜନୀ ନିର୍ଦ୍ଦେଶ କରି କହିଲେ–ଆପଣ ଚାର୍ଜସିଟ୍‌ ଦେବେ ? ଆପଣଙ୍କର ଏ କ୍ଷମତା ନାହିଁ । ଆପଣ ଭୁଲିଯାଉଛନ୍ତି ଯେ ମୁଁ ପ୍ରେସିଡ଼େଣ୍ଟ ଅଫ ଇଣ୍ଡିୟାଙ୍କ ଦ୍ୱାରା ନିଯୁକ୍ତ ହୋଇଛି ।

 

ଶିଳାଦିତ୍ୟଙ୍କ ବ୍ୟକ୍ତିତ୍ୱ ଥିଲା ଏକ ତୁଙ୍ଗ ଶାଳଗଛ ପରି । ସେ ଭାଙ୍ଗି ଯାଇପାରନ୍ତି । କିନ୍ତୁ କେବେ ନଇଁପଡ଼ୁ ନଥିଲେ ବାଉଁଶ ପରି ।

 

ବସ୍‌ଙ୍କର ମୁହଁ ବନ୍ଦ ହୋଇଯାଇଥିଲା । ତାଙ୍କ କାନମୂଳ ରଙ୍ଗା ପଡ଼ିଯାଇଥିଲା । ଚେୟାରର ହାତକୁ ଧରି ସେ ମଧ୍ୟ ଥରୁଥିଲେ ଏକ ନିଷ୍ଫଳ କ୍ରୋଧରେ ।

 

ଏହି ଘଟଣା ପରେ ତାଙ୍କ ଚାମ୍ବରକୁ ଆସିଥିଲେ ସୁତନୁ । ସେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ–ତମେ ବସ୍‍ମାନଙ୍କ ସହ ସବୁବେଳେ ଏପରି ଝଗଡ଼ା କରୁଛ କାହିଁକି ?

 

–କାରଣ ବସ୍‌ମାନେ ତାହା ଡିଜର୍ଭ କରନ୍ତି । ବସ୍‌ ସବୁବେଳେ ରାଇଟ ଉକ୍ତି ଭ୍ରମାତ୍ମକ । ସେମାନେ ମଧ୍ୟ ବେଳେ ବେଳେ ଅନ୍ୟାୟ କରନ୍ତି । ଦୁର୍ଭାଗ୍ୟର ବିଷୟ ଯେ କେହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁନାହାନ୍ତି । ଏଠି ଚାରିଆଡ଼େ ଦୁର୍ନୀତି ଚାଲିଛି । ଏତେବଡ଼ ବିପର୍ଯ୍ୟୟ ଘଟିଗଲା । କିନ୍ତୁ ତମ୍ବୁ କିଣା ଟେଣ୍ଡରରେ ଘୋଟାଲା ହେଲା । ତମେମାନେ କେହି ତୁଣ୍ଡ ଖୋଲିଲ ?

 

–ତମେ କ’ଣ ନିଜକୁ ଭାବିଛ ? ଅନ୍ୟମାନଙ୍କଠୁ ଡିଫରେଣ୍ଟ ?

–ଅଫକୋର୍ସ, ମୁଁ ଡିଫରେଣ୍ଟ । ମୁଁ କେବଳ ଅଲଗା ଧାତୁରେ ତିଆରି ନୁହେଁ । ଅଧିକାଂଶ ବସ ଓ ସହକର୍ମୀଙ୍କ ଠାରୁ ବିଦ୍ୟାରେ ଏବଂ ବୁଦ୍ଧିରେ ସୁପରିଅର ବୋଲି ମୁଁ ନିଜକୁ ଗଣନା କରେ । ଅଧିକାଂଶ ସହକର୍ମୀ ଓ ମେଷ ପଲଙ୍କ ଭିତରେ କୌଣସି ପାର୍ଥକ୍ୟ ମୁଁ ଦେଖୁ ନାହିଁ-। ମନ୍ତ୍ରୀମାନେ ଯେଉଁ ବାଟରେ ଯିବାକୁ କହିଲେ, ସେମାନେ ସେହି ବାଟରେ ଚାଲିବାକୁ ଶ୍ରେୟସ୍କର ମଣୁଛନ୍ତି ।

 

ଏହି ବସ୍‌ଙ୍କ କ’ଣ ବ୍ୟକ୍ତିତ୍ୱ ଅଛି କହିଲ ? ତାଙ୍କର ଏତେ ଦୁର୍ଗୁଣ ଯେ ସେସବୁ ଲେଖି ବସିଲେ ଏକ ମାଦଳା ପାଞ୍ଜି ହେବ । ଅଫିସର ଆସୋସିଏସନର ଗ୍ରୁପ ମତଦାନରେ ସେ ରାଜ୍ୟର ସବୁଠୁ ଦୁର୍ନୀତି-ପରାୟଣ ଅଧିକାରୀ ଭାବେ ବଛା ହୋଇଥିଲେ । ତଥାପି ତାଙ୍କର ମୁହଁ ଭୁରୁଡ଼ିକୁ ଦେଖ । ରାଜଧାନୀରେ ନିଜ ନାମରେ କୋଠା, ସ୍ତ୍ରୀ ନାମରେ କୋଠା, ଝିଅ ନାମରେ କୋଠା । କେତେ ଯେ ପ୍ଲଟ୍‌ କେତେ ଜାଗାରେ ସେ ମାରି ନେଇଛନ୍ତି । ମାଇଲ ମାଇଲ ଧରି କାଜୁ ଜଙ୍ଗଲ ଲିଜ ତାଙ୍କ ସଂପର୍କୀୟଙ୍କ ନାମରେ । ତାଙ୍କର ନୈତିକ ଅଧିକାର ବୋଲି କିଛି ଅଛି ?

 

–ଦେଖ, ତମର ଏଭଳି ପ୍ରକୃତି ଓ ଆଚାର ବ୍ୟବହାରରେ ତମେ ବ୍ୟୁରୋକ୍ରାସିରେ ବେଶୀ ଦିନ ତିଷ୍ଠିବ ନାହିଁ ।

 

–ମୁଁ ଜାଣେ । ଏଠି ପରସ୍ପରର କେବଳ ଗୋଛି କଟାକଟି ହୁଏ । କୁକୁର ଅନ୍ୟ କୁକୁରର ମାଂସ ଖାଏ ନାହିଁ । କିନ୍ତୁ ଏଠି ଆଉ ଜଣକର ବେକ କାଟି ରକ୍ତ ପିଇଯିବାକୁ ପଶ୍ଚାତ୍‌ପଦ ହୁଏ ନାହିଁ-

 

–ଦେଖ, ବ୍ୟୁରୋକ୍ରାସି ଏକ ମହାଭାରତର ଯୁଦ୍ଧ ପ୍ରାଙ୍ଗଣ ନୁହେଁ । ଯୁଦ୍ଧକ୍ଷେତ୍ରରେ ଗୋଟିଏ ବାଣକୁ ଆଉ ଗୋଟିଏ ବାଣ କାଟିଲା ପରି ଏଠି ବାକ୍ୟବାଣକୁ ବାକ୍ୟବାଣରେ କାଟିଲେ ଚଳିବନି । ଏଠି ତୁମକୁ ପରିସ୍ଥିତି ଦେଖି ନମନୀୟ ହେବାକୁ ପଡ଼ିବ ।

 

ବ୍ୟୁରୋକ୍ରାସିରେ ଭର୍ତ୍ତିହୋଇ ଏକ ଉଦାରପନ୍ଥୀ ଦାର୍ଶନିକ ଭଳି ବ୍ୟବହାର କରିବାର ଯୁଗ ଆଉ ନାହିଁ । ନା, ମୁଁ ତୁମ ସହ ଏକମତ ନୁହେଁ ।

 

ଅନେକ ରାତିଯାଏଁ ଦୁଇ ବନ୍ଧୁଙ୍କର ଯୁକ୍ତିତର୍କ ଜାରି ଥିଲା । ୟୁନିଭର୍ସିଟିର ଡିବେଟ୍‌ କମ୍ପିଟିସନ୍‌ରେ କିମ୍ବା ଡିପାର୍ଟମେଣ୍ଟରେ ଅନୁଷ୍ଠିତ ହୋଇଥିବା ମକ୍‌ ପାର୍ଲିଆମେଣ୍ଟର କୌଣସି ପ୍ରସ୍ତାବ ଉପରେ ଦୁହେଁ ଏଭଳି ତନ୍ମୟ ହୋଇ ତର୍କ କରିବାର ତାଙ୍କର ମନେପଡ଼ୁ ନଥିଲା ।

 

ଶିଳାଦିତ୍ୟ ସର୍ବଭାରତୀୟ ସେବାର ଅଧଃପତନ ସଂପର୍କରେ ଭାବି ଚାଲିଥିଲେ । କ୍ଲବରେ ବସି ମଦିରା ସେବନ କରିବା, କ୍ରିକେଟ ଉପରେ ସରଗରମ ଆଲୋଚନା କରିବା, କାର୍ଲମାର୍କସ୍‌, ଚେଗୁଭେରା, କାମ୍ୟୁ, କାଫ୍‌କା ପ୍ରଭୃତିଙ୍କ ଉପରେ ବକ୍ତୃତା ଦେବାରେ ଯେଉଁମାନେ ଧୂରନ୍ଧର ସେହିମାନେ ବସ୍‌ଙ୍କ ଶୁଭଦୃଷ୍ଟିରେ ପଡ଼ନ୍ତି । ନିଜର ଡିଣ୍ଡିମ ନ ପିଟି ଯେଉଁମାନେ ନେପଥ୍ୟରେ ଦାୟିତ୍ୱ ନିର୍ବାହ କରି ଚାଲିଥାନ୍ତି, ସେମାନଙ୍କର କୌଣସି ଅଗ୍ରଗତି ନାହିଁ ।

 

ଶିଳାଦିତ୍ୟ ନିଜକୁ ନମନୀୟ କରିପାରି ନଥିଲେ । ବାତ୍ୟା ରିଲିଫରେ ଲିପ୍ତ ଅଧିକାରୀମାନଙ୍କର ସେ ମୁଖା ଖୋଲି ଦେଇଥିଲେ । ଏହାପରେ ତାଙ୍କର ସସ୍‌ପେନ୍‌ସନ ଆଦେଶ ଆସିଥିଲା ।

•••

 

(୧୧)

 

ରାଜଧାନୀର ଏକ ପସ୍‌ କଲୋନୀରେ ଏକ ପ୍ରକାଣ୍ଡ ହର୍ମ୍ମ୍ୟ ମୁଣ୍ଡଟେକି ଉଠିଥିଲା । ସେଇଠି ପ୍ରିୟଙ୍କାଙ୍କ ଅଫିସ କମ୍‌ ରେସିଡ଼େନ୍ସ । ନିଜର ପୈତୃକ ପ୍ରାସାଦକୁ ଏକ ଆଧୁନିକ ରୂପ ଦେଇଥିଲେ ସେ । ଫାଟକର ଏକ ପାର୍ଶ୍ୱରେ ନାମ ଫଳକରେ ଉତ୍‌କୀର୍ଣ୍ଣ ହୋଇଥିଲା ପ୍ରିୟଙ୍କା ମହାପାତ୍ର, ଇଣ୍ଟେରିଅର ଡେକୋରେଟର ।

 

“ମହାପାତ୍ର’’ ସାଙ୍ଗିଆକୁ ଫେରିଆସିବାକୁ ତାଙ୍କୁ ଲାଗିଥିଲା ମାତ୍ର ଦଶଟିବର୍ଷ । ସେଦିନ ସେ ଏକା ଏକା ନିଜ ପ୍ରକୋଷ୍ଠରେ ବସି ପୁରୁଣା ଦିନର ସ୍ମୃତି ସମୂହକୁ ରୋମନ୍ଥନ କରୁଥିଲେ ।

 

ଯେଉଁଦିନ ଶିଳାଦିତ୍ୟଙ୍କ ସହ ବିବାହ ସ୍ଥିରୀକୃତ ହୋଇଥିଲା, ସେଦିନ ତାଙ୍କ ହାତଗୋଡ଼ ଥୟଧରି ରହୁ ନଥିଲେ । ସେ ଶିଳାଦିତ୍ୟଙ୍କର ଅସ୍ୱଚ୍ଛଳ ପୃଷ୍ଠଭୂମି ସଂପର୍କରେ ଜାଣିଥିଲେ । ଏହା ମଧ୍ୟ ଜାଣିଥିଲେ ଯେ ସେ ଜଣେ ଜିନିୟସ । ତେଣୁ ସେ ଜଣେ ମର୍ଯ୍ୟାଦା-ସମ୍ପନ୍ନ ଅଧିକାରୀଙ୍କ ପତ୍ନୀ ହେବେ । ସାଙ୍ଗମାନଙ୍କ ଘରକୁ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଗଲାବେଳେ ଗାଡ଼ିରେ ବସିଥିଲେ ବି ବାଲିହରିଣୀ ପରି କୁଦାମାରିଲା ଭଳି ତାଙ୍କୁ ଲାଗୁଥିଲା ।

 

ଇନ୍‌ଭିଟେସନ୍‌ କାର୍ଡର ଡିଜାଇନଠୁ ଆରମ୍ଭ କରି ବିବାହ ମଣ୍ଡପର ରୂପରେଖ କିପରି ହେବ ତାହା ସେ ନିଜେ ପ୍ରସ୍ତୁତ କରିଥିଲେ । କେଉଁଠୁ ଫୁଲ ଆସିବ, କେଉଁ ଫଟୋଗ୍ରାଫରକୁ ଡକାଯିବ, ଆଲୋକ ସଜ୍ଜା କିଭଳି ହେବ, କିପରି ତୋରଣ ଲାଗିବ ଏସବୁର ଟିକିନିଖି ଯୋଜନା ନିଜେ କରିଥିଲେ ।

 

ବିବାହ ଯେକୌଣସି ନାରୀର ଜୀବନରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟି । ରାଜଧାନୀରେ ନିଜର ବିବାହ ଉତ୍ସବକୁ ଚିର ସ୍ମରଣୀୟ କରିବାକୁ ସେ ରାତିଦିନ ଲାଗି ପଡ଼ିଥିଲେ ।

 

ଚିଫ୍‌ ଇଞ୍ଜିନିୟରଙ୍କ ଝିଅ ଥିଲେ ସେ । ସଦାନନ୍ଦ ମହାପାତ୍ରଙ୍କୁ ରାଜ୍ୟରେ କିଏ ନ ଜାଣେ ? ଅଧିକାଂଶ କଣ୍ଟ୍ରାକ୍ଟର ତାଙ୍କର ବଶଂବଦ । କେତେ କେତେ ସପ୍ଳାୟର ତାଙ୍କର ଆଜ୍ଞାଧୀନ-। ତାଙ୍କରି ଛତ୍ରଛାୟା ତଳେ ରହି ସେମାନେ ପରିପୁଷ୍ଟ ହୋଇଥିଲେ । ତେଣୁ ସେମାନଙ୍କର ସହଯୋଗରେ ବିବାହ ଉତ୍ସବଟି ଖୁବ୍‌ ଧୂମଧାମରେ ଆୟୋଜିତ ହୋଇଥିଲା । ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦାନ କରିଥିଲେ । ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଉତ୍ସବରେ ସାମିଲ ହୋଇ ଆଶୀର୍ବାଦ ଦେଇ ଯାଇଥିଲେ ।

 

କିନ୍ତୁ ମାତ୍ର କେତୋଟି ବର୍ଷରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଦାମ୍ପତ୍ୟ-ଜୀବନକୁ ଉପଭୋଗ କରିବା ତାଙ୍କ ଭାଗ୍ୟରେ ଲେଖା ହୋଇ ନଥିଲା ।

 

ପିଲା ଦୁହେଁ ବାହାରେ ରହି ପଢ଼ୁଥିଲେ । ତେଣୁ ତାଙ୍କ ଜୀବନଟା ଥିଲା ମରୁଭୂମିରେ ଗୋଟିକିଆ ଖଜୁରୀ ଗଛ ପରି ନିଃସଙ୍ଗ । ଅଧିକାଂଶ ସମୟ ସେ ନିଜ ଫାର୍ମରେ ନିଜକୁ ବ୍ୟସ୍ତ ରଖୁଥିଲେ । ଷ୍ଟାଫ ଓ କ୍ଲାଏଣ୍ଟମାନଙ୍କ ମଧ୍ୟରେ ଥିଲାବେଳେ ତାଙ୍କୁ ସମୟ ଜଣାପଡ଼ୁ ନଥିଲା । କିନ୍ତୁ ନିର୍ଜନ ମୁହୂର୍ତ୍ତଗୁଡ଼ିକରେ ସେ ଅଣନିଃଶ୍ୱାସୀ ଅନୁଭବ କରୁଥିଲେ ।

 

ସଂପର୍କର ଡୋରି ସେଦିନ ଛିଣ୍ଡି ଯାଇଥିଲା, ଯେଉଁଦିନ ସେ ସ୍ୱାମୀଙ୍କ ହାତରେ ମାଡ଼ ଖାଇଥିଲେ । ଏଭଳି ନୃଶଂସତା ସେ ତାଙ୍କଠୁ ଅପେକ୍ଷା କରି ନଥିଲେ । ଆଗରୁ ସେ ଭାବୁଥିଲେ ଯେ ସେ ଜଣେ ମେଗାଲୋମାନିଆକ । ତାଙ୍କ ଭାଷାରେ ନାରୀ ଜାତି ସେକେଣ୍ଡରେଟ ନାଗରିକ ଭାବେ ଚଳିବା ଉଚିତ । କଥା କଥାକେ ସେ ପ୍ରିୟଙ୍କାଙ୍କୁ ଦବାଇ ଦେବାକୁ ଚେଷ୍ଟା କରୁଥିଲେ । ତାଙ୍କ କଥା ଯେପରି ବେଦବାକ୍ୟ । ତାଙ୍କ ଉଚ୍ଚ ଅଭିଳାଷ ନିକଟରେ ଅନ୍ୟମାନଙ୍କୁ ବଳି ଦେବାକୁ ସେ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ ।

 

ଅନେକଥର ଦୁହିଁଙ୍କ ମଧ୍ୟରେ ବଚସା ହୋଇଛି । ସେ ରାଗିକରି ପିତ୍ରାଳୟକୁ ଚାଲିଯାଇଛନ୍ତି । କିନ୍ତୁ ଶିଳାଦିତ୍ୟ ହାଡ଼େ ହାଡ଼େ ଥିଲେ ଅହଙ୍କାରୀ । ତାଙ୍କୁ ଫେରାଇ ଆଣିବାକୁ ସେ କେବେ ପ୍ରଚେଷ୍ଟା କରି ନାହାନ୍ତି ।

 

ଭାବୁଥିଲେ ଯେ ସେ ବୟସରେ ସ୍ୱାମୀଙ୍କ ଠାରୁ କେତେ ଛୋଟ । ଶିଳାଦିତ୍ୟ ଥିଲେ ଜଣେ ଜାଣିବା ଶୁଣିବାର ଶିକ୍ଷିତ ବ୍ୟକ୍ତି । ସ୍ୱାମୀଙ୍କଦ୍ୱାରା ଅବହେଳିତ ହେଲେ ସ୍ତ୍ରୀମାନେ କିପରି ମାନସିକତାରେ ଗତି କରନ୍ତି, ସେ କିପରି ବୁଝିପାରନ୍ତି ନାହିଁ ?

 

ବେଳେ ବେଳେ ପ୍ରଥମ ପ୍ରେମ ସ୍ମୃତିର ବଳୟକୁ ଚାଲିଆସେ । ଯେକୌଣସି ସନ୍ତୁଳିତ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ପ୍ରଥମାର ସ୍ମୃତି ନିରୋଳା ମୁହୂର୍ତ୍ତମାନଙ୍କରେ କଲବଲ କରେ । ବାତାୟନ ଦେଇ ଆଞ୍ଜୁଳାଏ ମଲ୍ଲୀଫୁଲର ମହକ ପରି ଅତର୍କିତ ଭାବେ ପଶିଆସେ । କିନ୍ତୁ ସେ ସ୍ମୃତିରେ ପୁଲକିତ ହେବା ଅଲଗା କଥା କିନ୍ତୁ ସେ ମହକକୁ ଧରିବା ପାଇଁ ଦୌଡ଼ିବା ପାଗଳାମି ଛଡ଼ା କିଛି ନୁହେଁ ।

 

ତାଙ୍କର ପିତାଙ୍କ ପ୍ରରୋଚନାରେ ସେ ଡାଓରୀ ଆକ୍‌ଟରେ କେସ୍‌ କରିଥିଲେ । ପିଲା ଦୁହିଁଙ୍କର କଷ୍ଟୋଡ଼ି ପାଇଁ ମଧ୍ୟ ହାଇକୋର୍ଟ ଯାଏ ଲଢ଼ିଥିଲେ ।

 

ନ୍ୟାୟାଳୟରେ ଶିଳାଦିତ୍ୟ ଯୁକ୍ତି ଦେଖାଇଥିଲେ ମୁଁ ଉଚ୍ଚ ପଦବୀରେ ଅଛି । ପିଲାଙ୍କର ଲାଳନପାଳନ ଓ ଶିକ୍ଷାର ଦାୟିତ୍ୱ ମୁଁ ଭଲଭାବେ ନିର୍ବାହ କରିପାରିବି ।

 

ପ୍ରିୟଙ୍କାଙ୍କ ଯୁକ୍ତି ଥିଲା ମୁଁ ଜଣେ କର୍ମଜୀବୀ ମହିଳା । ମୋର ରୋଜଗାର ପିଲା ଦୁହିଁଙ୍କର ରକ୍ଷଣାବେକ୍ଷଣ, ଶିକ୍ଷାପାଇଁ ଯଥେଷ୍ଟ ହେବ । ପିଲାମାନଙ୍କୁ ମା’ମାନେ ବେଶୀ ସ୍ନେହ, ମମତା ଦେବାକୁ ସକ୍ଷମ ।

 

ନ୍ୟାୟାଳୟରେ ପ୍ରିୟଙ୍କାଙ୍କୁ କଷ୍ଟୋଡ଼ି ମିଳିଥିଲା । ତା’ପରେ ସେ ବାପାଙ୍କ ଇଚ୍ଛା ବିରୁଦ୍ଧରେ ଡାଓରୀ କେସ୍‌ଟିକୁ ପ୍ରତ୍ୟାହାର କରି ନେଇଥିଲେ ।

 

ତାଙ୍କୁ ବୋଧ ହୋଇଥିଲା ଯେ ତାଙ୍କ ସ୍ୱାମୀ ତାଙ୍କୁ ଭଲପାଇବା ତ ଦୂରର କଥା, ତାଙ୍କୁ ଆଦୌ ଗ୍ରହଣ କରିପାରିନାହାନ୍ତି । ତେଣୁ ଏଭଳି ଦାମ୍ପତ୍ୟ ଜୀବନ କେତେଦିନ ଯାଏ ଘୁଷୁରି ଘୁଷୁରି ଚାଲିଥାନ୍ତା ? ବରଂ ଭଲ ହୋଇଛି । ସବୁ ସରିଯାଇଛି । ଆଉ କୌଣସି ପ୍ରାପ୍ତିର ଆଶା ନାହିଁ, ତେଣୁ ଦୁଃଖ ନାହିଁ ।

 

ପ୍ରଥମେ ପ୍ରଥମେ ତାଙ୍କର ବ୍ୟର୍ଥ ଦାମ୍ପତ୍ୟ ଜୀବନ ଯୋଗୁଁ ସେ ଲୁଚି ଲୁଚି ଲୁହ ଝରାଉ ଥିଲେ । ଏବେ ସେ ନିଜକୁ ପଥର କରି ଦେଇଛନ୍ତି । ତାଙ୍କ ଆଖିରୁ ସବୁ ଲୁହ ସରିଯାଇଛି ।

 

ଏବେ ଦୁଇଟି ପିଲା ହିଁ ତାଙ୍କର ସବୁ କିଛି । ସେ ଦୁହିଁଙ୍କୁ ସେ ବଡ଼ କରିବେ । ତାଙ୍କରି ସୁଖରେ ସୁଖୀ ହେବେ ।

 

ବେଳେବେଳେ ତାଙ୍କ ମନକୁ ଆସିଛି ଯେ ସେ ଚାହିଁଥିଲେ କ’ଣ ଆଉଥରେ ଜୀବନକୁ ଗଢ଼ିପାରି ନଥାନ୍ତେ । ଧନୀକ ପିତାଙ୍କ ଏକମାତ୍ର ଦୁଲାଳୀ ସେ । ନିଜର ଏକ ଅର୍ଥକାରୀ ଫାର୍ମ ଅଛି-। ଏବେ ବି ସ୍ୱାସ୍ଥ୍ୟ ଅତୁଟ ରହିଛି । ଦୁଇକେରା ରୂପେଲି କେଶକୁ ରଙ୍ଗ ଦେଲେ କେହି ଜାଣିପାରିବେନି ଯେ ତାଙ୍କୁ ଚାଳିଶି ବର୍ଷ ପାଖାପାଖି ହେଲାଣି ।

 

ମାଟ୍ରିମୋନିୟାଲ ସ୍ତମ୍ଭମାନଙ୍କର ବିଜ୍ଞାପନ ଉପରେ ବେଳେବେଳେ ତାଙ୍କ ଆଖି ବୁଲିଯାଏ–ବିଦେଶରେ ମୋଟା ଅଙ୍କ ଅର୍ଜନ କରୁଥିବା ଡିଭୋର୍ସି ପାଇଁ ସୁନ୍ଦରୀ, ସମ୍ଭ୍ରାନ୍ତ ଜୀବନସାଥୀ ଆବଶ୍ୟକ । ଜାତିଧର୍ମର ବାଛବିଚାର ନାହିଁ ।

 

ବିଦେଶରେ ଚାଳିଶ ବର୍ଷରେ ଜୀବନ ଆରମ୍ଭ ହୁଏ । ତେଣୁ ସେ ଅବଜ୍ଞାରେ ଖବରକାଗଜର ଅନ୍ୟ ପୃଷ୍ଠା ଆଡ଼େଇ ଚାଲନ୍ତି ।

 

ବେଳେବେଳେ ନିରୋଳା ମୁହୂର୍ତ୍ତରେ ଚନ୍ଦ୍ରକାନ୍ତ ତାଙ୍କ ମନ ଭିତରକୁ ଧସି ପଶେ । ସେ ତାଙ୍କ ଅଧୀନରେ ଆର୍କିଟେକ୍ଟ ଭାବେ କାମ କରେ । ମଧ୍ୟବିତ୍ତ ଶ୍ରେଣୀର ତରୁଣ । ଅତିମାତ୍ରାରେ ଭଦ୍ର । ବର୍ଷେ ଭିତରେ ସେ ଲକ୍ଷ୍ୟ କରିଛନ୍ତି ଯେ ସେ ବଡ଼ ଉଦ୍ଯୋଗୀ । ତାଙ୍କ ଅନୁପସ୍ଥିତିରେ ଅଫିସ୍‌ର ସବୁ କାର୍ଯ୍ୟ ସେ ସମ୍ଭାଳି ନିଏ ।

 

ତା’ ସହ ଅଫିସ୍‌ କାମରେ ସେ କେତେଥର ପଡୋଶୀ ରାଜ୍ୟକୁ ଯାଇଛନ୍ତି । ତାକୁ ନେଇ ମଧ୍ୟ ରାତ୍ରରେ ତାଙ୍କ ମନ ଭିତରେ ଝଡ଼ ସୃଷ୍ଟି ହୋଇଛି ।

 

କେତେଥର ତାକୁ ରୁମ୍‌କୁ ଡ଼ାକି ଡିନର ଖୁଆଇଛନ୍ତି । ପଚାରିଛନ୍ତି–ଘରେ କିଏ କିଏ ଅଛନ୍ତି ?

 

–ମା’ ଓ ଦୁଇ ଭଉଣୀ । ସଂକ୍ଷେପରେ ଉତ୍ତର ଆସିଛି ।

–ଭଉଣୀମାନେ କ’ଣ କରୁଛନ୍ତି ?

–କଲେଜରେ ପଢ଼ୁଛନ୍ତି ।

 

ଡିନର ସମାପନ ପର୍ବ ପରେ ପ୍ରକୋଷ୍ଠରେ ଅନେକ କ୍ଷଣଯାଏ ନିରବତା ବ୍ୟାପି ଯାଇଛି-

 

–ମ୍ୟାଡ଼ାମ୍‌, ମୁଁ ଯିବି ?

–କ’ଣ ନିଦ ଲାଗିଲାଣି ?

 

କିଛି ସମୟର ନିରବତା ପରେ ପ୍ରିୟଙ୍କା ଅନୁମାନ କରନ୍ତି ଯେ ତାଙ୍କର ନିଶ୍ୱାସ ଖରତର ହେବାରେ ଲାଗିଛି ।

 

ମନକଥା ମନରେ ରହିଯାଏ । ରାତ୍ରି ଯେତିକି ଯେତିକି ଗାଢ଼ ହୁଏ, ଶରୀରର ତନ୍ତ୍ରୀ ସବୁ ସେତିକି ବିକଳ ହୁଅନ୍ତି । ନିଦ ବି ଦାଉ ସାଧେ ।

 

ପର ମୁହୂର୍ତ୍ତରେ ଭାବନ୍ତି–ନା, ଆଉ ସେ ମାୟାରେ ପଶିବେ ନାହିଁ । ଆଉ ଜଣେ ଅପରିଚିତ ଲୋକ ତାଙ୍କ ଜୀବନକୁ ଆସି ଯେ ତାଙ୍କୁ ପ୍ରକୃତ ପ୍ରେମ ଦେଇପାରିବ, ସେ ଗ୍ୟାରେଣ୍ଟି କିଏ ଦେଇପାରିବ ? ତା’ପରେ ଦୁଇଟି କିଶୋର ପୁତ୍ରଙ୍କ ଉପରେ ତାହା କି ପ୍ରଭାବ ପକାଇବ ? ନା, ବରଂ ଏହି ସ୍ୱାଧୀନ ଜୀବନ ବେଶ ଶ୍ରେୟସ୍କର ।

•••

 

(୧୨)

 

ସେଦିନ ଶିଳାଦିତ୍ୟଙ୍କ ବଙ୍ଗଲୋରୁ କ୍ଷିପ୍ରଗତିରେ ଛୁଟି ଆସିଥିଲେ ମନସ୍ୱିନୀ । ଦରୱାନ୍‌ ଆଶ୍ଚର୍ଯ୍ୟଚକିତ ହୋଇ ତାଙ୍କର ଗତିପଥକୁ ଚାହିଁ ରହିଥିଲା ।

ଏଭଳି ଅଣନିଃଶ୍ୱାସୀ ହୋଇ ସେ କେବେ ଦୌଡ଼ି ନଥିଲେ ।

ଉପରେ ଚୈତ୍ରର ଦାରୁଦଗ୍ଧ ଅପରାହ୍ନ । ଝାଞ୍ଜିପବନ ମୁହଁ ପୋଡ଼ି ପକାଇଲା ଭଳି ଲାଗୁଥିଲା । ସେ ରାଜମାର୍ଗ ପାର୍ଶ୍ୱରେ ଥିବା ଗୋଟିଏ କୃଷ୍ଣଚୂଡ଼ା ଗଛମୂଳେ ବସିପଡ଼ିଥିଲେ । ଅସହ୍ୟ ରୌଦ୍ରତାପ ଯୋଗୁଁ ରାସ୍ତାରେ ଜନମାନବର ଚିହ୍ନବର୍ଣ୍ଣ ନଥିଲା ।

ଆଖି ପାଇଲାଯାଏ କୌଣସି ରିକ୍ସା ଦୃଶ୍ୟ ହେଉ ନଥିଲା ।

କୃଷ୍ଣଚୂଡ଼ାର ସରୁ ସରୁ ଡ଼ାଳ ଉପରେ ଗାଢ଼ ଲାଲ ଫୁଲର ସ୍ତବକ ସବୁ ଲାଉ ହୋଇଥିଲେ । ସାମ୍ନାରେ ସୁନାରି ଗଛରେ କିଛି ନାଁ ନ ଜଣା ପକ୍ଷୀମାନେ ଥଣ୍ଟ ମେଲାକରି କ୍ଳାନ୍ତି ନିବାରଣ କରୁଥିଲେ । ସମ୍ମୁଖର ବବୁଲଗଛରୁ ପକ୍ଷୀଟିଏ ରାବ କଲା । ଅନତିଦୂରରୁ ଆଉ ଗୋଟିଏ ପକ୍ଷୀ ଦେଲା ତା’ର ପ୍ରତ୍ୟୁତ୍ତର । ମନସ୍ୱିନୀଙ୍କୁ ଶୁଭୁଥିଲା ଶିଳାଦିତ୍ୟଙ୍କ ଆକୁଳ ଆହ୍ୱାନ-ଫେରି ଆସ ମନି, ଫେରିଆସ ।

ମନସ୍ୱିନୀ ଭାବୁଥିଲେ–ସାର୍ ଏପରି ଭାବପ୍ରବଣତାର ସୁଅରେ ଭାସିଗଲେ କାହିଁକି ? କାହିଁକି ସେ ଏଭଳି ଛେଉଣ୍ଡ ଛୁଆ ଭଳି କଇଁ କଇଁ ହୋଇ କାନ୍ଦି ଉଠୁଥିଲେ ?

ଅନେକ ସମୟ ପରେ ରିକ୍ସାବାଲାଟିଏ ଝାଳନାଳ ହୋଇ ଆସି ପହଞ୍ଚିଲା । ପଚାରିଲେ–ବସ୍‌ଷ୍ଟାଣ୍ଡ ଯିବୁ ?

–କୋଡ଼ିଏ ଟଙ୍କା ପଡ଼ିବ ।

‘ହଉ’ କହି ସେ ରିକ୍ସାରେ ଉଠିଲେ ।

ମନସ୍ୱିନୀଙ୍କ ବଦଳି ରୋକିବା କାମ ଶିଳାଦିତ୍ୟଙ୍କ ବାଁ ହାତରେ ଖେଳ ଥିଲା । ସେ ଏବେ ଶାନ୍ତିର ନିଃଶ୍ୱାସ ନେଲେ । ଆଉ ତାଙ୍କୁ ଅଜଣା ଅପରିଚିତ ଜାଗାକୁ ଯାଇ ଭଟକିବାକୁ ପଡ଼ିବ ନାହିଁ । ପୁଅର ମାଟ୍ରିକ ପରୀକ୍ଷାଟା ସରିଗଲା ପରେ ପୁଣି ଦେଖାଯିବ ।

ଏବେ ନିଭୃତ ପ୍ରହରମାନଙ୍କରେ ତାଙ୍କ ମୁଣ୍ଡରେ ଅଜବ ଖିଆଲ ପଶୁଥିଲା । ଶିଳାଦିତ୍ୟ ଏବେ ବି ତାଙ୍କୁ ମନରୁ ପାଶୋରି ଦେଇ ନାହାନ୍ତି । ଏତେ ବର୍ଷର ବିଚ୍ଛେଦ ତାଙ୍କର ପ୍ରେମର ସାନ୍ଦ୍ରତାକୁ ପାଣିଚିଆ କରିଦେଇ ନାହିଁ ।

ସେମିତି ଦେଖିବାକୁ ଗଲେ ସେ କ’ଣ ତାଙ୍କୁ ମନରୁ ଅପସାରଣ କରିପାରିଛନ୍ତି ? ବିନିଦ୍ର ରଜନୀମାନଙ୍କରେ ସେ କ’ଣ ତାଙ୍କୁ କାମନା କରିନାହାନ୍ତି ? କଲେଜ ଜୀବନର ମିଠା ସ୍ମୃତି ମନେପଡ଼ିଛି । ମନେପଡ଼ିଛି ପିକ୍‍ନିକ୍‌ ପରବର୍ତ୍ତୀ ସୁଖକର ଦିନଗୁଡ଼ିକ । ଗୋଟିଏ ଦିନ କଲେଜରେ ତାଙ୍କୁ ନ ଦେଖିଲେ ତାଙ୍କୁ ବାୟାଣୀ ପରି ଲାଗୁଥିଲା । ତାଙ୍କ କ୍ଲାସମାନଙ୍କରେ ସେ ଆଗତୁରା ଆସି ଆଗ ବେଞ୍ଚ ଦଖଲ କରୁଥିଲେ । ଏତେ ଅଧ୍ୟାପକ କମନ୍‌ରୁମ୍‌ରେ ବସିଥିବା ସତ୍ତ୍ୱେ ସାର୍ଟିଫିକେଟ୍‌ ଆଟେଷ୍ଟ କରିବାପାଇଁ ସେ ହାଜର ହୋଇଯାଉଥିଲେ ତାଙ୍କ ନିକଟରେ ।

ଶିଳାଦିତ୍ୟ ଏବେ ଏକାନ୍ତଭାବେ ନିଃସଙ୍ଗ । ଏବେ ଆଉ ଏକ ସୁଯୋଗ ମିଳିଛି । ଏବେ ଚାହିଁଲେ ବୋଧହୁଏ ତାଙ୍କ ପୁରୁଣା ପ୍ରେମକୁ ହାତମୁଠାରେ ପାଇପାରନ୍ତେ । ଯେଉଁ ସୁଯୋଗକୁ ହାତଛଡ଼ା କରିଥିଲେ, ଏବେ ତାକୁ ଜାବୁଡ଼ି ଧରନ୍ତେ । ଏକାବେଳକେ ଧନ, ପ୍ରେମ, ଐଶ୍ୱର୍ଯ୍ୟ, ସୁଖ୍ୟାତି, ସବୁକିଛି ତାଙ୍କୁ ପ୍ରାପ୍ତ ହୁଅନ୍ତା ।

ପୁଣି ସେ ସଚେତ ହେଲେ ଯେ ରୁଦ୍ର ଏବେ ବି ତାଙ୍କୁ ଡିଭୋର୍ସ ଦେଇନାହାନ୍ତି । କେସ୍‌ ନ୍ୟାୟାଳୟରେ ଝୁଲିକରି ରହିଛି । ଦିନ ପରେ ଦିନ ଗଡ଼ି ଚାଲିଛି । ରୁଦ୍ର ଜାଣିଶୁଣି କେସ୍‌କୁ ଗଡ଼ାଉଥିବାରୁ ଫଇସଲା ହୋଇପାରୁ ନାହିଁ । ପ୍ରକୃତରେ ସେ ତାଙ୍କୁ ଡିଭୋର୍ସ ଦେବାକୁ ଚାହାନ୍ତି ନାହିଁ । ସେ ଏକ ପରାଙ୍ଗପୁଷ୍ଟ ପ୍ରାଣୀ । ସେ ତାଙ୍କ ରୋଜଗାର ଉପରେ ଚଳିବା ପାଇଁ ଭିତିରିଆ ଇଚ୍ଛା ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ଜରିଆରେ ଏକ ଆପୋଷ ମୀମାଂସା କରିବାପାଇଁ ସେ କେତେ ଥର ଖବର ପଠାଇଲେଣି । କିନ୍ତୁ ନିଜେ ସମ୍ମୁଖକୁ ଆସିବା ପାଇଁ କେବେ ସତ୍‌ସାହସ ସଞ୍ଚୟ କରିପାରି ନାହାନ୍ତି ।

ଥରେ ଚିଠିଟିଏ ପଠାଇଥିଲେ । ଲେଖିଥିଲେ–ମୁଁ ମୋର କୃତକର୍ମ ପାଇଁ ଗଭୀର ଅନୁତପ୍ତ । ଆମେ କ’ଣ ପଛ ଦିନଗୁଡ଼ିକର ତିକ୍ତତା ଭୁଲିଯାଇ ଆଉଥରେ ନୂଆକରି ସଂସାର ଗଢ଼ିପାରିବା ନାହିଁ ?

ସେ ଚିଠିଟିକୁ ସେ ଖଣ୍ଡ ଖଣ୍ଡ କରି ଡଷ୍ଟବିନ୍‌କୁ ଫିଙ୍ଗି ଦେଇଥିଲେ । ତାଙ୍କର ପ୍ରଚ୍ଛନ୍ନ ଅଭିଳାଷ ସେ ଭଲ ଭାବେ ବୁଝିପାରି ଥିଲେ । ସନ୍ଦେହର ଭିତ୍ତି ଭୂମିରେ ପର୍ଯ୍ୟବସିତ ସଂପର୍କକୁ କେତେଦିନ ଠେଲିଠେଲି ଆଗକୁ ନିଆଯାଇପାରିବ ?

ଶୋଇଲାବେଳେ ତାଙ୍କ ଆଖି ଆଗକୁ ଭାସି ଆସୁଥିଲେ ବିଭିନ୍ନ ଉପନ୍ୟାସରେ ପଢ଼ିଥିବା ପରକୀୟା ପ୍ରେମରେ ସଂପୃକ୍ତ ଚରିତ୍ରମାନେ । ଆନ୍ନା କାରେନିନା, ମାଡ଼ାମ୍‌ ବୋଭାରି, ଲାରା ଫିଡୋରୋଭ୍‌ନା ପ୍ରଭୃତି ପରକୀୟ ପ୍ରେମ ଆଡ଼େ ଏକ ଅଜବ ଖିଆଲରେ ଅଗ୍ରସର ହୋଇଛନ୍ତି । ବାଡ଼ ସେପଟର ଚାରଣଭୂମି ତାଙ୍କୁ ବେଶୀ ସବୁଜ ଦିଶିଛି । ଶେଷରେ, ତାଙ୍କର ସବୁ ସ୍ୱପ୍ନ ଚୁରମାର ହୋଇଯାଇଛି । ନିଜେ ସେମାନେ ସଳିତା ପରି ତିଳତିଳ କରି ଜଳି ମରିଛନ୍ତି । ସମାଜ ସେମାନଙ୍କୁ ହୀନଚକ୍ଷୁରେ ଦେଖିଛି । ପତିତା ବୋଲି ତର୍ଜନି ନିର୍ଦ୍ଦେଶ କରିଛି ।

ଏବେ ସେ ଏକାକିନୀ ନୁହଁନ୍ତି । ସାଥୀରେ ପୁଅ ଅଛି । ବୋଧିସତ୍ତ୍ୱ ଏବେ ବହୁତ ବଡ଼ ହୋଇଗଲାଣି । ତାଙ୍କର ଏ ପରିଣତ ବୟସରେ ଆଉ ଏକ ସଂପର୍କକୁ ସେ କ’ଣ ସ୍ୱୀକାର କରିପାରିବ ? ଏତ ବିଦେଶ ନୁହେଁ, ଯେଉଁଠି ଏଭଳି ସଂପର୍କ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି ।

ଏବେ ଶିଳାଦିତ୍ୟଙ୍କ ପାଖକୁ ଫେରିଯିବା ଏକ ଦିବାସ୍ୱପ୍ନ ସଦୃଶ । କେବେ ସେ ଥିଲେ ଏକାନ୍ତ ଆପଣାର । ଏବେ ସେ ପରପୁରୁଷ ।

ନିଜର ଡୁପ୍ଲେକ୍ସ ବଙ୍ଗଲୋର ବାଲକୋନୀରେ ବସି କୃଷ୍ଣଚୂଡ଼ା ଗଛଆଡ଼େ ନିର୍ନିମେଷ ନୟନରେ ଅନାଇ ରହିବା ଶିଳାଦିତ୍ୟଙ୍କ ଏକ ବିଳାସ । ବାଲକୋନୀର କାଠବାଡ଼ ଯାଏ ନଇଁ ଆସିଥିଲା କୃଷ୍ଣଚୂଡ଼ାର ଡ଼ାଳଟିଏ । ବେଳେବେଳେ ସେ ଡ଼ାଳରେ ବାଲକୋନୀକୁ ଓହ୍ଲାଇଆସେ ଗୁଣ୍ଡୁଚି ମୂଷାଟିଏ । ପ୍ରଭାତରୁ ସୁମଧୁର କଣ୍ଠରେ କୁମ୍ଭାଟୁଆଟିଏ ରାବ ଦିଏ । ବାଡ଼ ପାଖରେ ଯାଇ ଠିଆହେଲେ ତା’ର ଗୀତ ବନ୍ଦ ହୋଇଯାଏ । ଦିନବେଳେ ଏ ଗଛକୁ ଉଡ଼ିଆସନ୍ତି କେତେ ଜାତିର ପକ୍ଷୀ । ଦିନସାରା ନିର୍ଭୟରେ ସେଠି ବସି ଗପ ମେଲାଇଥାନ୍ତି ସାତଭଉଣୀ ଚଢ଼େଇ ।

ରାତ୍ରିରେ ସେ ଗଛରେ ବସି କୋଇଲିଟିଏ ଲହରିଆ ଡ଼ାକ ଦିଏ । କାହିଁକି ସେ ଶୁଏନା କାହିଁକି କେଜାଣି ? ନିଜେ ତ ଶୁଏନା । ତାଙ୍କୁ ମଧ୍ୟ ଶୁଆଇ ଦିଏ ନାହିଁ । ସେ କୋଇଲିଟି କ’ଣ ତାଙ୍କ ଭଳି ଏକାନ୍ତ ନିଃସଙ୍ଗ ?

ଦିନେ ପ୍ରାତଃଭ୍ରମଣ ପରେ ସେ ଇଜି ଚେୟାରଟିଏ ପକାଇ ବାଲକୋନୀରେ ବସିଥିଲେ-। ସେଦିନ ମନସ୍ୱିନୀ ତାଙ୍କ ବଙ୍ଗଲୋରୁ ହଠାତ୍‌ ଦୌଡ଼ି ଚାଲିଗଲା ପରେ ସେ ଡିପ୍ରେସନ୍‌ର ଶିକାର ହୋଇଥିଲେ । ନିୟମିତ ଭାବେ ସେ ବାଲକୋନୀରେ ଅନେକ କ୍ଷଣ ଚୁପ୍‌ଚାପ୍‌ ବସି ରହୁଥିଲେ ।

କୃଷ୍ଣଚୂଡ଼ା ଗଛ ଭରିଥିଲା ଦୋଲା ଦୋଲା ନାରଙ୍ଗୀ ଫୁଲରେ । ସବୁଜ ପତ୍ର ଓ କଢ଼ ଭିତରେ ଫୁଲସବୁ ଦିଶୁଥିଲେ ଏକ ସାମିୟାନାରେ ହୋଇଥିବା ଆପ୍ଲିକ୍‌ କାରୁକାର୍ଯ୍ୟ ପରି ।

ହଠାତ୍‌ ସେ ଭାବୁକ ପାଲଟି ଗଲେ । ତାଙ୍କୁ ଲାଗିଲା ଏ ଯେପରି ଆକାଶର ଦେବତା ପାଇଁ ସବୁଜ କାଗଜ ଉପରେ ଲେଖା ହୋଇଥିବା ଧରିତ୍ରୀର ଏକ ଦୀର୍ଘ ପ୍ରେମପତ୍ର ।

ମନସ୍ୱିନୀଙ୍କ ସେଦିନର ଅନୁରୋଧ କଥା ମନେପଡ଼ିଲା–ମୋର ଚିଠିଗୁଡ଼ିକ ଦୟାକରି ଫେରାଇ ଦେବେ ।

ଚିଠିର ପ୍ୟାକେଟ୍‌ ଆଣିବାକୁ ସେ ବେଡ୍‌ରୁମ୍‌କୁ ଗଲେ । କେତେଗୁଡ଼ିଏ ଚିଠିରେ ତାଙ୍କ ଆଖି ବୁଲିଗଲା । ଗୋଟିଏ ଚିଠିରେ ଥିଲା ତାଙ୍କ ଅଧ୍ୟାପନର ଭୁରି ଭୁରି ପ୍ରଶଂସା ଆପଣଙ୍କ ଯୋଗୁଁ ମୁଁ ଫାଷ୍ଟକ୍ଲାସ୍‌ ପାଇଲି । ଆପଣ ମୋର ଦିଗ୍‌ଦର୍ଶନ କରି ନଥିଲେ ମୁଁ ଆଜି ଅଧ୍ୟାପିକା ହୋଇପାରି ନଥାନ୍ତି ।

ଆଉ ଗୋଟିଏ ଚିଠିରେ–କଲେଜରେ ଅତି କମ୍‌ରେ ପାଞ୍ଚଜଣ ଝିଅ ଆପଣଙ୍କ ପାଇଁ ବାୟାଣୀ ହୋଇଥିଲେ । ଅଧ୍ୟାପକମାନେ ତ ଆପଣଙ୍କୁ ଦେଖି ଈର୍ଷାରେ ଜଳୁଥିଲେ ।

–ମତେ ଶ୍ୟାମଳବର୍ଣ୍ଣର ପୁରୁଷ ଭଲ ଲାଗେ । ଗୋରା ପୁଅମାନେ ମାଇଚିଆ ଭଳି ଦିଶନ୍ତି ।

ଏମିତି ଅନେକ ଚିଠିରେ ଥିଲା ମନସ୍ୱିନୀର ପିଲାଳିଆମି ଅଥବା ନାରୀସୁଲଭ ଦୁଷ୍ଟାମି । ଚିଠିଗୁଡ଼ିକ ଛାତିରେ ପକାଇ ଅନେକ ସମୟ ଯାଏ ଆଖିବୁଜି ପଡ଼ିଥିଲେ ।

•••

 

(୧୩)

 

ଶିଳାଦିତ୍ୟଙ୍କ ଉପରେ କିଏ ଅନ୍ଧାରୀ ଆକ୍ରମଣ କରିଥିଲା, ତା’ର ସୁରାକ ମିଳିଲାନି । ପୋଲିସ ଅନୁସନ୍ଧାନର କାର୍ଯ୍ୟକ୍ରମକୁ ନଥିପତ୍ରରେ ଡୋରି ବାନ୍ଧି ଦିଆଯାଇଥିଲା ।

ସଂପୂର୍ଣ୍ଣ ସୁସ୍ଥ ହୋଇ ଶିଳାଦିତ୍ୟ ନିଜ ବଙ୍ଗଲୋକୁ ଫେରି ଆସିଥିଲେ ।

ହସ୍ପିଟାଲର ପରିସରରେ ତାଙ୍କ ଶୁଭ ଚିନ୍ତକମାନେ ଭେଟିବାର କଟକଣାଥିଲା । ସେଥିପାଇଁ ଘରକୁ ଫେରିବା ପରେ ଜନତାର ସୁଅ ଛୁଟିଲା । ଏଥର ରାଜ୍ୟର ବିଭିନ୍ନ ଇଲାକାରୁ ପହଞ୍ଚି ଥିଲେ ତାଙ୍କର ଦର୍ଶନାର୍ଥୀଗଣ । ରାଜ୍ୟର ଯେଉଁ ଯେଉଁ ସ୍ଥାନରେ ସେ କାମ କରିଥିଲେ, ସେଠିକାର ଲୋକମାନଙ୍କର ସେ ଥିଲେ ପ୍ରିୟପାତ୍ର ।

ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ ଯେ ଏଭଳି ଦକ୍ଷ, ସଚ୍ଚୋଟ ପ୍ରଶାସକ ‘ସସ୍‌ପେଣ୍ଡ’ ହୋଇ ବସିଛନ୍ତି । କେତେକ ଶୁଭେଚ୍ଛୁ ତାଙ୍କୁ ପରାମର୍ଶ ଦେଉଥିଲେ ଆପଣ ତିରୁପତି ଯାଇ ଠାକୁର ଦର୍ଶନ କରିଆସନ୍ତୁ । ଆଉ କେହି ସତ୍ୟସାଇ ବାବା ଏବଂ ସାଇରାମଙ୍କ ଫଟୋ ଏବଂ ବିଭୂତି ଧରି ପହଞ୍ଚି ଥିଲେ । ପ୍ରଶାନ୍ତିନିଳୟ ଯାଇ ଭଗବାନଙ୍କ ଆଶୀର୍ବାଦ ନେବାକୁ ସେମାନେ ପରାମର୍ଶ ଦେଇଥିଲେ ।

ସେ ଜଣେ ବଡ଼ଲୋକ ହେବେ ବୋଲି ପିଲାବେଳୁ ସ୍ୱପ୍ନ ଦେଖିଥିଲେ । ଥରେ ତାଙ୍କର ଜଣେ ଶିକ୍ଷକ ତାଙ୍କୁ ପଚାରିଥିଲେ–ବଡ଼ ହେଲେ କ’ଣ ହେବୁ ?

ଉତ୍ତର ମିଳିଥିଲା ମନ୍ତ୍ରୀ ହେବି ।

ଏତିକିରେ ଶିକ୍ଷକ ହୋ ହୋ ହୋଇ ହସି ଉଠିଥିଲେ ।

କିଛିଦିନ ଆଗରୁ ତାଙ୍କ ଗାଁକୁ ମୁଖ୍ୟମନ୍ତ୍ରୀ ଆସିଥିଲେ । ମୁଖ୍ୟମନ୍ତ୍ରୀ ଆସିବେ ବୋଲି କେତେଦିନ ଆଗରୁ ଆଖପାଖ ଅଞ୍ଚଳରେ ମଧ୍ୟ ଚହଳ ପଡ଼ିଯାଇଥିଲା । ସରକାରୀ, ବେସରକାରୀ ମହଲରେ ଜୋରଦାର ପ୍ରସ୍ତୁତି ଚାଲିଥିଲା । ଗାଁର ଫାଟକ ପାଖରୁ ସଭାସ୍ଥଳ ଯାଏ ଆମ୍ବ ତୋରଣ ଏବଂ ନାଲିନେଳୀ ପତାକାରେ ସଜା ଯାଇଥିଲା । ମୁଖ୍ୟମନ୍ତ୍ରୀ ଆସିଲେ । ଅନେକ ରାଜନୈତିକ ନେତା, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଗେଣ୍ଡୁଫୁଲ ମାଳ ଦେଇ ତାଙ୍କର ସ୍ୱାଗତ କଲେ । ସ୍କୁଲ ପିଲାମାନଙ୍କର ଜୟ ଜୟକାର ଧ୍ୱନିରେ ଗଗନ ପବନ ମୁଖରିତ ହେଉଥିଲା । ମୁଖ୍ୟମନ୍ତ୍ରୀଙ୍କର ଜୟ ଧ୍ୱନି ସଙ୍ଗେ ଭାରତମାତାକୀ ଜୟ, ବନ୍ଦେ...ମାତରମ୍‌ ପ୍ରଭୃତି ଧ୍ୱନିଗୁଡ଼ିକ ସେହିଦିନଠାରୁ ତାଙ୍କ କୋମଳ ମସ୍ତିଷ୍କରେ ବସା ବାନ୍ଧି ରହିଥିଲେ । ସେଥିପାଇଁ ସେ ଶିକ୍ଷକଙ୍କୁ ଉତ୍ତର ଦେଇଥିଲେ ବଡ଼ ହେଲେ ମୁଁ ମନ୍ତ୍ରୀ ହେବି ।

ସେକଥା ମନେପଡ଼ିଲେ ତାଙ୍କ ଓଠରେ ହସର କ୍ଷୀଣ ଧାରଟିଏ ଖେଳିଯାଉଥିଲା ।

ସେହି ଶିକ୍ଷକ ମାଟ୍ରିକ୍ୟୁଲେସନ୍‌ ପରୀକ୍ଷା ଦେବା ପୂର୍ବରୁ ତାଙ୍କୁ ପରାମର୍ଶ ଦେଇଥିଲେ ବଡ଼ ହେଲେ ଶିକ୍ଷକ ହୁଅ । ଜ୍ଞାନର ଆଲୋକ ବିତରଣ କର । ଜୀବନଟା କେବଳ ଭୋଗବିଳାସ ଏବଂ ଧନ ଅର୍ଜନ ପାଇଁ ନୁହେଁ । ଭୋଗଠାରୁ ତ୍ୟାଗ ବଡ଼ ।

କଲେଜ ପଢ଼ା ସରିବା ମାତ୍ରେ ସେ ଆଡ଼ହକ ଅଧ୍ୟାପକ ପଦବୀରେ ଯୋଗ ଦେଇଥିଲେ-। ସେତେବେଳେ ଦରମା ଖୁବ୍‌ କମ୍‌ ଥିଲା । ଛ’ମାସରେ ଥରେ ଦରମା ମିଳୁଥିଲା । ତଥାପି ଅଧ୍ୟାପନା ଚାକିରୀ ତାଙ୍କୁ ଖୁବ୍‌ ଭଲ ଲାଗିଥିଲା । ଛାତ୍ରଛାତ୍ରୀମାନଙ୍କର ପ୍ରିୟ ଅଧ୍ୟାପକ ଥିଲେ ସେ । ସହକର୍ମୀ ଏବଂ କଲେଜ ପ୍ରିନ୍ସିପାଲଙ୍କ ଠାରୁ ମଧ୍ୟ ଭୁରି ଭୁରି ପ୍ରଶଂସା ମିଳୁଥିଲା । ସେଠି ସ୍ୱପ୍ନ ଦେଖିବା ପାଇଁ ସମୟ ଥିଲା । ଲେଖାପଢ଼ା ପାଇଁ ସମୟ ଥିଲା ।

କିନ୍ତୁ ସର୍ବଭାରତୀୟ ଚାକିରୀରେ ପଶି ତାଙ୍କୁ ଏକ କାଠ ଅର୍ଗଳି ଭିତରେ ପଶିଗଲା ଭଳି ଲାଗୁଥିଲା । ଭାବୁଥିଲେ ସେ କ’ଣ ଏ ଚାକିରୀ ପାଇଁ ମିସ୍‌ଫିଟ୍‌ ?

ସେ ନିଜର ବ୍ୟୁରୋକ୍ରାଟ ଜୀବନର ବାଲାନ୍ସ ସିଟ୍‌କୁ ମନେ ମନେ ଅନୁଧ୍ୟାନ କରୁଥିଲେ-। ଏଭଳି ଜୀବନରୁ ପାଇଲେ କେତେ ? ଦେଲେ କେତେ ? ଦୁଇ ଦଶନ୍ଧିର ଚାକିରୀ କାଳରେ ତାଙ୍କୁ ଘନ ଘନ ବଦଳି କରାଯାଇଛି । ଆଜି ଏ ଜିଲ୍ଲାରେ ତ କାଲି ସେ ଜିଲ୍ଲାରେ । ଆଜି କୃଷି ବିଭାଗରେ ତ କାଲି ପଶୁପାଳନ ବିଭାଗରେ । ଅଧିକାଂଶ ବସଙ୍କଠୁ ଉତ୍ସାହ ମିଳିନି । ବରଂ ମିଳିଛି ତାଗିଦ ଓ ଭର୍ତ୍ସନା । ନେତାମାନଙ୍କଠୁ ବାହାବା ମିଳିନି । ମିଳିଛି ଧମକ । ଅଥଚ ତାଙ୍କର ଅନେକ ସହକର୍ମୀ ନିଜର ଚଏସ୍‌ର ପୋଷ୍ଟିଂ ପାଇଛନ୍ତି । ଗୋଟିଏ ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି । କେବଳ ସେତିକି ନୁହେଁ, ତାଙ୍କର ପତ୍ନୀମାନେ ମଧ୍ୟ ରାଜଧାନୀରେ ବର୍ଷ ବର୍ଷ ଧରି ଆସ୍ଥାନ ଜମାଇ ବସିଛନ୍ତି । ସେମାନଙ୍କର ରାଜଧାନୀ ଭିତରେ ଏକାଧିକ ପ୍ଲଟ୍‌ । ରାଜଧାନୀର ଉପାନ୍ତରେ ଏକର ଏକର ପରିମିତ ପ୍ରଲମ୍ବିତ ଫାର୍ମହାଉସ । ସେମାନେ ହିଁ ଦକ୍ଷ ପ୍ରଶାସକ ଭାବେ ଡିଣ୍ଡିମ ପିଟି ବୁଲିଛନ୍ତି ।

ସେମାନଙ୍କର ସଫଳତାର ରହସ୍ୟ ଖୋଜିବାକୁ ତାଙ୍କୁ କଷ୍ଟ ହୋଇନାହିଁ । ବସ୍‌ ମାନଙ୍କୁ, ରାଜନୈତିକ ନେତାମାନଙ୍କୁ ଖୁସ୍‌ ରଖ । ନିଜେ ଖୁସ୍‌ ରହ । ଦରକାର ହେଲେ ଅନ୍ୟମାନଙ୍କ କାନ୍ଧରେ ଗୋଡ଼ ରଖି ଉପରକୁ ଉଠ । ଏହା ହିଁ ସେମାନଙ୍କର ସଫଳତାର ମୂଳମନ୍ତ୍ର ।

ସେହି ଢାଞ୍ଚାରେ ସେ ନିଜକୁ ଗଢ଼ିପାରିଲେ ନାହିଁ । ତେଣୁ ସେ ବୋଧେ ବ୍ୟୁରୋକ୍ରାସି ପାଇଁ ଅନଫିଟ୍‌ । ତାଙ୍କୁ ଏଠିକୁ ଆସିବାର ନଥିଲା । ଅଧ୍ୟାପନା କ୍ୟାରିୟର୍‌ ତାଙ୍କ ପାଇଁ ଉପଯୁକ୍ତ ଥିଲା । ହାଇସ୍କୁଲ ଶିକ୍ଷକଙ୍କର ସେ ପରାମର୍ଶ ପ୍ରକୃତରେ ଉତ୍କୃଷ୍ଟ ଥିଲା ।

ବେଳେବେଳେ ଚାକିରୀ ଜୀବନରେ ସଫଳକାମ ବୋଲାଉଥିବା ବ୍ୟକ୍ତିଙ୍କ ବର୍ତ୍ତମାନର ଅବସ୍ଥା ଦେଖି ତାଙ୍କୁ ଦୟା ଆସେ । ଅବସର ଗ୍ରହଣ ପରେ କେହି ତାଙ୍କ ଆଡ଼କୁ ଆଡ଼ ଆଖିରେ ଚାହାନ୍ତି ନାହିଁ । ସବୁଠି ସେ ନିଜକୁ ମନେକରନ୍ତି ଅପାଂକ୍ତେୟ ।

ସେ ନିଜେ କିନ୍ତୁ ନିଶ୍ଚିତ ଥିଲେ ଯେ ପ୍ରଶାସନର ପାହାଚ ଚଢ଼ି ସର୍ବୋଚ୍ଚ ପଦବୀରେ ସେ ଗାଦିନସୀନ ହୋଇପାରିଲେ ନାହିଁ ସିନା, କିନ୍ତୁ ଅଗଣିତ ଜନତାର ହୃଦୟ ରାଜ୍ୟରେ ସେ ଚିରସ୍ଥାୟୀ ଆସନ ଅଧିକାର କରିବେ ।

ସେଦିନ ଘରକୁ ଆସିଥିଲାବେଳେ ସୁତନୁ ତାଙ୍କୁ ବେଜାନ ଦାରୁୱାଲାଙ୍କ ହରୋସ୍କୋପ ବହି ଦେଇଥିଲେ ।

ତାଙ୍କୁ ସେ ପ୍ରଶ୍ନ କରିଥିଲେ–ତୁମେ ଏସବୁ ଭବିଷ୍ୟତ ବାଣୀରେ ବିଶ୍ୱାସ କର ?

ସେ ହସି କହିଥିଲେ–ତୁମେ ପଢ଼ । ବିଶ୍ୱାସ ହେଉ କି ନ ହେଉ ଇଣ୍ଟରେଷ୍ଟିଙ୍ଗ୍‌ । ତମର ମଧ୍ୟ ଟାଇମ ପାସ୍‌ ହୋଇଯିବ ।

ଶିଳାଦିତ୍ୟଙ୍କ ରାଶି ଥିଲା କ୍ୟାନ୍‌ସର । ତେଣୁ ସେହି ପୃଷ୍ଠାଗୁଡ଼ିକ ସେ ଏବେ ଓଲଟାଉଥିଲେ । ପ୍ରଥମରୁ କର୍କଟ ରାଶିର ବ୍ୟକ୍ତିଙ୍କ ଚରିତ୍ର ବିଷୟରେ ଆଲୋକପାତ କରାଯାଇଥିଲା ।

–କ୍ୟାନସରିଆନ୍‌ ବ୍ୟକ୍ତିମାନେ ଅଜସ୍ର ନୈତିକବଳର ଅଧିକାରୀ । ସେମାନେ ନିଜର ଆଦର୍ଶ ଓ ମତବାଦକୁ କଙ୍କଡ଼ା ପରି ଜାବୁଡ଼ି ଧରିଥାନ୍ତି ।

ଶିଳାଦିତ୍ୟ ଭାବୁଥିଲେ ଏହି ଉକ୍ତି ବୋଧହୁଏ ଶତ ପ୍ରତିଶତ ସତ୍ୟ । ଏହି ଆଦର୍ଶର ଅନୁସରଣ ହିଁ ତାଙ୍କ କ୍ୟାରିଅର ପାଇଁ କାଳ ହୋଇଛି । ବ୍ୟୁରୋକ୍ରାସିରେ ଆଦର୍ଶ ଶବ୍ଦ ବୋଧହୁଏ ଲଙ୍କାରେ ହରିନାମ ସଦୃଶ ।

–କ୍ୟାନସରିଆନ୍‌ମାନଙ୍କ ପାଇଁ ଘର ହିଁ ସ୍ୱର୍ଗ । ଯେତେଦୂରରେ ଥିଲେ ବି ଘର ଏମାନଙ୍କୁ ହାତଠାରି ଡ଼ାକୁଥାଏ ଏବଂ ସେମାନେ ଯେତେ ଶୀଘ୍ର ଫେରିଆସିବାକୁ ଡ଼ହଳବିକଳ ହେଉଥାନ୍ତି ।

ଶିଳାଦିତ୍ୟଙ୍କ ମୁଖମଣ୍ଡଳରେ ଏକ ଶୁଷ୍କ ହସ ଚିରୁଡ଼ାଏ ଖେଳି ଲିଭିଗଲା । ବହିର ପୃଷ୍ଠା ଉପରୁ ତାଙ୍କର ଦୃଷ୍ଟି ଖସି ଏବେ ଝର୍କାର ସେପଟକୁ କେନ୍ଦ୍ରିତ ହୋଇଗଲା । କି ଘର କଲେ ସେ ? ଘରଣୀ ବିନା କି ଘରର କଳ୍ପନା କରାଯାଇପାରେ ? ଭାବୁଥିଲେ, ପ୍ରିୟଙ୍କା ଯଦି ନିଜ ଇଚ୍ଛାରେ ପୁଣିଥରେ ତାଙ୍କ ପାଖକୁ ଫେରିଆସନ୍ତି, ସେ କ’ଣ ପୁଣିଥରେ ଶୂନ୍ୟରୁ ସୁଖୀ ଗାର୍ହସ୍ଥ୍ୟ ଜୀବନ ଆରମ୍ଭ କରିପାରିବେ ?

–କର୍କଟ ରାଶିର ବ୍ୟକ୍ତିମାନେ ଜଣେ ଜଣେ ଉତ୍ତମ ପ୍ରେମିକ । କାରଣ ତାଙ୍କ ଉପରେ ଚନ୍ଦ୍ରର ପ୍ରଭାବ ବେଶୀ । କିନ୍ତୁ ସେମାନେ ଏ କ୍ଷେତ୍ରରେ ବୋଲ୍ଡ ନୁହନ୍ତି ।

 

ଶିଳାଦିତ୍ୟ ଭାବୁଥିଲେ, ଦାରୁୱାଲାଙ୍କୁ ଏପରି ଲେଖିବାର ଥିଲା–ଏମାନେ ଜଣେ ଜଣେ ଭଲ ପ୍ଲାଟୋନିକ ଲଭର । ଏହି ପଦ୍ମଭୁକ୍‌ ପ୍ରେମିକମାନେ ପ୍ରେମିକା ପାଇଁ ସ୍ୱପ୍ନ ଦେଖି ଦେଖି ଜୀବନ ବିତାଇ ଦିଅନ୍ତି । କଙ୍କଡ଼ାମାନଙ୍କ ପରି ଏମାନେ କେତେବେଳେ ଆଗକୁ ଗୋଡ଼ ବଢ଼ାନ୍ତି ତ କେତେବେଳେ ପୁଣି ପଛକୁ ଫେରିଆସୁଥାନ୍ତି ।

 

–କ୍ୟାନସରିଆନ୍‌ମାନେ ବିତ୍ତ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥାନ୍ତି । କମ୍ପାନୀ ବା କର୍ପୋରେସନ୍‌ମାନଙ୍କରେ ବିତ୍ତ ବିଭାଗରେ ରହିଲେ, ସେହିସବୁ ସଂସ୍ଥା ଲାଭବାନ ହେବେ ।

 

ଶିଳାଦିତ୍ୟଙ୍କୁ କେବେ କୌଣସି କର୍ପୋରେସନରେ ମ୍ୟାନେଜିଂ ଡାଇରେକ୍ଟର ଭାବେ କାମ କରିବାକୁ ସୁଯୋଗ ମିଳି ନଥିଲା । ବରଂ, ଅନେକ ମହତ୍ତ୍ୱ ନଥିବା ବିଭାଗରେ ପୋଷ୍ଟିଂ କରାଯାଇଥିଲା ।

 

–କ୍ୟାନସରିଆନ୍‌ମାନଙ୍କର ହୃଦୟ ବଡ଼ କୋମଳ । ତାଙ୍କୁ ବନ୍ଧୁ ହିସାବରେ ପାଇ ଅନ୍ୟମାନେ ନିଜକୁ ବଡ଼ ଭାଗ୍ୟବାନ ମନେକରନ୍ତି । କାରଣ ଏମାନଙ୍କର ଆନୁଗତ୍ୟର ପଟାନ୍ତର ନାହିଁ । ଏମାନେ ଅନ୍ୟମାନଙ୍କ ପାଇଁ କେବେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ନାହିଁ ।

 

ଏ ଉକ୍ତି ତାଙ୍କ ପାଇଁ ଯଥାର୍ଥ ଥିଲା । ସେ ଖୁବ୍‌ ଲୋକପ୍ରିୟ ଥିଲେ । ବନ୍ଧୁ–ବତ୍ସଳତା ପାଇଁ ସେ ଥିଲେ କିମ୍ବଦନ୍ତୀ–ସଦୃଶ । କିନ୍ତୁ ତାଙ୍କର ବଡ଼ ଦୁଃଖ ଯେ ତାଙ୍କର ଖରାପ ଦିନଗୁଡ଼ିକରେ ଅଳ୍ପ କିଛି ବନ୍ଧୁକୁ ଛାଡ଼ି ଅନ୍ୟମାନଙ୍କର ଦେଖା ଦର୍ଶନ ନଥିଲା ।

 

–କ୍ୟାନସରିଆନ୍‌ମାନେ ଜଣେ ଜଣେ ଆଦର୍ଶ ପିତା । ଏମାନଙ୍କ ହୃଦୟ ଜନନୀର ହୃଦୟ ପରି ମମତାରେ ଛଳଛଳ ।

 

ଏହି ଧାଡ଼ିକ ପଢ଼ିଲା ପରେ ତାଙ୍କ ଆଖି ଛଳଛଳ ହୋଇଉଠିଲା । ପିଲା ଦୁହେଁ ତାଙ୍କର ଜୀବନ ଥିଲେ । ସେ ଦୁହେଁ ତାଙ୍କୁ ମଧ୍ୟ କେତେ ଭଲପାଉଥିଲେ । ପିଲାଙ୍କୁ ସେ ନାନାବାୟା ଗୀତଗାଇ ଛାତିରେ ପକାଇ ଶୁଆଉଥିଲେ । କିଏ ତାଙ୍କ ଛାତିରେ ଶୋଇବ ସେଥିପାଇଁ ପିଲା ଦୁହେଁ ପରସ୍ପର ମଧ୍ୟରେ କନ୍ଦଳ ସୃଷ୍ଟି କରୁଥିଲେ । କୋର୍ଟର ଆଦେଶ ବଳରେ ସେ ଦୁହେଁ ଆଜି ତାଙ୍କଠୁଁ ବିଚ୍ଛିନ୍ନ ହୋଇଯାଇଛନ୍ତି ।

 

ବେଜାନ ଦାରୁୱାଲାଙ୍କ ବହି ଛାତିରେ ପକାଇ ସେ ଅନେକ ସମୟ ଚିନ୍ତା ଜଗତରେ ବୁଡ଼ିଗଲେ ।

•••

 

(୧୪)

 

ସୁସ୍ଥ ହେବାପରେ ସେ ପ୍ରଥମକରି ପୁଣି ପ୍ରାତଃ ଭ୍ରମଣରେ ବାହାରିଥିଲେ ।

ସେ ଥିଲା ଆଦ୍ୟ ଅପ୍ରେଲମାସର ଏକ ବର୍ଣ୍ଣିଳ ସକାଳ । କୃଷ୍ଣଚୂଡ଼ା ଆଭିନ୍ୟୁରେ ସେ ଦେଖିବାକୁ ପାଇଲେ ଏକ ଆଶ୍ଚର୍ଯ୍ୟ ଚିତ୍ରପଟ୍ଟ । ମହାବାତ୍ୟା ସମୟରେ କବନ୍ଧ ପରି ଦିଶୁଥିବା ଗଛଗୁଡ଼ିକ ଭର୍ତ୍ତି ହୋଇଥିଲେ ସବୁଜ ପତ୍ରରେ । ପ୍ରତ୍ୟେକ ଗଛର ଡ଼ାଳେ ଡ଼ାଳେ ଲାଗିଥିଲା ଲୋହିତ ପୁଷ୍ପଙ୍କ ମହୋତ୍ସବ । ସକାଳର ସୂର୍ଯ୍ୟକିରଣରେ ଗଛଗୁଡ଼ିକ ଦିଶୁଥିଲେ ଗୋଟିଏ ଗୋଟିଏ ଜ୍ଜ୍ୱଳନ୍ତ ମଶାଲପରି ।

 

ଏମିତି ଗୋଟିଏ ବିଶ୍ୱାସଭରା ପ୍ରଭାତ ସେ ଆଗରୁ କେବେ ଦେଖିଥିବାର ମନେପକାଇ ପାରୁନଥିଲେ ।

 

ଗତ ରାତିସାରା ବିନିଦ୍ର ରହି ସେ ନିଜର ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିପାରୁ ନଥିଲେ । ଆଜିର ସମ୍ଭାବନାମୟ ସକାଳ ତାଙ୍କୁ ସେ ରାସ୍ତା ଦେଖାଇଦେଲା ।

 

ସେଦିନ ସେ ଚାକିରୀରୁ ଇସ୍ତଫା ଦେବାକୁ ସ୍ଥିର କରିଥିଲେ ।

ବ୍ରେକ୍‌ଫାଷ୍ଟ ସମୟରେ ସେ ମା’ଙ୍କୁ ନିଜର ନିଷ୍ପତ୍ତି ଜଣାଇ ଦେଲେ ମା’, ମୁଁ ଏବେ ତୁମ ପାଖରେ ସବୁଦିନ ପାଇଁ ରହିବାକୁ ମନସ୍ଥ କରିଛି । ମୁଁ ଚାକିରୀରୁ ଇସ୍ତଫା ଦେବାକୁ ଠିକ୍‌ କରିଛି ।

 

ସାବିତ୍ରୀ ଦେବୀ ଟିକିଏ ହତଭମ୍ବ ହେଲାଭଳି ଜଣାପଡ଼ିଲେ । କିନ୍ତୁ ସେ ନିଜକୁ ସଂଯତ କରି ପଚାରିଲେ ଏବେ କ’ଣ କରିବୁ ?

 

ଟିକିଏ ପରିହାସ ଛଳରେ ମା’ଙ୍କ ହାତଧରି କହିଲେ–ଏତେ ଦିନଯାଏ ସରକାର ବାହାଦୁରଙ୍କ ସେବା କରୁଥିଲି । ଏଣିକି ଦିନରାତି ଚବିଶ ଘଣ୍ଟା ତମର ସେବା କରିବି ।

 

–ଧେତ୍‌, ବାୟା କହି ସାବିତ୍ରୀଦେବୀ ହାତ ଖସାଇ ନେଇଥିଲେ ।

 

ଏବି ଟିକିଏ ସିରିୟସ୍‌ ହୋଇ ଶିଳାଦିତ୍ୟ କହିଲେ–ଏବେ ଦେଶପାଇଁ ବିନା ଦରମାରେ କିଛି କାମ କରିବି ।

 

ସାବିତ୍ରୀ ଦେବୀ ଶିଳାଦିତ୍ୟଙ୍କ ପିଲାଦିନ କଥା ମନେପକାଇ ହସି କହିଲେ ମନ୍ତ୍ରୀ ହେବୁ-? ପଲିଟିକ୍ସ କରିବୁ ?

 

–ନା, ନା, ତମର ମନେଅଛି ଆମ ହାଇସ୍କୁଲ ଶିକ୍ଷକ ମୋତେ ମାଟ୍ରିକ୍ୟୁଲେସନ ପରୀକ୍ଷା ବେଳେ କି ପରାମର୍ଶ ଦେଇଥିଲେ ? ସେ କହିଥିଲେ ଜଣେ ଶିକ୍ଷକ ହୁଅ । ମଣିଷ ତିଆରି କର । ମୁଁ ଭାବିଛି, ଏକ ରେସିଡ଼େନ୍ସିଆଲ ଭୋକେସନାଲ ସ୍କୁଲ ଖୋଲିବି । ଏହି ସହରର ଗଳିକନ୍ଦିରେ, ବସ୍ତିମାନଙ୍କରେ କେତେ କେତେ ବାଳକ ବାଳିକା ଲକ୍ଷ୍ୟହୀନ ହୋଇ ବୁଲୁଛନ୍ତି । କିଏ କ୍ରିମିନାଲ ହେଲାଣି ତ କିଏ ଡ୍ରଗର ଶିକାର ହେଲାଣି । କେତେ କେତେ ବାଳିକା ଅସାମାଜିକ ଲୋକଙ୍କ ଶିକାର ହୋଇ ଅନ୍ଧଗଳିମାନଙ୍କରେ ବିକ୍ରି ହେଲେଣି । ମୁଁ ଭାବିଛି, ଏମାନଙ୍କୁ ବୈଷୟିକ ଶିକ୍ଷାଦେଇ ନିଜ ଗୋଡ଼ରେ ଠିଆ ହେବାରେ ସାହାଯ୍ୟ କରିବି ।

 

–କେତେ କେତେ ବୈଷୟିକ ବିଦ୍ୟାଳୟ ସରକାର ଖୋଲିଛନ୍ତି । କ’ଣ ତା’ର ଫଳ ହୋଇଛି ?

 

–ସରକାର କ’ଣ ସବୁକିଛି କରିପାରିବେ ? ସରକାରୀ ଅନୁଷ୍ଠାନଗୁଡ଼ିକ ସଫଳ ନ ହେବାର ଅନେକ କାରଣ ଅଛି । ସେଥିରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କର କିଛି ମୂଲ୍ୟବୋଧ ନାହିଁ ।

 

–ମୁଁ ଏବେ ଏକ ଏନ.ଜି.ଓ. ପ୍ରସ୍ତୁତ କରିଥିବା କେସଷ୍ଟଡ଼ିର ସାରାଂଶ ଖବରକାଗଜରୁ ପଢ଼ିଲି । ଅବହେଳିତ ଶ୍ରେଣୀର ପିଲାମାନଙ୍କୁ ଉଚିତ ମାର୍ଗ ଦେଖାଇଲେ ସେମାନେ ସବୁକଥା ଶୀଘ୍ର ଶିଖିଯାଆନ୍ତି । ଯେ କୌଣସି କାମରେ ତାଙ୍କୁ ନିୟୋଜିତ କଲେ ସେମାନେ ତାକୁ ଭଲଭାବେ କରିବାକୁ ଚେଷ୍ଟା କରନ୍ତି ।

 

–କ’ଣ ସବୁ ତୋ’ର ଯୋଜନା ?

–ମୁଁ ଭାବିଛି, ବାଳକମାନଙ୍କୁ ଛୋଟ ବଡ଼ ମରାମତି କାମ, ଜେନେରେଟର ଚଲାଇବା, ଫାୟାର ଫାଇଟିଂ, ପେଷ୍ଟକଣ୍ଟ୍ରୋଲ, ହାଉସ କିପିଙ୍ଗ, ଟୁରିଷ୍ଟଗାଇଡ଼ ପ୍ରଭୃତିରେ ଟ୍ରେନିଂ ଦେବି । ଝିଅମାନଙ୍କୁ ହୋମ ନର୍ସିଂ, କୁକିଙ୍ଗ୍‌, କ୍ଳିନିଂ, ହାଇଜିନ୍‌, ସେଫ୍‌ଟି, ଏଲ୍‌ଡ଼ର୍ଲି କେୟାର, ବେବିକେୟାର, ଲଣ୍ଡ୍ରୀ, ଟେବୁଲ ସଜା, ରଙ୍ଗୋଲୀ, ବିଉଟିକେୟାର ପ୍ରଭୃତିରେ ଟ୍ରେନିଂ ଦେବି । ସେମାନଙ୍କୁ ଜେନେରାଲ ଏଟିକେଟ୍‌ ଉପରେ ମଧ୍ୟ ଶିକ୍ଷା ଦେବି ।

 

ମେଧାବୀ ଛାତ୍ରମାନଙ୍କୁ କମ୍ପ୍ୟୁଟର କୋର୍ସରେ ଶିକ୍ଷା ଦିଆଯିବ ।

ଡାକ୍ତରଖାନାରେ ତମେ ସୁନା ଓ ରୂପାକୁ ଦେଖିଲ ତ ? ଏଇ ଯେଉଁ ଝିଅମାନେ କିଛି ଦିନ ଆଗରୁ ଚିରାକନା, ଟିଣ, ପଲିଥିନ୍‌ କାଗଜ ପ୍ରଭୃତି ଗୋଟାଇ ସହରର ଗଳିକନ୍ଦିରେ ଘୂରି ବୁଲୁଥିଲେ, ସେମାନେ ନର୍ସିଂ ବିଦ୍ୟାରେ କେମିତି ପାରଙ୍ଗମ ହୋଇଯାଇଛନ୍ତି । ଏହିଭଳି ପିଲାଙ୍କୁ ଶିକ୍ଷାଦୀକ୍ଷା ଏବଂ ସୁଯୋଗ ଦେଲେ ସେମାନେ ଏକ ସାର୍ଥକ ଜୀବନ ଜୀଇଁ ପାରିବେ ।

 

–ହଉ, ତୋ’ର ଯାହା ଇଚ୍ଛା ।

ସାବିତ୍ରୀ ଦେବୀ ନିଶ୍ଚିତ ଥିଲେ ଯେ ତାଙ୍କ ପୁଅ ଯେକୌଣସି କାର୍ଯ୍ୟରେ ହାତ ଦେବ, ସଫଳତା ହାସଲ କରିବ । ଚାକିରୀ ଛାଡ଼ିଲେ ଅନ୍ତତଃ ସେ ଶାନ୍ତିରେ ରହିବ ।

•••

 

(୧୫)

 

ସାବିତ୍ରୀ ଦେବୀ ତାଙ୍କ ନାମରେ ନାମିତ ହୋଇଥିବା ଆବାସିକ ବୈଷୟିକ ବିଦ୍ୟାଳୟ ପୂର୍ଣ୍ଣାଙ୍ଗ ହେବାକୁ ଦେଖିବାକୁ ରହି ନଥିଲେ ।

 

ଶିଳାଦିତ୍ୟ ଚାକିରୀରୁ ଇସ୍ତଫା ଦେବାର କେତୋଟି ମାସ ପରେ ସେ ଚିରଦିନ ପାଇଁ ଆଖିବୁଜି ଦେଇଥିଲେ । ଅବଶ୍ୟ ବାର୍ଦ୍ଧକ୍ୟରେ ପହଞ୍ଚିଲା ବେଳକୁ ତାଙ୍କର ଶରୀରରେ କେବଳ ଚର୍ମ ଏବଂ ହାଡ଼ ହିଁ ଅବଶେଷ ରହିଥିଲା । କିନ୍ତୁ ରୋଗ ବାଧିକାରେ ଶଯ୍ୟାଶାୟୀ ହେବାରୁ ତାଙ୍କୁ ଖୁବ କମ୍‌ ଦେଖିବାକୁ ମିଳିଥିଲା । ସେ ଶୟନ ଶଯ୍ୟାରେ ହିଁ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ଜୀବନସାରା ସେ ଅନ୍ୟମାନଙ୍କ ପାଇଁ ତିଳ ତିଳ କରି ନିଜକୁ ଜାଳିଥିଲେ । ଶେଷକୁ ଏକ ତ୍ୟାଗପୂତ ସାଧିକାଙ୍କୁ ଭଗବାନ ନିଜ ପାଖକୁ ଡ଼ାକି ନେଲେ ।

 

ଶିଳାଦିତ୍ୟଙ୍କର ମନେପଡ଼ୁଥିଲା–ଶୈଶବରେ ଗାଁରେ ବୋଧେ ମା’ଙ୍କୁ ଥରେ ମାତ୍ର ମ୍ୟାଲେରିଆ ଜ୍ୱର ହୋଇଥିଲା । ସେଦିନ ସେ ରାତିରେ ବିଳିବିଳୋଉ ଥିଲେ ମୁଁ ଆଉ ବଞ୍ଚିବିନି । ମୋ’ ଗଲାପରେ ମୋର ବାଇଧନକୁ କିଏ ଦେଖିବ ?

 

ସେଦିନ ବାଳକ ଶିଳାଦିତ୍ୟ ନିଦରୁ ଉଠି ଚିଲ୍ଲାଇଥିଲେ ମା’, ମା’ ତମର କିଛି ହେବନି । ମୁଁ ଅଛି ପରା । ତା’ପରେ ସେ ମା’ଙ୍କୁ ଧରି ରାହାଧରି କାନ୍ଦୁଥିଲେ । ଏବେ ବି ସେ ଅବୋଧ ଶିଶୁପରି ମା’ଙ୍କ ନିଷ୍ପ୍ରାଣ ଶରୀର ପାଖରେ ବସି କାନ୍ଦୁଥିଲେ ।

 

ପ୍ରିୟଙ୍କା ଖବର ଶୁଣି ପହଞ୍ଚି ଯାଇଥିଲେ । ଆଗନ୍ତୁକମାନଙ୍କୁ ବସାଇବା ଦାୟିତ୍ୱ ସେ ସୁନା ଏବଂ ରୂପାଙ୍କୁ ଦେଇଥିଲେ ।

 

ପିଅନ ଓ ରୋଷେୟାଙ୍କ ସହାୟତାରେ ଡ୍ରଇଂରୁମରୁ ସୋଫା ଚେୟାରସବୁ ବାରଣ୍ଡାକୁ ସ୍ଥାନାନ୍ତରିତ କରିଥିଲେ । ତଳେ ଜରି ଏବଂ ବେଡ୍‌ସିଟ୍‌ ବିଛାଇ ଦେଇଥିଲେ । ଜରି ଉପରେ ସଫେଦ ଚାଦରରେ ଢ଼ଙ୍କା ହୋଇ ରଖା ଯାଇଥିଲା ସାବିତ୍ରୀ ଦେବୀଙ୍କ ନିଷ୍ପ୍ରାଣ ଶରୀର । ତାଙ୍କ ପାଦ ପାଖରେ ବସିଥିଲେ ଅଧୀର ଶିଳାଦିତ୍ୟ ।

 

ସାବିତ୍ରୀ ଦେବୀଙ୍କ ମୃତ୍ୟୁଖବର ପାଇ ତାଙ୍କ ସହକର୍ମୀ ଓ ବସ୍‌ ମଧ୍ୟ ପହଞ୍ଚି ଥିଲେ । ବସ ସାବିତ୍ରୀ ଦେବୀଙ୍କ ପାଦତଳେ ଏକ ପୁଷ୍ପଗୁଚ୍ଛ ରଖି ନମସ୍କାର କଲାପରେ ଶିଳାଦିତ୍ୟଙ୍କ ପିଠିରେ ହାତ ରଖି ସାନ୍ତ୍ୱନା ଦେଲେ । ବସ୍‌ଙ୍କ ଆଗମନ ତାଙ୍କୁ ଏକ ଫର୍ମାଲିଟି ପରି ବୋଧ ହେଉଥିଲା । ତେଣୁ ସେ ତାଙ୍କ ଆଡ଼କୁ ଦୃକ୍‌ପାତ କରୁ ନଥିଲେ । ତାଙ୍କୁ ଲାଗୁଥିଲା ଗଛକୁ କାଟି ଦେଇ ଡ଼ାଳରେ ପାଣି ସିଞ୍ଚିବା ଭଳି ବ୍ୟକ୍ତି ଥିଲେ ସେ ।

 

ଶେଷକୃତ୍ୟ ପାଇଁ ସାବିତ୍ରୀଦେବୀଙ୍କ ମର ଶରୀରକୁ ସ୍ୱର୍ଗଦ୍ୱାର ନିଆଯାଇଥିଲା ।

ଆକାଶରେ ତ୍ରୟୋଦଶୀ ଚନ୍ଦ୍ର ।

ସମୁଦ୍ରକୁ ଉତ୍ତାଳ କରିବାରେ ତା’ର ଅବଦାନ ଥିଲା ଯଥେଷ୍ଟ ।

 

ସମୁଦ୍ର ଆଡ଼ୁ ମାଡ଼ି ଆସୁଥିଲା ଘୋ ଘୋ ପବନ । ଗୋଟିଏ ଘଣ୍ଟା ଭିତରେ ତାଙ୍କର କ୍ଷୀଣ ତନୁ ହୁତୁହୁତୁ ହୋଇ ଜଳି ଯାଇଥିଲା ।

 

ସମୁଦ୍ରକୂଳ ନିର୍ଜନ ଥିଲା । ରାତ୍ରିର ବୟସ ବଢ଼ି ବଢ଼ି ଚାଲିଥିଲା । ମା’ଙ୍କର ଶେଷକୃତ୍ୟ ସମାପନ ପରେ ଶିଳାଦିତ୍ୟଙ୍କର ବନ୍ଧୁ ଓ ଶୁଭେଚ୍ଛୁମାନେ ସମୁଦ୍ର ସ୍ନାନ କରିବାକୁ ଗଲେ । କେହି କେହି ମୁଣ୍ଡରେ ସମୁଦ୍ରଜଳ ସିଞ୍ଚି ଗାଡ଼ି ପାଖକୁ ଫେରିଲେ ।

 

ସେହି ବେଳାଭୂମିରେ ଭିକାରୀଟିଏ ଶୋଇବାର ଉପକ୍ରମ କରୁଥିଲା । ତା’ କଣ୍ଠରୁ ନିଃସୃତ ହେଉଥିଲା ଲୋକପ୍ରିୟ ଭଜନଟିଏ–ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ-?

 

ସେହି ଗୀତ ଶୁଣି ଶିଳାଦିତ୍ୟଙ୍କ ନାକପୁଡ଼ା ଥରିଉଠିଲା ଅଭିମାନରେ । ସେ ଭଗବାନଙ୍କ ନିକଟରେ ମନେମନେ ଅଭିଯୋଗ କରୁଥିଲେ–କେଉଁ ଜନ୍ମର କୃତକର୍ମର ଫଳ ଦେଉଛ ମୋତେ ? ଶୈଶବରେ ପିତାଙ୍କୁ ହରାଇଥିଲି । ପାଖେ ପାଖେ ମା’ ମୋତେ ପକ୍ଷ ଘୋଡ଼ାଇବା ପରି ଜଗି ରହିଥିଲେ । କାହିଁକି ତାଙ୍କୁ ଛଡ଼ାଇ ନେଲ ?

 

ସେ ମନେପକାଇବାକୁ ଚେଷ୍ଟା କରୁଥିଲେ ଯେ, ଏ ଜନ୍ମରେ ସେ କ’ଣ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହା ଫଳରେ ତାଙ୍କୁ ଏଭଳି ଶାସ୍ତି ମିଳିଛି ?

 

ତାଙ୍କର ମନେପଡ଼ୁଥିଲା ପିଲାଦିନେ ଗାଁରେ ସକାଳେ ଗାଧୋଇବାକୁ ଗଲାବେଳେ ଗୋଟିଏ ଅରଖ ବୁଦାରୁ ହୁଣ୍ଡାଟିଏ ବାହାରି ଆସିବାରୁ ସେ ଖୁବ୍‌ ଜୋର୍‌ରେ ଚିତ୍କାର କରିଥିଲେ । ଧାନବିଲ, ଆଖୁବିଲରେ କାମ କରୁଥିବା ଗ୍ରାମବାସୀମାନେ ଏକଜୁଟ ହୋଇ ହୁଣ୍ଡାଟିକୁ ପିଟିପିଟି ମାରି ଦେଇଥିଲେ । ବୁଦା ଭିତରେ ତା’ର ଚାରୋଟି ଛୁଆ କୁଆଡ଼େ ରାତିସାରା ବିକଳରେ କାନ୍ଦୁଥିଲେ । ଭଗବାନ ବୋଧେ ଏ ଜନ୍ମର କୃତକର୍ମର ପ୍ରତିଶୋଧ ନେଲେ ।

 

ସମୁଦ୍ରର ଢେଉ ସବୁ ଘୋ’ ଘୋ’ ଶବ୍ଦ କରି ବେଳାଭୂମିରେ ମୁଣ୍ଡପିଟୁଥିଲେ । ଏହି ଢ଼େଉଗୁଡ଼ିକ ଶଙ୍ଖ, ଶାମୁକା, କଉଡ଼ି ପ୍ରଭୃତି ବୋହି ଆଣୁଥିଲେ ବେଳାଭୂମିକୁ । ବେଳାଭୂମିରେ ସେଗୁଡ଼ିକ ଦିଶୁଥିଲେ ଗୋଟିଏ ଗୋଟିଏ ଜପାମାଳି ପରି । ଏହିଭଳି ଗର୍ଜନ କରି ସମୁଦ୍ର ବୋଧହୁଏ ମୁକ୍ତି ପାଇବାକୁ ଚେଷ୍ଟା କରୁଥିଲା କୌଣସି ଅନ୍ତର୍ଦାହରୁ ।

 

ସେଭଳି ସେ ଉଚ୍ଚ ସ୍ୱରରେ କାନ୍ଦି ପାରନ୍ତେ କି ? ସେହିଭଳି ସେ ଛାତିରେ ହାତପିଟି ଚିତ୍କାର କରିପାରନ୍ତେ କି ? ଅନେକ ସମୟ ସେ ସମୁଦ୍ର କୂଳରେ ଚୁପ୍‌ଚାପ ବସି ରହିଥିଲେ ।

 

ତାଙ୍କର ବନ୍ଧୁବର୍ଗ ତାଙ୍କୁ ଘରକୁ ଫେରିବାକୁ ଡ଼ାକିଲେ । ସେ ଅଡ଼ି ବସିଥିଲେ–ମୋତେ ଆଉ ଟିକେ ବସିବାକୁ ଦିଅ ।

 

ଏକଦା ସମୁଦ୍ରର ଆକର୍ଷଣ ତାଙ୍କ ପାଇଁ ଥିଲା ଅପ୍ରତିରୋଧ୍ୟ । ସମୁଦ୍ରକୂଳରେ ସେ ଏକା ଏକା ଘଣ୍ଟା ଘଣ୍ଟା ଯାଇ ବସନ୍ତି । ଯେମିତି ସମୁଦ୍ର ତାଙ୍କୁ ଗୀତ ଗାଇ ଶୁଣାଏ ଏବଂ ତାଙ୍କର କ୍ଳାନ୍ତି ମେଣ୍ଟାଏ ।

 

ପ୍ରିୟଙ୍କା ନିଜେ ଆସି ପାଖରେ ଠିଆ ହେଲେ । କହିଲେ–ଅନେକ ରାତି ହେଲାଣି । ଘରକୁ ଚାଲ ।

 

ଅସ୍ଥି ବିସର୍ଜନ ପାଇଁ କିଛିଦିନ ପରେ ଆହ୍ଲାବାଦ ଉଦ୍ଦେଶ୍ୟରେ ସେ ଟ୍ରେନରେ ବସିଲେ । ସଙ୍ଗମରେ ଅସ୍ଥି ବିସର୍ଜନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ହିନ୍ଦୁଙ୍କ ବିଶ୍ୱାସ । ଟ୍ରେନର କଡ଼େ କଡ଼େ କେଉଁଠି ଦିଗନ୍ତବ୍ୟାପୀ ଶସ୍ୟକ୍ଷେତ୍ର ତାଙ୍କର ଶ୍ୟାମଳ ସୁଷମା ବିଛାଇ ଦେଇଥିଲେ । କେଉଁଠି ଆକାଶଚୁମ୍ବି ପାହାଡ଼ ଗର୍ବର ସହ ମଥାଟେକି ଟ୍ରେନକୁ ଦେଖୁଥିଲେ । କେଉଁଠି ମାଇଲ ମାଇଲ ଧରି ଜଙ୍ଗଲ । ସେଠୁ କେତେ ନା ନ ଜଣା ପକ୍ଷୀଙ୍କର ଅବୋଧ୍ୟ କଳରବ ଭାସି ଆସୁଥିଲା । ଶିଳାଦିତ୍ୟଙ୍କୁ ଜଣାପଡ଼ୁ ନଥିଲା ବହିର୍ଜଗତର ବର୍ଣ୍ଣବୈଭବ କିମ୍ବା ଶବ୍ଦସମ୍ଭାର । ସ୍ଥାବର ଜଙ୍ଗମ ଚାରିଆଡ଼େ ଦିଶୁଥିଲା ମା’ଙ୍କର ମୁହଁ ।

 

ସଙ୍ଗମ ଘାଟରେ ଠିଆହୋଇ ସେ କିଛି ସମୟ ଦେଖିଲେ ଗଙ୍ଗା ଯମୁନାର ମହାମିଳନର ଦୃଶ୍ୟ । ଗଙ୍ଗାନଦୀର ଶ୍ଵେତ ଜଳଧାରା ଆକୁଳ ହୋଇ ମିଶି ଯାଉଥିଲା ଯମୁନାର କୃଷ୍ଣ ଜଳଧାରା ସହ ।

 

ଗୋଟିଏ ନୌକା ଭଡ଼ା ନେଇ ସେ ସେହି ମିଳନ ସ୍ଥଳ ଯାଏ ଗଲେ । ନଦୀବକ୍ଷରେ ବିହରଣ କରୁଥିଲେ ଦଳଦଳ ଗଲ ପକ୍ଷୀ । ଖାଦ୍ୟ ସାମଗ୍ରୀ ପାଇଁ ପର୍ଯ୍ୟଟକମାନଙ୍କୁ ଅଳି କରୁଥିଲେ ସେମାନେ ।

 

ନୌକା ପାଖକୁ ମାଡ଼ିଆସିଲେ ସେଠିକାର ପୂଜକ ଏବଂ ଅନ୍ୟ ସେବାୟତଗଣ । ସେ ସେମାନଙ୍କୁ ରୋକଠୋକ ଶୁଣାଇ ଦେଲେ–ମୋର ମା’ ମୋ’ପାଇଁ ଦୁର୍ମୂଲ୍ୟ । ତାଙ୍କର ଅସ୍ଥି ବିସର୍ଜନରେ କୌଣସି ମୂଲଚାଲ ହେବାକୁ ଦେବି ନାହିଁ ତୁମକୁ ଯଥେଷ୍ଟ ଦକ୍ଷିଣା ମିଳିବ । ତେଣୁ ଭଲଭାବେ ପୂଜା କର ।

 

ମା’ଙ୍କ ଶେଷ ସନ୍ତକକୁ ନେଇ ସେ ସଙ୍ଗମ ସ୍ଥଳରେ ବିସର୍ଜନ ଦେଲାବେଳେ ମନେ ମନେ କହୁଥିଲେ–ମୋକ୍ଷ କ’ଣ ମୁଁ ଜାଣେନି । ଧରାପୃଷ୍ଠକୁ ଫେରି ନ ଆସିବାକୁ ଯଦି ମୋକ୍ଷ କୁହାଯାଏ, ହେ ମା’, ତମେ ଏଠିକୁ ଆଉ ଫେରିବନି । ଏଠି ଜୀବନସାରା ତୁମେ ଦୁଃଖ ଭୁଞ୍ଜିଛ, ଦହଗଞ୍ଜ ହୋଇଛ । ଆଉ ଏଠିକୁ କେବେ ଆସିବନି ।

 

ଖବରକାଗଜରେ ସାବିତ୍ରୀ ଦେବୀଙ୍କ ମହାପ୍ରୟାଣ ଖବର ପଢ଼ିଥିଲେ ମନସ୍ୱିନୀ । ଖବରକାଗଜରେ ଫଟୋ ସହ ଶ୍ରାଦ୍ଧ ଦିବସର କାର୍ଯ୍ୟକ୍ରମ ଲିଖିତ ଥିଲା । ମନସ୍ୱିନୀଙ୍କ ଅବଶୋଷ ରହିଗଲା ଯେ ସାବିତ୍ରୀ ଦେବୀଙ୍କୁ ଜୀବିତାବସ୍ଥାରେ ସାକ୍ଷାତ କରିବାର ସୁଯୋଗ ମିଳିଲାନି । ଭାବିଲେ ସାର୍‌ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବେ । ଏବେ ଯେ ପୂରାପୂରି ନିଃସଙ୍ଗ ହୋଇପଡ଼ିଲେ । ଏହି ବିପଦ ସମୟରେ ତାଙ୍କ ନିକଟରେ ଉପସ୍ଥିତିକୁ ସେ ଜରୁରୀ ମନେକଲେ । ଦୋଦୋପାଞ୍ଚ ହୋଇ ଶ୍ରାଦ୍ଧ ଦିବସରେ ଯୋଗଦେବା ନିହାତି କର୍ତ୍ତବ୍ୟ ବୋଲି ମନେକଲେ ସେ ।

 

ଭୋର ବସ୍‌ରେ ବସି ରାଜଧାନୀକୁ ଚାଲିଥିଲେ ମନସ୍ୱିନୀ । ଭାବୁଥିଲେ, ଶିଳାଦିତ୍ୟଙ୍କ ଘରେ ପ୍ରିୟଙ୍କାଙ୍କ ସହ ନିଶ୍ଚିତ ଭାବେ ସାକ୍ଷାତ ହେବ । ସେ ଆଶଂକା କରୁଥିଲେ ଯେ ତାଙ୍କ ସହ ଭେଟ ହେଲେ ସେ ପୁଣି ଦୁର୍ବ୍ୟବହାର କରିବେନି ତ ?

 

ମନେପଡ଼ିଗଲା ଦଶବର୍ଷ ତଳର ସେ ଲାଞ୍ଛନା । ସେଦିନ ପ୍ରିୟଙ୍କା ହଠାତ୍‌ ତାଙ୍କ ବସାଘରେ ପ୍ରବେଶ କଲେ । ପହଞ୍ଚୁ ପହଞ୍ଚୁ ସେ ଫାଟିପଡ଼ିଲେ ଏକ ପାହାଡ଼ି ମେଘପରି–ଦେଖ, ଭଲ ଦଶା ଅଛି ତ ମୋ’ ସ୍ୱାମୀଙ୍କୁ କିମିଆ କରିବା ଚେଷ୍ଟାରୁ ନିବୃତ୍ତ ରୁହ । ମୋର ଦୁଇଟି ପିଲା ଅଛନ୍ତି । ଦୟାକରି ମୋର ଘର ଭାଙ୍ଗନାହିଁ ।

 

ମନସ୍ୱିନୀ ପ୍ରତିବାଦ କରିଥିଲେ ମୋତେ ଆପଣ ଅଯଥାରେ ଦାୟୀ କରୁଛନ୍ତି କାହିଁକି ?

ପ୍ରିୟଙ୍କାଙ୍କ କ୍ରୋଧ ଶାନ୍ତ ହୋଇ ନଥିଲା । ସେ ବର୍ଷି ଚାଲିଥିଲେ–କାହିଁକି ତମେ ଏବେ ବି ତାଙ୍କ ପଛରେ ପଡ଼ିଛ ? ତମ ଦୁହିଁଙ୍କ ମଧ୍ୟରେ ବିବାହ ପୂର୍ବରୁ କ’ଣ ସଂପର୍କ ଥିଲା, ସେଥିରେ ମୋର ମୁଣ୍ଡ ଖେଳାଇବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ବିବାହ ପରେ ପୁଣି ଏ ସୁଆଙ୍ଗ କାହିଁକି ଜାରି ରହିଛି ?

 

–ଆପଣ କ’ଣ ଚାହାନ୍ତି ?

ପ୍ରିୟଙ୍କା ହାତରେ ଧରିଥିବା ଚିଠି ଖଣ୍ଡିକ ମନସ୍ୱିନୀଙ୍କ ଉପରକୁ ଫିଙ୍ଗିଲେ । ତାଙ୍କ ଆଖିରେ ସତେ ଯେପରି ଜଳୁଥିଲା ଅଙ୍ଗାର । ଜିଭରେ ପୂରିଥିଲା ତୀବ୍ର ହଳାହଳ । କହିଲେ–ଚିଠି ଦେବା ବନ୍ଦ କରିଦିଅ । ନହେଲେ ତମ ସ୍ୱାମୀ, ବାପା, ସମସ୍ତଙ୍କୁ ତ କହିବି । ତମ ସମସ୍ତଙ୍କୁ କାଠଗଡ଼ାରେ ଠିଆ କରିଦେବି ।

 

ସେଦିନ ମନସ୍ୱିନୀଙ୍କ ସ୍ୱାମୀ ସହ ସେ ସାକ୍ଷାତ କରିନଥିଲେ । କିନ୍ତୁ ସେ ଭେଟିଥିଲେ ତାଙ୍କ ବାପାଙ୍କୁ । ମନସ୍ୱିନୀଙ୍କ ଚରିତ୍ର ସଂପର୍କରେ ମନଭରି ଗାଳିଦେବା ପରେ ତାଙ୍କର ମନବୋଧ ହୋଇଥିଲା । ସେହି ଘଟଣା ପରେ ତାଙ୍କ ବାପା ଭୋଗିଥିଲେ ଫାଷ୍ଟ ହାର୍ଟଆଟାକ ।

 

ବସରେ ବସିଥିଲା ବେଳେ ତାଙ୍କର ଆଶଙ୍କା ହେଉଥିଲା, ମାଡ଼ାମ୍‌ ପୁଣି ପଚାରିପାରନ୍ତି କାହିଁକି ଆସିଛ ? ଆଉ କେଉଁ ଜିନିଷଟା ବାକି ଅଛି ଯେ ଭାଙ୍ଗିବା ପାଇଁ ଆସିଛ ?

 

ପ୍ରିୟଙ୍କା ଗେଟ୍‌ ପାଖରେ ଠିଆହୋଇ କାହାକୁ କିଛି ନିର୍ଦ୍ଦେଶ ଦେଉଥିଲେ । ରିକ୍ସାବାଲାକୁ ପ୍ରାପ୍ୟ ଦେଇ ମନସ୍ୱିନୀ ଗେଟ୍‌ ଖୋଲିଲେ ।

 

ମନସ୍ୱିନୀଙ୍କ ଆଶଙ୍କା ଅମୂଳକ ଥିଲା । ସେଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା ।

 

ପ୍ରିୟଙ୍କା ଦେଖିଲେ ସମୟର ଓଜନିଆ ବୋଝରେ ଯେମିତି ନଇଁ ଯାଇଛନ୍ତି ମନସ୍ୱିନୀ । ବୟସ ଯଥେଷ୍ଟ ଅତ୍ୟାଚାର କରିଥିଲା ତାଙ୍କ କ୍ଷୀଣ ଶରୀର ଉପରେ । ରୂପରେ ଅନେକ ପରିବର୍ତ୍ତନ ଆସିଥିଲା । କିନ୍ତୁ ଆଖିରେ ଲାଖିଥିଲା ସେହି ଭୟାତୁର, ଯନ୍ତ୍ରଣା–ଜର୍ଜ୍ଜରିତ ଏଣୀର ଚାହାଣି । ଅରଖଫୁଲ ପରି ମୁହଁଟା ଦିଶୁଥିଲା ପାଣ୍ଡୁର ।

 

ବୟସ ସେଭଳି କିଛି ଦୌରାତ୍ମ୍ୟ କରି ନଥିଲା ପ୍ରିୟଙ୍କାଙ୍କ ଉପରେ । ମନ ଭିତରଟା ଫମ୍ପା ହୋଇଯାଇଥିଲା । ଦେହରେ ଥିଲା ଶୁକ୍ଳବସ୍ତ୍ର । କିନ୍ତୁ ତଥାପି ସେ ଦାଉ ଦାଉ କରୁଥିଲେ ଏକ ତରୁଣୀ ପରି ।

 

ମନସ୍ୱିନୀ ହାତ ଯୋଡ଼ିଲେ ନମସ୍କାର ମାଡ଼ାମ୍‌ ।

ସେ ତାଙ୍କ ହାତଧରି କହିଲେ ଆସିଲ, ଭଲ କଲ ।

 

କିଛି ସମୟ ପରେ ଯୋଡ଼ିଲେ–ସେଦିନର ମୋର ରୁକ୍ଷ ବ୍ୟବହାର ଯୋଗୁଁ ମୁଁ ବଡ଼ ଦୁଃଖିତ । ତୁମେ ତ ମୋର ମନର ଅବସ୍ଥା ଜାଣିପାରୁଥିବ ।

 

–ତା’ହେଲେ ମୋତେ କ’ଣ ଆପଣ କ୍ଷମା କରିଛନ୍ତି ମାଡ଼ାମ ?

ଧଇଁସଇଁ ହୋଇ ସେ ସଫେଇ ଦେଇ ଚାଲିଥିଲେ–ଆପଣଙ୍କ ସହ ସାକ୍ଷାତ ପରେ ମୁଁ ଚିଠିଦେବା ବନ୍ଦକରି ଦେଇଥିଲି । ଆପଣଙ୍କ ବିବାହ ପରେ ମୁଁ ଚିଠି ଦେଉଥିଲି ସତ, କିନ୍ତୁ ତାହା ସାରଙ୍କୁ ଆପଣଙ୍କଠୁ ଛଡ଼ାଇବାର ଅଭିପ୍ରାୟ ନେଇ ନୁହେଁ । ଆପଣଙ୍କ ବିଷୟରେ ଜାଣିବା ପାଇଁ ମୋର ଅଦମ୍ୟ କୌତୁହଳ ଥିଲା । ସବୁବେଳେ ଭାବୁଥିଲି, ସାରଙ୍କ ଜୀବନରେ କିଏ ସେ ଭାଗ୍ୟବତୀ ଆସିଲେ ।

 

–ବୁଝୁଛି । ହଉ, ପଛକଥା ଛାଡ଼ । ଆଚ୍ଛା କହିଲ, ତମେ ଏଭଳି ରୋଗୀଣା ଦିଶୁଛ ଯେ-?

 

–ମୋ’ ଜୀବନରେ କିଭଳି ଦୁର୍ବିପାକ ଆସିଛି, ଆପଣ ଜାଣିଥିବେ ।

–ମୁଁ ସବୁ ଖବର ରଖିଛି । ଆଇ ଆମ୍‌ ଭେରି ସରି ।

 

ସେ ପୁଣିଥରେ ମନସ୍ୱିନୀଙ୍କ ହାତ ଧରିଲେ । ମନସ୍ୱିନୀଙ୍କ ଆଖିରୁ ଅବାରିତ ଲୁହର ଧାର ବହିଗଲା । ଦୁହେଁ ଦୁହିଁଙ୍କୁ ନିର୍ନିମେଷ ନୟନରେ ଚାହିଁ ରହିଲେ ଗୋଟିଏ ପୋଖରୀରେ ପାଖାପାଖି ଦୁଇଟି କଇଁଫୁଲ ପରି । ସେ ମୁହଁ ଦୁଇଟିରେ ଏବେ ନଥିଲା ଈର୍ଷା, ଦ୍ଵେଷ ଅବା ବିଦ୍ଵେଷ । ଦୁହେଁ ଦୁହିଁଙ୍କୁ ଭାବୁଥିଲେ, ଗୋଟିଏ ଦଦରା ଡଙ୍ଗାରେ ଭାସି ଯାଉଥିବା ଦୁଇଜଣ ଅସହାୟ ସହଯାତ୍ରୀ ପରି ।

 

ପ୍ରିୟଙ୍କା ଏବେ ନିଜକୁ ସଂଯତ କରି କହିଲେ–ଚାଲ, ଭିତରକୁ ଯିବା । ଆଚ୍ଛା କହିଲ, ତମର ପିଲାଝିଲା କେତୋଟି ?

 

–ଗୋଟିଏ ବୋଲି ପୁଅ । ଏ ବର୍ଷ ମାଟ୍ରିକ ପାସ୍‌ କଲା ।

–ଆପଣଙ୍କ ଦୁଇପୁଅ କ’ଣ ପଢ଼ୁଛନ୍ତି ?

–ଡେରାଡ଼ୁନରେ ରହି ପଢ଼ନ୍ତି । ବଡ଼ ଇଲେଭେନ୍‌ରେ । ସାନ ନାଇନ୍‌ରେ ।

 

ଟିକିଏ ସଙ୍କୁଚିତ ହୋଇ ମନସ୍ୱିନୀ କହିଲେ–ଆପଣ ସାର୍‌ଙ୍କ ସ୍ତ୍ରୀ । ମାନ୍ୟତାରେ ମୋର ଗୁରୁଜନ । ମୋର ଛୋଟ ମୁହଁର ଗୋଟିଏ କଥା ରଖିବେ ?

 

–କୁହ ।

–ସାର୍‌ ଏବେ ସଂପୂର୍ଣ୍ଣ ଏକଲା ପଡ଼ିଗଲେ । ଏଇମାତ୍ର ଏକ ଦାରୁଣ ବିପଦରୁ ମୁକୁଳି କରି ଆସିଲେ । ତାଙ୍କ କର୍ମକ୍ଷେତ୍ରର ଅବ୍ୟବସ୍ଥା ବୋଧେ ଆପଣଙ୍କଠୁ ବିଚ୍ଛେଦ ଯୋଗୁଁ । ଆପଣ ତାଙ୍କ ପାଖକୁ ଫେରିଆସିଲେ ସେ ବୋଧେ ଠିକ୍‌ ହୋଇଯିବେ ।

 

–ପଛକଥାକୁ ମୁଁ ଏକ ଦୁଃସ୍ୱପ୍ନ ପରି ଭୁଲିଯିବାକୁ ଚାହୁଁଛି । ତାଙ୍କ ବିଷୟରେ ତୁମେ ଅନେକ କଥା ଜାଣିନାହଁ । ସେ ମୋତେ ମୂଳରୁ ଗ୍ରହଣ କରିପାରି ନାହାନ୍ତି । ସେଥିପାଇଁ ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ସେ ମୋତେ ଶାସ୍ତି ଦେଇଛନ୍ତି । ତାଙ୍କ ସଂପର୍କରେ ଆଜିର ଦିନରେ ମୁଁ କିଛି ଅଭିଯୋଗ କରିବାକୁ ଚାହୁଁନି । କିନ୍ତୁ ପ୍ରେମ ଓ ବିଶ୍ୱାସର ଭିତ୍ତିଭୂମି ନ ରହିଲେ ତୁମେ କ’ଣ କାହାକୁ ଗ୍ରହଣ କରିପାରିବ, କହିଲ ?

 

ମନସ୍ୱିନୀ ନିଜ ଜୀବନର ଘଟଣାକୁ ମନେପକାଉଥିଲେ । ଦୁହେଁ ସମଦଶାପନ୍ନା । ତଥାପି ସେ ପୁଣି ଯୋଡ଼ିଲେ–ସାର୍‌ଙ୍କ ପାଇଁ ଆପଣଙ୍କର କ’ଣ ତିଳେ ହେଲେ ଦୟା ଆସୁନି ?

 

–ଦୟା ଓ ସହାନୁଭୂତିର ଭିତ୍ତିଭୂମିରେ କ’ଣ ଆଜୀବନ ସଂପର୍କ ଠିଆ କରାଯାଇପାରେ-? ମୁଁ ଏକା ଅଛି । ନିଜକୁ ସ୍ୱାବଲମ୍ବନଶୀଳ କରି ଗଢ଼ିଛି । ନିଜର ମର୍ଜିର ମାଲିକାଣୀ ମୁଁ । ବେଶ୍‌ ଖୁସୀ ଅଛି ।

 

ଏହି ସମୟରେ ଶିଳାଦିତ୍ୟ ଦୁଇପୁତ୍ର ବୁଦ୍ଧାଦିତ୍ୟ ଓ ଦେବାଦିତ୍ୟଙ୍କୁ ଧରି ବାହାରକୁ ଆସିଲେ । ଲଣ୍ଡିତ ମୁଣ୍ଡରେ ସେମାନେ ଦିଶୁଥିଲେ ତିନିଜଣ ଶ୍ରମଣ ପରି ।

 

–ପୂଜା ଆରମ୍ଭ ହେବ । ସମସ୍ତେ ଭିତରକୁ ଆସ ଡ଼ାକିଲେ ଶିଳାଦିତ୍ୟ ।

ପଞ୍ଝାଏ ବାସ୍ତୁହୀନ ବଞ୍ଜାରା ପରି ଆକାଶରେ ବୁଲୁଥିଲେ ମାଳମାଳ ମେଘ । ପାହାଡ଼ ଉପରେ କିମ୍ବା ଗଛବୃଚ୍ଛ ଉପରେ କେଉଁଠି ଡ଼େରା ପକାଇବେ ସେମାନେ ବୋଧେ ସ୍ଥିର କରିପାରୁ ନଥିଲେ ।

•••

 

(୧୬)

 

ସେ ଥିଲା ଏକ ଶ୍ରାବଣର ସକାଳ ।

ବଡ଼ି ଭୋରରୁ ବର୍ଷା ହୋଇ ଛାଡ଼ି ଯାଇଥିଲା ।

ରାଜମାର୍ଗ କଡ଼ରେ ଥିବା ଗଛସବୁ ବର୍ଷାରେ ଧୋଇହୋଇ ଦିଶୁଥିଲେ ସଦ୍ୟ–ସ୍ନାତ ପୂଜାରିଣୀମାନଙ୍କ ପରି ପ୍ରଫୁଲ୍ଲ । ବିଗତ ବର୍ଷର ବାତ୍ୟା ଦୁର୍ବିପାକ ଯୋଗୁଁ ହତଶ୍ରୀ ହୋଇଥିବା ରାଜଧାନୀର ଦ୍ରୁମ ମହାଦ୍ରୁମ ଓ ବୋଗନଭିଲାର ଲତାକୁଞ୍ଜରେ ଫେରିଆସିଥିଲା ତରଳ ତାରୁଣ୍ୟ ।

କୃଷ୍ଣଚୂଡ଼ା ଶାଖା ଓ ପତ୍ରମାନଙ୍କ ଭିତରେ କାଁ ଭାଁ ଦୃଶ୍ୟ ହେଉଥିଲା ଋତୁର ଶେଷଗୁଚ୍ଛ ପୁଷ୍ପମାନଙ୍କର ସ୍ମିତ ହାସ୍ୟ । ସେହି ଶେଷ ଗଣ୍ଠିଧନର ରକ୍ଷଣାବେକ୍ଷଣ ପାଇଁ ବୋଧହୁଏ ଗଛର ଶାଖାରୁ ଓହଳି ଥିଲା ଦୀର୍ଘ ଖଣ୍ଡାପରି ଫଳ ।

ବାପୁଜୀ ନଗରର ଉପାନ୍ତରେ ସାବିତ୍ରୀ ଦେବୀ ବୈଷୟିକ ବିଦ୍ୟାଳୟ ମୁଣ୍ଡଟେକି ଠିଆ ହୋଇଥିଲା । ଇଟା ଓ ମାଟିରେ ସଦ୍ୟ ନିର୍ମିତ ପାଞ୍ଚ ବଖରା ଘର । ଉପରେ ଟିଣ ଛାତ ।

ବିଦ୍ୟାଳୟର ଉଦ୍ଘାଟନ ପାଇଁ ଉତ୍ସବର ଆୟୋଜନ ଚାଲିଥିଲା । ପ୍ରତ୍ୟେକ ଘରର ଦ୍ୱାରରେ କଦଳୀ ଗଛ ଓ ପୂର୍ଣ୍ଣ କଳସୀ ଶୋଭା ପାଉଥିଲା । ସୁନା ଓ ରୂପା ତାଙ୍କ ସାଥୀ ଶିକ୍ଷାନବିସଙ୍କ ସହ ଆମ୍ବ ତୋରଣ ଲଗାଇବାରେ ବ୍ୟସ୍ତ ଥିଲେ ।

ଧୀରେ ଧୀରେ ସେଠି ବାପୁଜୀ ନଗରର ଆବାଳବୃଦ୍ଧବନିତା ଏକତ୍ରିତ ହେଉଥିଲେ । ସମସ୍ତେ ଅପେକ୍ଷା କରିଥିଲେ ଶିଳାଦିତ୍ୟଙ୍କ ଆଗମନକୁ ।

ସେ ଉତ୍ସବକୁ କୌଣସି ମନ୍ତ୍ରୀ, ନେତା ବା ବଡ଼ବଡ଼ିଆ ଲୋକଙ୍କୁ ନିମନ୍ତ୍ରଣ କରାହୋଇ ନଥିଲା । ସେ ଉତ୍ସବକୁ ନିମନ୍ତ୍ରିତ ହୋଇ ନଥିଲେ ରେଡ଼ିଓ, ଦୂରଦର୍ଶନ ବା ସମ୍ବାଦପତ୍ରର ପ୍ରତିନିଧିଗଣ । ସେଠି ଆୟୋଜିତ ହୋଇ ନଥିଲା କୌଣସି ନୃତ୍ୟ ଗୀତର କାର୍ଯ୍ୟକ୍ରମ । ସେ ଥିଲା ଏକ ନିରଳସ ଉଦ୍ଘାଟନ ଉତ୍ସବ ।

ବାପୁଜୀ ନଗରର ଶିବମନ୍ଦିରରୁ ଆସିଥିଲେ ପୂଜକ । ଖୋଳ, କରତାଳ ଧରି ପହଞ୍ଚିଥିଲେ ବସ୍ତିର ସଙ୍କୀର୍ତ୍ତନ ଦଳ ।

କେବଳ ବାପୁଜୀ ନଗର ଓ ସତ୍ୟନଗର ନୁହେଁ, ସହରର ସବୁ ବସ୍ତିରୁ ଗରିବ ଲୋକ କାମଧନ୍ଦା ଛାଡ଼ି ଏହି ଉତ୍ସବରେ ଯୋଗ ଦେଇଥିଲେ ।

ସକାଳ ଆଠଟା ବେଳେ ତାଙ୍କ ବନ୍ଧୁ ସୁତନୁକୁ ଧରି କାରରେ ଆସିଲେ

ଶିଳାଦିତ୍ୟ । ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପୂର୍ବରୁ ଏହି ବନ୍ଧୁ ତାଙ୍କୁ ଅନେକ ବୁଝାଇଥିଲେ–ଭଲକରି ଦେଖ, କୌଣସି ଉଚ୍ଚପଦବୀର ଗାଦି ଛାଡ଼ି ଚାଲି ଯିବାଟା ଏତେ ସହଜ ନୁହେଁ । ଆସନ ଚାଲିଗଲେ କେହି ଆଡ଼ ଆଖିରେ ପଚାରିବେ ନାହିଁ ।

–ମୁଁ ମୋର କାର୍ଯ୍ୟପନ୍ଥା ସ୍ଥିର କରିସାରିଛି । ଆଉ ପଛକୁ ଫେରିବାର ନାହିଁ ।

–ପାଖରେ ଚାକର, ପୂଜାରୀ ନଥିବେ । ସାଧାରଣ ଲୋକଙ୍କ ସହ କାନ୍ଧମିଳାଇ ହାଟବଜାରରେ ତୁମେ ପରିବା କିଣିପାରିବ ?

–ସବୁ ପାରିବି । ପିଲାଦିନେ କାହିଁକି, ଅଧ୍ୟାପକ ଥିଲାଯାଏ ସବୁ ନିଜ ହାତରେ କରୁଥିଲି-। ଦିନେ ନା ଦିନେ ତ ଚାକିରୀରୁ ଅବସର ନେବାକୁ ପଡ଼ିବ କି ନାହିଁ ?

–ମୋର ଚେତାଇବା କଥା । ତିନି ମାସ ଭିତରେ ସ୍ୱେଚ୍ଛାକୃତ ଅବସର ଗ୍ରହଣର ଦରଖାସ୍ତ ତୁମେ ଫେରାଇ ନେଇପାର ।

–ନା, ମୁଁ ଚାକିରୀରୁ ଅବସର ନେଉଛି । ଜୀବନରୁ ନୁହେଁ । ଏହା ଜୀବନର ସେକେଣ୍ଡ ଇନିଂସ ବୋଲି ଧରିପାର । ଏବେ ମୁଁ ନିଜ ମର୍ଜି ଅନୁସାରେ କାମ କରିବି । ପିଲାଦିନରୁ ଦେଖିଥିବା ସ୍ୱପ୍ନକୁ ସାକାର କରିବି ।

କେତେ କେତେ ଅନାମଧ୍ୟେୟ ବ୍ୟକ୍ତି ଇଞ୍ଜିନିୟରିଂ କଲେଜ, ମେଡ଼ିକାଲ କଲେଜ, ଏମ.ବି.ଏ. ଇନଷ୍ଟିଚ୍ୟୁଟ୍ କରି କୋଟିପତି ସାଜିଗଲେଣି । ଉପରେ ପଇସା ଫିଙ୍ଗି ନିଜ ନିଜ କଲେଜକୁ ଡିମ୍‌ଡ଼ ୟୁନିଭର୍ସିଟି ଘୋଷିତ କରିସାରିଲେଣି । ତୁମେ ଏତେ ଉଚ୍ଚ ପଦବୀରେ ଥାଇ, ଚାହିଁଥିଲେ ସେଭଳି ଏକ ୟୁନିଭର୍ସିଟି କରି ନିଜେ ଚାନ୍‌ସେଲର ହୋଇପାରିଥାନ୍ତ । ଏ ମାଷ୍ଟରି ବୁଦ୍ଧି କାହିଁକି ତମ ମୁଣ୍ଡକୁ ଜୁଟିଲା ?

–ଯେଉଁମାନେ ଇଞ୍ଜିନିୟରିଂ, ଡ଼ାକ୍ତରୀ ପଢ଼ୁଛନ୍ତି, ଅଧ୍ୟୟନ ସମୟରେ ମୋଟା ଅଙ୍କର ଡୋନେସନ୍‌ ଦେଉଛନ୍ତି ବୋଲି ମୂଳରୁ ସେମାନେ ଏକ ମନି-ମେକିଂ ମେସିନ ବନି ଯାଉଛନ୍ତି । ସମାଜ ପାଇଁ ତାଙ୍କର ପ୍ରତିବଦ୍ଧତା ନାହିଁ । ମୋର ଏହି ଛୋଟ ବୈଷୟିକ ବିଦ୍ୟାଳୟ ଜରିଆରେ ମୁଁ ମଣିଷ ତିଆରି କରିବି–ମନି-ମେକିଂ ମେସିନ୍‌ ନୁହେଁ ।

ସୁତନୁଙ୍କ ମୁହଁରେ ତାଚ୍ଛଲ୍ୟଜନକ ହସ ଫୁଟିଉଠିଲା । ସେ ମନ୍ତବ୍ୟ ଦେଲେ–ଏହି ଅଶିକ୍ଷିତ, ଅର୍ଦ୍ଧଭୁକ୍ତ ବସ୍ତିପିଲାଙ୍କୁ ତମେ ମଣିଷ କରିବ ?

–ଏ ଯେଉଁ ଦୁଇଝିଅ ପୂର୍ଣ୍ଣକଳସୀ ସଜାଡ଼ୁଛନ୍ତି, ସେମାନେ ଏକଦା ଗଳିକନ୍ଦି ବୁଲି ରଦ୍ଦି ଗୋଟାଉ ଥିଲେ । ଏବେ ସେ ଦୁହେଁ ଡ଼ାକ୍ତରଖାନାର ଯେକୌଣସି ନର୍ସ ପରି ରୋଗୀ ସେବାରେ ପାରଙ୍ଗମ । ମୁଁ ଅସୁସ୍ଥ ଥିଲାବେଳେ ଏ ଦୁହେଁ ଯାହା ସେବା କରିଛନ୍ତି ତାହା ମୋ’ ପାଇଁ ଚିରସ୍ମରଣୀୟ ହୋଇରହିବ ।

ଏ ଯେଉଁ ପିଲାଟି ଆମ୍ବତୋରଣ ବାନ୍ଧୁଛି ସେ ଦିନେ ସିନେମା ହଲ୍‌ରେ ବ୍ଲାକ ଟିକେଟ ବିକୁଥିଲା । ମହାବାତ୍ୟା ସମୟରେ ତା’ର ଅକୁଣ୍ଠ ସେବା ଓ ସହଯୋଗ ଦର୍ଶନୀୟ ଥିଲା ।

ଏ ଯେଉଁ ବାଳକଟି ପତାକା ଓ ଝାଲର କାଟୁଛି ଏକଦା ସେ ଆମରି ବସ୍ତିରୁ ଚୋରି କରି ଧରା ପଡ଼ିଥିଲା । ଏବେ ସେ ଜଣେ କୁଶଳୀ ମୋଟର ମେକାନିକ୍‌ । ପ୍ରତ୍ୟେକ ମଣିଷଙ୍କ ଦେହରେ ଯେ ଭଗବାନଙ୍କ ସତ୍ତା ରହିଛି, ଏହି ମାନଙ୍କ ସଂସ୍ପର୍ଶରେ ଆସି ମୁଁ ଜାଣିବାକୁ ପାଇଲି ।

ଶିଳାଦିତ୍ୟଙ୍କ ପରିଧେୟ ପ୍ୟାଣ୍ଟସାର୍ଟ, କୋଟ୍‌ ନଥିଲା । ଥିଲା ଧୋତି ଓ କମିଜ୍‌ । ସେଠି ଶିକ୍ଷାନବିସମାନଙ୍କ ଗହଣରେ ସେ ଦିଶୁଥିଲେ ଗୁରୁକୁଳର ଆଚାର୍ଯ୍ୟଙ୍କ ପରି ।

ଏହି ସମୟରେ ନନ୍ଦମାଝୀ ଆସି ତାଙ୍କ ପଦରେଣୁ ନେଲା । ତାଙ୍କ ଡିଷ୍ଟ୍ରିକ୍ଟ କଲେକ୍ଟର ଚାକିରୀ କାଳ ଅବଧିରେ ସେ ତାଙ୍କର ଡ୍ରାଇଭର ଥିଲା ।

–କୁଆଡ଼େ ଆସିଲ ନନ୍ଦ ?

–ଆପଣଙ୍କ ବସାକୁ ଯାଇଥିଲି, ହଜୁର ! ଶୁଣିଲି, ଆପଣ ଏଠି ଅଛନ୍ତି । ଏହି ପୁଅଟିକୁ କେଉଁଠି ଏନ.ଏମ.ଆରରେ ରଖାଇ ଦିଅନ୍ତନି ବାବୁ ।

–ଦେଖ, ମୁଁ ତ ସରକାରୀ ଚାକିରୀ ଛାଡ଼ି ଦେଇଛି । ଏବେ ମୋର ସେଭଳି କ୍ଷମତା ନାହିଁ । ତୁମେ ତାକୁ ଏଠି ଆମ ହଷ୍ଟେଲରେ ଛାଡ଼ି ଯାଅ । ମୁଁ ତା’ର ସବୁକଥା ବୁଝିବି । ସେ କେମିତି ନିଜ ଗୋଡ଼ରେ ଠିଆ ହେବ, ସେ ବ୍ୟବସ୍ଥା ମୁଁ କରିବି ।

ଆଉ କିଛିକ୍ଷଣ ଉତ୍ତାରେ ନିଜର ଝିଅକୁ ଧରି ସେଠି ପହଞ୍ଚିଲା ଲକ୍ଷ୍ମୀ

ନାଇଡ଼ୁ । ସାବିତ୍ରୀ ଦେବୀଙ୍କର ସେ ଥିଲା ଅତି ପ୍ରିୟ ମେଡ୍‌ ସର୍ଭ୍ୟାଣ୍ଟ । ଶିଳାଦିତ୍ୟଙ୍କ ମନେପଡ଼ିଲା, ତା’ର ଝିଅ ପାର୍ବତୀର ବାଲ୍ୟବିବାହ ହୋଇଥିଲା ।

–ସାହେବ, ଏଇ ଝିଅଟି ଅନାଥ ହୋଇଗଲା । ତାକୁ ଉଦ୍ଧାର କର ।

–କ’ଣ ହୋଇଛି ତା’ର ?

–ଆପଣମାନେ ସମସ୍ତେ ମୋତେ ତାକୁ ଜଲ୍‌ଦି ବାହା ନ ଦେବାକୁ ବାରଣ କରୁଥିଲେ । ମୁଁ ମାନିଲି ନାହିଁ । ତା’ର ଗେରସ୍ତଟା ମଦୁଆ ଓ ଜୁଆଡ଼ ପଡ଼ିଲା । ଏବେ ବିଷାକ୍ତ ମଦ ପିଇ ସେ ବାଟ କାଟିଲା ।

ଏତିକି କହି ଲକ୍ଷ୍ମୀ ସୁଁ ସୁଁ କରି ସେଠି ବସି କାନ୍ଦିଲା ।

କୋଡ଼ିଏ ବର୍ଷ ବୟସରେ ପାର୍ବତୀର ସବୁ ସ୍ୱପ୍ନର ସୌଧ ଭୁଷୁଡ଼ି ପଡ଼ିଥିଲା ।

ଶିଳାଦିତ୍ୟ ହାତଠାରି ରୂପାକୁ ଡ଼ାକି କହିଲେ–ଏ ରୂପା ! ଏମାନଙ୍କୁ ନେଇ ହଷ୍ଟେଲର କୋଠରୀରେ ଛାଡ଼ିଦେଇ ଆସ ।

ପୂଜକ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ । ଶଙ୍ଖ, ଘଣ୍ଟାନାଦ ଭେଦକରି ତାଙ୍କ କଣ୍ଠରୁ ଶୁଭୁଥିଲା ମଙ୍ଗଳାଷ୍ଟକର ଶୁଭଙ୍କର ଶ୍ଳୋକ–

ମଙ୍ଗଲମ୍ ଭଗବାନ ବିଷ୍ଣୁ

ମଙ୍ଗଲମ୍ ମଧୁସୂଦନଃ

ମଙ୍ଗଲମ୍‍ ପୁଣ୍ଡରୀକାକ୍ଷୋ

ମଙ୍ଗଲମ୍ ଗରୁଡ଼ଧ୍ୱଜଃ ।

ମାଧବୋ ମାଧବୋ ବିଷ୍ଣୁ

ମାଧବୋ ମାଧବୋ ହରିଃ

ସ୍ମରନ୍ତି ସାଧକ ନିତ୍ୟଂ

ସର୍ବ କାର୍ଯ୍ୟେଷୁ ମାଧବମ୍‌.....

ହରିବୋଲ ହୁଳହୁଳି ଓ ଖୋଳ, କରତାଳର ସମ୍ମିଳିତ ସ୍ୱର ସହ ନଡ଼ିଆ ଭଙ୍ଗାଗଲା ଓ ପୂଜା ସମାପ୍ତ ହେଲା ।

ଶିଳାଦିତ୍ୟ ତାଙ୍କର ସଂକ୍ଷିପ୍ତ ଭାଷଣରେ ସୂଚନା ଦେଲେ ଏବେ ବସ୍ତିର ବାଳକବାଳିକାମାନଙ୍କୁ ନାଳ, ନର୍ଦ୍ଦମା, ଆବର୍ଜନା କୁଣ୍ଡକୁ ବୁଲିବୁଲି ରଦ୍ଦି ଗୋଟାଇବାକୁ ପଡ଼ିବନି । ସେମାନେ କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନ ହୋଇ ସମ୍ମାନଜନକ କାମ କରିବେ । ଏହି ବିଦ୍ୟାଳୟରେ ଅବୈତନିକ ପାଠ ପଢ଼ିବେ । ବିଭିନ୍ନ ବିଷୟରେ ବୈଷୟିକ ତାଲିମ ନେବେ । ନିଜ ଗୋଡ଼ରେ ନିଜେ ଠିଆ ହେବେ । ଦିନେ ଏହି ରାଜ୍ୟର କୁଶଳୀ କାରିଗରମାନେ ଦେଶ ବିଦେଶ ଯାଇ ସୁନାମ ଅର୍ଜନ କରିଥିଲେ । ସେହି ପରମ୍ପରାକୁ ଜାଗରୂକ କରିବା ପାଇଁ ଏହି ବିଦ୍ୟାଳୟ ।

ରାଜମାର୍ଗ କଡ଼ରେ ଏହି ଉଦ୍ଘାଟନ ଉତ୍ସବ ଅନେକ ଅନୁସନ୍ଧିତ୍ସୁ ଆଖିକୁ ଆକର୍ଷଣ କରିଥିଲା ।

ସେହି ସମୟ ଥିଲା ସ୍କୁଲ, କଲେଜ ଏବଂ ଅଫିସକୁ ଯିବାର ସମୟ । ତେଣୁ ସେଠିକାର ଭିଡ଼ ସୃଷ୍ଟି କରିଥିଲା ଏକ ମଧ୍ୟମ ଧରଣର ଟ୍ରାଫିକ ଜାମ । ଯାନବାହନଗୁଡ଼ିକର ଗତି ମନ୍ଥର ହୋଇଯାଇଥିଲା ।

କିଛି କ୍ଷଣପରେ ଏକ ଦାମୀ ସୁଦୃଶ୍ୟ କାର୍‌ଟିଏ ଟ୍ରାଫିକ ଜାମ ଯୋଗୁଁ ସେଠି ଅଟକିଲା । କାର୍‌ର ନୀଳକାଚ ଉପରକୁ ଉଠିଲା । ସେ ଗାଡ଼ିରେ ଥିଲେ ପ୍ରିୟଙ୍କା ।

ଅନତିଦୂରରୁ ସାବିତ୍ରୀ ଦେବୀ ବୈଷୟିକ ବିଦ୍ୟାଳୟର ନାମ ଫଳକ ଦିଶିବା ସଙ୍ଗେ ସଙ୍ଗେ ଶୁଭୁଥିଲା ଶିଳାଦିତ୍ୟଙ୍କ ଉଦାତ୍ତ ସ୍ୱର । ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ବୋଲି ସେ ଶୁଣିଥିଲେ । ତାଙ୍କର ଏହି ବୈଷୟିକ ବିଦ୍ୟାଳୟର ଯୋଜନା ସଂପର୍କରେ ସେ ଅନଭିଜ୍ଞ ଥିଲେ ।

ସେ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ–ଗାଡ଼ି ସାଇଡ୍‌ କର ।

କାର୍‌ଟି ଏବେ ରାସ୍ତାକଡ଼ର ଏକ ଗଛତଳେ ଠିଆ ହେଲା । ନିଜର କପାଳରେ ଦୁଇ ଅଙ୍ଗୁଳି ରଖି ସେ ତନ୍ମୟ ହୋଇ ଶୁଣୁଥିଲେ ଶିଳାଦିତ୍ୟଙ୍କ ଭାଷଣ ।

ଶିଳାଦିତ୍ୟଙ୍କ ଭାଷଣର ପରିସମାପ୍ତି ପରେ ସୁତନୁ ଘୋଷଣା କରିଥିଲେ ଏହାପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବ । ସମସ୍ତେ ଗୋଟିଏ ଗୋଟିଏ ଚାରା ବାରଣ୍ଡାରୁ ନେଇ ଚାଲ ।

ପ୍ରିୟଙ୍କାଙ୍କ ଚକ୍ଷୁ ଏବେ ସଂପୂର୍ଣ୍ଣ ମୁଦ୍ରିତ ଥିଲା । ସେ କେଉଁ ଭାବନାର ଅତଳ ସମୁଦ୍ର ମଧ୍ୟରେ ହଜିଯାଇଥିଲେ ।

ସନ୍ତର୍ପଣରେ ଡ୍ରାଇଭର ପଚାରିଲା–ମାଡ଼ାମ୍‌, ଯିବା ?

ଏକ ଗଭୀର ସ୍ୱପ୍ନରୁ ଉଠିଲା ପରି ହଡ଼ବଡ଼େଇ ଯାଇ ପ୍ରିୟଙ୍କା କହିଲେ ଏଁ ?

Image